କୁକୁର ସହ ପାକିସ୍ତାନକୁ ତୁଳନା କଲେ ଓଓ୍ବାଇସି କହିଲେ, ‘ଏମାନଙ୍କ ଲାଞ୍ଜ ସିଧା କରନ୍ତୁ …’

ନୂଆଦିଲ୍ଲୀ,୧୭।୫: ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଆକ୍ରମଣ ଏପରି ଭାବରେ ଡିଜାଇନ କରାଯାଇଥିଲା ଯେ ଏହା ଭାରତରେ ସାମ୍ପ୍ରଦାୟିକ ହିଂସାକୁ ଉସକାଇ ପାରିବ। ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ନାମ ପଚାରିଲେ ଏବଂ ଯେତେବେଳେ ସେମାନେ କହିଲେ ଯେ ସେମାନେ ହିନ୍ଦୁ, ସେମାନେ ସେମାନଙ୍କୁ ଗୁଳି କରି ହତ୍ୟା କଲେ। ପହଲଗାମ ଆକ୍ରମଣ ପରଠାରୁ, AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ଲଗାତାର ପାକିସ୍ତାନ ଉପରେ ଆକ୍ରମଣ କରିଆସୁଛନ୍ତି। ପୁଣିଥରେ ସେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ଏବଂ ତାକୁ ଆଇନା ଦେଖାଇଛନ୍ତି। ଗତକାଲି (ଶୁକ୍ରବାର, ୧୭ ମଇ) ହାଇଦ୍ରାବାଦର ହଜ ହାଉସରେ ଓଓ୍ବାଇସି ହଜ ଯାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ।
ଭାଷଣ ସମୟରେ ଅସଦୁଦ୍ଦିନ ଓଓ୍ବାଇସି କହିଥିଲେ, ‘ଆମର ପଡ଼ୋଶୀ ଦେଶ କେବେ ସୁଧୁରିବ ନାହିଁ। ତୁମେ ହଜ ପାଇଁ ଯାଉଛ। ପ୍ରାର୍ଥନା କର ଯେ ଆଲ୍ଲାହ ସେମାନଙ୍କର ଲାଞ୍ଜ ସିଧା କରନ୍ତୁ, ନଚେତ ସମୟ ଆସିଲେ ସେମାନଙ୍କୁ ଆହୁରି ସିଧା କରିବାକୁ ପଡ଼ିବ।’ ପୂର୍ବରୁ ସେ ଟୁଇଟରରେ ଏକ ଟୁଇିଟ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଉପରେ ଆକ୍ରମଣ କରିଥିଲେ। ସେ ଲେଖିଛନ୍ତି, ‘ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିର କ’ଣ ରହିମ ୟାର ଖାନ ଏୟାରବେସରେ ସେମାନଙ୍କର ଲିଜ ନେଇଥିବା ଚାଇନା ବିମାନ ଅବତରଣ କରିପାରିବେ?’ ସୂଚନାଯୋଗ୍ୟ, ଭାରତୀୟ ସେନା ପ୍ରତିଶୋଧ ନେବାକୁ ଯାଇ ରହିମ ୟାର ଖାନ ଏୟାରବେସକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲା।
ଅପରେଶନ ସିନ୍ଦୂର ପରେ, AIMIM ମୁଖ୍ୟ କହିଥିଲେ, ‘ଭାରତରେ ୨୩ କୋଟିରୁ ଅଧିକ ମୁସଲମାନ ଅଛନ୍ତି, ଯାହାଙ୍କ ପୂର୍ବପୁରୁଷ ଜିନ୍ନାଙ୍କ ନୀତିକୁ ପ୍ରତ୍ୟାଖ୍ୟାନ କରିଥିଲେ। ପାକିସ୍ତାନ ଚାହୁଁଛି ଯେ ଭାରତରେ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ଫାଟ ବୃଦ୍ଧି ପାଉ, କିନ୍ତୁ ଆମେ ଏହା କେବେ ହେବାକୁ ଦେବୁ ନାହିଁ। ଭାରତ ବାହାବଲପୁରରେ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ସେମାନଙ୍କୁ ହତ୍ୟା କରିଥିଲା। ଆତଙ୍କବାଦୀଙ୍କ ଶେଷ ନମାଜ ଜଣେ ବ୍ୟକ୍ତି ପାଠ କରିଥିଲେ ଯାହାକୁ ଆମେରିକା ମଧ୍ୟ ଆତଙ୍କବାଦୀ ଘୋଷଣା କରିଛି। ବିଶ୍ୱ କ’ଣ ଏହା ଦେଖୁନାହିଁ? ପାକିସ୍ତାନର ଦୁଇ ଗୁଣିଆ ଚରିତ୍ର ଏବେ ସମସ୍ତଙ୍କ ସାମ୍ନାରେ।’