ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ୨୦୧୬ରେ ଯୁଗାନ୍ତକାରୀ ପଦକ୍ଷେପ ଆପଦ ମିତ୍ର ଯୋଜନା କାର୍ଯ୍ୟକାରୀ କରିଥିଲେ। ଯିଏ ତାଲିମପ୍ରାପ୍ତ, ମନ ଶରୀରକୁ ବିପର୍ଯ୍ୟୟ ପରିଚାଳନା, ପ୍ରସ୍ତୁତିରେ ପୂଣ୍ଣର୍ର୍ ଯୋଗଦାନ କରିବାକୁ ସଂକଳ୍ପବଦ୍ଧ ସିଏ ହେଉଛନ୍ତି ଆପଦମିତ୍ର ସ୍ବେଚ୍ଛାସେବୀ। ଆପଦମିତ୍ର ଯୋଜନା ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟଙ୍କ ସମନ୍ବୟରେ ଅଗ୍ରାଧିକାରଭିତ୍ତିରେ ଆପଦମିତ୍ର ତାଲିମ ଓ ନିୟୋଜନ ପଦକ୍ଷେପ ପ୍ରଶଂସନୀୟ। ତଥ୍ୟରୁ ଜଣାଯାଏ ଭାରତରେ ୨୩ଟି ରାଜ୍ୟରେ ୫୨୮୬ଜଣ ଆପଦମିତ୍ର ପ୍ରାଥମିକ ବା ପାଇଲଟ ପ୍ରକଳ୍ପରେ ଯୋଗଦାନ କରିଥିଲାବେଳ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶାର ଦୁଇଟି ଜିଲା ଯଥା- ପୁରୀ ଓ ଜଗତ୍ସିଂହପୁରରେ ମୋଟ ପ୍ରାୟ ୪୦୦ ଆପଦମିତ୍ର ସ୍ବେଚ୍ଛାସେବୀ କାର୍ଯ୍ୟ କରିଆସୁଛନ୍ତି।
ତେବେ ସାରା ଦେଶରେ ୩୫୦ ବହୁବିଧ ବିପର୍ଯ୍ୟୟ ପ୍ରବଣ ଜିଲାଗୁଡ଼ିକରେ ୧ ଲକ୍ଷ ଆପଦମିତ୍ର ସ୍ବେଚ୍ଛାସେବୀଙ୍କୁ ତାଲିମ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଅଦ୍ୟାବଧି ଓଡ଼ିଶାର ବନ୍ୟା, ବାତ୍ୟା, ଭୂମିକମ୍ପ, ଭୂସ୍ଖଳନ ପ୍ରବଣ ୧୬ଟି ଜିଲାରେ ୪୪୦୦ ଆପଦମିତ୍ର ସ୍ବେଚ୍ଛାସେବୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏହି ସ୍ବେଚ୍ଛାସେବୀମାନେ ଗୋଷ୍ଠୀସ୍ତରୀୟ ହୋଇଥିବାବେଳେ ସେମାନେ ମୁଖ୍ୟତଃ ବନ୍ୟା, ବାତ୍ୟା, ଭୂମିକମ୍ପ, ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମେତ ମନୁଷ୍ୟକୃତ ବିପର୍ଯ୍ୟୟ ସମୟରେ ଉଦ୍ଧାର, ପ୍ରାଥମିକ ଚିକିତ୍ସାରେ ସହାୟତା କରିବା, ବିପଦପୂଣ୍ଣର୍ର୍ ସ୍ଥାନରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା, ବିପର୍ଯ୍ୟୟ ପାଇଁ ପ୍ରସ୍ତୁତି ନିମନ୍ତେ ଲୋକଙ୍କୁ ସଚେତନ କରାଇବା, ଆଶ୍ରୟସ୍ଥଳୀରେ ଖାଦ୍ୟ ବଣ୍ଟନ, ରିଲିଫ ଯୋଗାଣ ଓ ଆଦେଶ ଅନୁପାଳନ ଆଦି ଅନେକ କାର୍ଯ୍ୟ କରିଆସୁଛନ୍ତି। ଆପଦମିତ୍ର ପାଇଲଟ ପ୍ରକଳ୍ପ ଅଧୀନରେ ଓଡ଼ିଶାର ପୁରୀ ଓ ଜଗତ୍ସିଂହପୁର ଜିଲାର ସ୍ବେଚ୍ଛାସେବୀମାନେ ବାତ୍ୟା ସମୟରେ ସ୍ବେଚ୍ଛାକୃତ ଦୃଢ଼ ମନୋବଳର ଦୃଷ୍ଟାନ୍ତ ସୃଷ୍ଟି କରି ଅଭିଜ୍ଞତା ହାସଲ କରିଛନ୍ତି।
୨୦୧୯ ବାତ୍ୟା ଫନି ସମୟର କଥା। ପୁରୀର ଆପଦମିତ୍ର ତନ୍ମୟ ଓ ତାଙ୍କ ସାଥୀ ସ୍ବେଚ୍ଛାସେବୀମାନେ ସେବା ଯୋଗାଉଥାନ୍ତି। ଏହି ସମୟରେ ବାତ୍ୟାପବନରେ ଗୋଟିଏ ବସ ଓଲଟି ଜଣେ ବ୍ୟକ୍ତିଙ୍କ ହାତ କଟି ଯାଇଥିବାର ଖବର ଆସିଲା। ତୁରନ୍ତ ସେହି ବ୍ୟକ୍ତିଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ସହିତ ତାଙ୍କୁ ନେଇଗଲେ ଡାକ୍ତରଖାନାକୁ। ଏହାବ୍ୟତୀତ କୋଭିଡ୍ ସମୟରେ ରୋଗୀଙ୍କ ଘରକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ, ଘରକୁ ଘର ବୁଲି ହାତଧୁଆ, ସାମାଜିକ ଦୂରତ୍ୱ, ସ୍ବଚ୍ଛତାର ମହତ୍ତ୍ୱ ବିଷୟରେ ସଚେତନ କରିବା ସହିତ ଆଶ୍ରୟସ୍ଥଳୀ ପରିଚାଳନାରେ ସହଯୋଗ, ବିପର୍ଯ୍ୟୟ ପରବର୍ତ୍ତୀ ଆବର୍ଜନା ସଫା, ରାସ୍ତଘାଟ ସଫା କରିବାରେ ଆପଦମିତ୍ର ସ୍ବେଚ୍ଛାସେବୀଙ୍କ ଭୂମିକା ଅବର୍ଣ୍ଣନୀୟ।
ଏମାନେ ବିନା ପାରିଶ୍ରମିକରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ଜରୁରୀ ସେବା ଯୋଗାଇବା ସହିତ ସେମାନଙ୍କ ଜୀବନ ରକ୍ଷା କରିଆସୁଛନ୍ତି।
୨୦୧୯ରେ ପୂର୍ବମହାରାଷ୍ଟ୍ରର ବାଦଲଫଟା ବର୍ଷାରେ ଫସିଥିବା ଜଣେ ମହିଳାଙ୍କୁ ସାପ କାମୁଡିଥିଲା । ଆପଦମିତ୍ର ବନ୍ଧୁମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା କରି ବିପଦମୁକ୍ତ କରାଇପାରିଥିଲେ। ସେହିପରି ୨୦୨୦ରେ ଉତ୍ତରପ୍ରଦେଶର ଗୋରଖପୁର ଜିଲାରେ ଏକ ଡଙ୍ଗାବୁଡ଼ି ଘଟଣାରେ ୧୦ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ଆପଦମିତ୍ର ସ୍ବେଚ୍ଛାସେବୀମାନେ। ସେହି ବର୍ଷ କେରଳର କୋଟାୟମ ବନ୍ୟାରେ ଜଳଘେରରେ ଥିବା ୯୫ ବର୍ଷୀୟ ବୃଦ୍ଧାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ମଜିସ, ସିନୁ, ମିଧୁନ, ଶ୍ରୀକ୍କୁଟନ ପ୍ରମୁଖ ଆପଦମିତ୍ର ସ୍ବେଚ୍ଛାସେବୀମାନେ। ଏମିତି ଅନେକ ଉଦାହରଣ ଅଛି, ଯାହା ପ୍ରମାଣିତ କରେ ଆପଦମିତ୍ରଙ୍କ ବଳିଷ୍ଠ ସ୍ବେଚ୍ଛାସେବୀ ମନୋଭାବ, ଦୃଢ଼ ଇଚ୍ଛାଶକ୍ତି, ଅଦମ୍ୟ ସାହସିକତା ଓ ଉସତ୍ର୍ଗୀକୃତ ସେବା ମନୋଭାବକୁ। ଏସବୁ ସତ୍ତ୍ୱେ ବିପଦ ସହିତ ଜରୁରୀ ପରିସ୍ଥିତିରେ ଯୁଝି ହେଉଥିବା ଆପଦମିତ୍ରମାନେ ଅନେକ ଆହ୍ବାନର ସମ୍ମୁଖୀନ ହୋଇ ଆସୁଛନ୍ତି। ଯେପରି କି ବିପତ୍ତି ସମୟରେ ଆବଶ୍ୟକୀୟ ସମ୍ବଳର ଉପଲବ୍ଧତା ତଥା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେମାନଙ୍କୁ ଦିଆଯାଇଥିବା କିଟ୍ର ପୁନଃନବୀକରଣ ଇତ୍ୟାଦି। ପରିଚୟ ପତ୍ର ନ ଥିବା କାରଣରୁ ଗଁାଗହଳି, ବିପର୍ଯ୍ୟୟ ସମୟରେ କାର୍ଯ୍ୟ କରିବାର ପ୍ରତିବନ୍ଧକକୁ ସାମ୍ନା କରିବା ସହିତ ଛଦ୍ମବେଶୀ ଆପଦମିତ୍ରଙ୍କ ଉପସ୍ଥିତିକୁ ଅଣଦେଖା କରାଯାଇ ନ ପାରେ। ତେବେ ପାଇଲଟ ପ୍ରକଳ୍ପ ସମୟରୁ କାର୍ଯ୍ୟ କରିଆସୁଥିବା ଆପଦମିତ୍ରମାନଙ୍କୁ ପରବର୍ତ୍ତୀ ସମୟରେ ଅନୁମୋଦିତ ସୁବିଧାସୁଯୋଗଗୁଡ଼ିକ ଉପଲବ୍ଧ କରାଇବା ଆବଶ୍ୟକ। ଏହାଛଡ଼ା ସେମାନଙ୍କୁ ଦୁର୍ଘଟଣାଜନିତ ବୀମା, ଆଶ୍ରୟସ୍ଥଳୀଗୁଡ଼ିକର ପରିଚାଳନା ଦାୟିତ୍ୱରେ ଅନ୍ତର୍ଭୁକ୍ତୀକରଣ, ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି କାର୍ଯ୍ୟରେ ପ୍ରମୁଖ ଭୂମିକା ପ୍ରଦାନ କରାଯିବା ଜରୁରୀ। ସେହିପରି ପ୍ରତିବର୍ଷ ନିୟମିତ ସମୟ ବ୍ୟବଧାନରେ ତାଲିମ, ମକଡ୍ରିଲ କରାଇ ତୃଣମୂଳସ୍ତରୀୟ ନେତୃବୃନ୍ଦ ଓ ବ୍ୟକ୍ତିବିଶେଷଙ୍କ ସହିତ ବାର୍ତ୍ତାଳାପ କରାଇବାର ସୁଯୋଗ ସୃଷ୍ଟି କରିବା ଉଚିତ। ଫଳରେ ସେମାନେ ପରସ୍ପରକୁ ଚିହ୍ନିବେ ଓ ଜରୁରୀ ସୂଚନା ଆଦାନ ପ୍ରଦାନ କରିପାରିବେ। ତା’ଛଡା ବିପର୍ଯ୍ୟୟ ସମୟରେ ଓ ପରେ ଦୁର୍ବଳତାର ସୁଯୋଗ ନେଇ ସମ୍ଭାବ୍ୟ ବା ଘଟୁଥିବା ଅନୈତିକ କାର୍ଯ୍ୟ, ଚାଲାଣ, ଚୋରି ଡକାୟତି, ପ୍ରଲୋଭିତ କରୁଥିବା ଦାଲାଲଙ୍କ ସମ୍ବନ୍ଧରେ ପୋଲିସକୁ ସୂଚନା ପ୍ରଦାନ ଦାୟିତ୍ୱ ସହିତ ମାସିକ ଭତ୍ତା କିମ୍ବା ସହଯୋଗର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଗଲେ ବିପର୍ଯ୍ୟୟ ସହ ଜଡ଼ିତ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା। ଏହାସହ ଦୀର୍ଘସ୍ଥାୟୀ ଅଭିଜ୍ଞତାସମ୍ପନ୍ନ ତଥା ସବୁ ବିପର୍ଯ୍ୟୟ ସମୟର ଦ୍ରୁତ ସାଥୀ ଆପଦମିତ୍ର ସ୍ବେଚ୍ଛାସେବୀ ସୃଷ୍ଟି କରାଯାଇପାରନ୍ତା।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ: ୯୪୩୮୪୩୨୦୨୩