ଭାରତୀୟ କୁଇକ୍ କମର୍ସ ବଜାରରେ ଡିସକାଉଣ୍ଟ ଝଡ଼: ଆମାଜନ-ଫ୍ଲିପକାର୍ଟ ପ୍ରବେଶ ପରେ ବଢ଼ିଲା କମ୍ପିଟିସନ

ନୂଆଦିଲ୍ଲୀ,୨୬।୧: ଭାରତର କୁଇକ୍ କମର୍ସ ବଜାରରେ ଏବେ ଏକ ବଡ଼ ଧରଣର ମୂଲ୍ୟ ଯୁଦ୍ଧ ବା ‘ପ୍ରାଇସ୍ ଓ୍ୱାର’ ଆରମ୍ଭ ହୋଇଛି। ଇ-କମର୍ସ ଜଗତର ଦୁଇ ବଡ଼ କମ୍ପାନୀ ଆମାଜନ ଏବଂ ଫ୍ଲିପକାର୍ଟ ଏହି କ୍ଷେତ୍ରରେ ପ୍ରବେଶ କରିବା ପରେ ଏହି ଝଡ ସୃଷ୍ଟି ହୋଇଛି। ପୂର୍ବରୁ ଥିବା ବ୍ଲିଙ୍କିଟ୍, ଜେପ୍‌ଟୋ ଏବଂ ସ୍ୱିଗି ଇନଷ୍ଟାମାର୍ଟ ପାଇଁ ଚ୍ୟାଲେଞ୍ଜ ବଢ଼ିଯାଇଛି।

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସବୁ ପ୍ଲାଟଫର୍ମ ବ୍ୟାପକ ରିହାତି ପ୍ରଦାନ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଜାନୁଆରୀ ମାସରେ ହାରାହାରି ରିହାତି ୫୩% ରୁ ବୃଦ୍ଧି ପାଇ ୫୫% ରେ ପହଞ୍ଚିଛି। ‘ଆମାଜନ ନାଓ’ ନିଜର ରିହାତି ହାରକୁ ୨୬% ରୁ ସିଧାସଳଖ ୫୭% କୁ ବୃଦ୍ଧି କରିଛି। ସ୍କିନ କେୟାର ଭଳି ସାମଗ୍ରୀ ଉପରେ ସର୍ବାଧିକ ୩୫% ପର୍ଯ୍ୟନ୍ତ ରିହାତି ମିଳୁଥିବାବେଳେ ଦୁଗ୍ଧ ଜାତୀୟ ଦ୍ରବ୍ୟରେ କମ୍ ରିହାତି ମିଳୁଛି।

ବର୍ତ୍ତମାନ ବ୍ଲିଙ୍କିଟ୍ ପ୍ରାୟ ୪୪-୪୬% ବଜାର ଅଂଶଧନ ସହ ଶୀର୍ଷରେ ରହିଛି। ଏହା ପଛକୁ ଜେପ୍‌ଟୋ (୨୯-୩୦%) ଏବଂ ଇନଷ୍ଟାମାର୍ଟ (୨୩-୨୫%) ରହିଛନ୍ତି। ରିଲାଏନ୍ସର ଜିଓମାର୍ଟ ମଧ୍ୟ ଏହି କ୍ଷେତ୍ରରେ ଦ୍ୱିତୀୟ ବଡ଼ ପ୍ଲେୟାର ହେବାକୁ ଲକ୍ଷ୍ୟ ରଖିଛି। ତେବେ ଏହି ପ୍ରତିଯୋଗିତା ଯୋଗୁଁ କମ୍ପାନୀଗୁଡ଼ିକର ଲାଭ ଉପରେ ଚାପ ପଡ଼ୁଛି। ସ୍ୱିଗିର ନେଟ୍ କ୍ଷତି ଗତ ବର୍ଷ ତୁଳନାରେ ପ୍ରାୟ ଦ୍ୱିଗୁଣିତ ହୋଇ ୧,୦୮୧ କୋଟି ଟଙ୍କାରେ ପହଞ୍ଚିଛି।

୨୦୨୬ ଜାନୁଆରୀରେ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଡେଲିଭରି ବଏମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମ୍ପାନୀଗୁଡ଼ିକୁ ବିଜ୍ଞାପନରେ ‘୧୦ ମିନିଟ୍ ଡେଲିଭରି’ ଶବ୍ଦ ବ୍ୟବହାର ନ କରିବାକୁ କୁହାଯାଇଛି। ବ୍ଲିଙ୍କିଟ୍ ସମେତ ଅନ୍ୟ କମ୍ପାନୀଗୁଡ଼ିକ ଏହି ନିୟମ ଅନୁଯାୟୀ ନିଜର ପ୍ରୋମୋସନାଲ୍ ପଦ୍ଧତିରେ ପରିବର୍ତ୍ତନ କରୁଛନ୍ତି।

ପ୍ରତିଯୋଗିତା ସତ୍ତ୍ୱେ ଭାରତୀୟ କୁଇକ୍ କମର୍ସ ବଜାର ୨୦୨୬ ସୁଦ୍ଧା ୨୮ ବିଲିୟନ ଡଲାର ଏବଂ ୨୦୩୦ ସୁଦ୍ଧା ୫୭ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି।

Share