ଦିଗପହଣ୍ଡି,୫ା୧୧(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ଠିକା କାମକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦ ଏବେ ହିଂସାକାଣ୍ଡରେ ପରିଣତ ହୋଇଛି। ବୁଧବାର ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ସରପଞ୍ଚ ପ୍ରିୟଙ୍କା ନାୟକଙ୍କ ସ୍ବାମୀ ଶ୍ୟାମ ନାୟକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ସେ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏଥିରେ ଅନ୍ୟ ଗୋଷ୍ଠୀର ମଧ୍ୟ ୪ ଜଣ ମନୋଜ ସାହୁ, କାଳୁ ଗୌଡ଼, ରାମକୃଷ୍ଣ ଗୌଡ଼ ଏବଂ ମନୋଜ ଗୌଡ଼ ଆହତ ହୋଇଛନ୍ତି। କେ.ନୂଆଗାଁ ପୋଲିସ ସହଦେବ ଟିକରପଡ଼ା ଗାଁରେ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛି। ଅଧିକ ଗଣ୍ଡଗୋଳ ଆଶଙ୍କାରେ ଥାନା ପକ୍ଷରୁ ଗୋଟିଏ ସେକ୍ସନ ଫୋର୍ସ ମୁତୟନ କରାଯାଇଛି। ସରପଞ୍ଚଙ୍କ ଏତଲାକ୍ରମେ ପୋଲିସ ୩୮୩/୨୫ରେ ଏକ ମାମଲା ରୁଜୁ କରିଛି।
ଖବରରୁ ଜଣାପଡିଛି ଗତ ପଞ୍ଚାୟତ ନିର୍ବାଚନ ପରେ ଗ୍ରାମାଞ୍ଚଳର ସମସ୍ତ ଉନ୍ନୟନ କାମ ଏମ୍ଜିଏନ୍ଆର୍ଇଜିଏସ୍ରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସରପଞ୍ଚ ପ୍ରିୟଙ୍କାଙ୍କ ସମର୍ଥକମାନେ ସେସବୁ କାମ ତଦାରଖ କରୁଥିଲେ। ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନଙ୍କ ସମର୍ଥକ କୁହାଯାଉଥିବା ମନୋଜ ସାହୁ ଓ ତାଙ୍କ ସହଯୋଗୀମାନେ କାମ ନ ପାଇବାରୁ କ୍ଷୁବ୍ଧ ହୋଇପଡ଼ିଥିଲେ। ସରପଞ୍ଚଙ୍କ ସମର୍ଥକ ଗୋଷ୍ଠୀ ଓ ପୂର୍ବତନ ଅଧ୍ୟକ୍ଷ ପ୍ରଧାନଙ୍କ ଗୋଷ୍ଠୀଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା। ୬ ମାସ ତଳେ ମନୋଜଙ୍କ ନେତୃତ୍ୱରେ ବାଲିପାଟ ଗ୍ରାମ ଶୈବପୀଠରେ ଏକ ସଭା ହୋଇ ସରପଞ୍ଚ ଏବଂ ତାଙ୍କ ସ୍ବାମୀ ଶ୍ୟାମଙ୍କୁ ବିରୋଧ କରିବାକୁ ନିଷ୍ପତ୍ତି ହୋଇଥିଲା। ମନୋଜଙ୍କ ସମର୍ଥକ କାଳୁ ସହଦେବ ଟିକରପଡ଼ା ଗ୍ରାମରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ରାସ୍ତା କାମ କରିବା ପାଇଁ ନାମଫଳକ ନିର୍ମାଣ କରି ମୋରମ ପକାଇଥିଲେ। ପଞ୍ଚାୟତର ବିନା ଅନୁମୋଦନରେ କରାଯାଉଥିବା ରାସ୍ତା କାମକୁ ଶ୍ୟାମ ବିରୋଧକରି ବିଡିିଓ ଅନାମିକା ପାଣ୍ଡେଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ସରପଞ୍ଚଙ୍କ ସମର୍ଥକମାନେ ଏହି ରାସ୍ତାକାମ କରିଥିଲେ। ସେହିପରି ମନୋଜଙ୍କ ସମର୍ଥକମାନେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କରୁଥିବା ବ୍ୟାଙ୍କ କୋଠା ନିର୍ମାଣରେ ଚଞ୍ଚକତା କରିଥିବା ନେଇ ଶ୍ୟାମ ବିଡ଼ିଓ ପାଣ୍ଡେଙ୍କ ନିକଟରେ ଅଭିଯୋଗ କରିଥିଲେ। ନିମ୍ନମାନର ପାଇଖାନା କରାଯାଇଥିବା ସହ ପୁଟି ନ ମାରି ରଙ୍ଗ କରାଯାଇଥିବା ନେଇ ଅଭିଯୋଗ କରିବା ପରେ ବିଡିଓ ସେମାନଙ୍କ ବିଲ୍ ବନ୍ଦ କରିଦେଇଥିଲେ।
ମନୋଜଙ୍କ ସମର୍ଥକ ସହଦେବ ଟିକରପଡ଼ା ଗ୍ରାମର ଗୋକର୍ଣ୍ଣେଶ୍ୱର ମନ୍ଦିରରେ ୨ ଲକ୍ଷ ଟଙ୍କା ବ୍ୟୟରେ କରୁଥିବା ଏକ କାମ ମଙ୍ଗଳବାର ସରିଥିଲା। ଗାଁ ଲୋକେ ଶ୍ରମଦାନ କରି ଏହି କାର୍ଯ୍ୟ କରିଥିଲେ। ବୁଧବାର ସକାଳେ ମନୋଜ ଗାଁକୁ ଯାଇ ଉକ୍ତ କାମର ଫଟୋ ଉଠାଇଥିଲେ। ସରପଞ୍ଚଙ୍କ ସମର୍ଥକମାନେ କାହିଁକି ଫଟୋ ଉଠାଉଛ କହି ତାଙ୍କୁ ଗାଳିଗୁଲଜ କରିଥିଲେ। ମନୋଜ ସେଠାରୁ ଯାଇ କାଳୁଙ୍କ ଦୋକାନ ସମ୍ମୁଖରେ ବସିଥିଲେ। ସରପଞ୍ଚଙ୍କ ସ୍ବାମୀ ଶ୍ୟାମ ସେଠାରେ ପହଞ୍ଚତ୍ ପଚାରିବାରୁ ତାଙ୍କୁ ମନୋଜ ଏବଂ ତାଙ୍କ ସମର୍ଥକମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଖବର ପାଇ ସରପଞ୍ଚଙ୍କ ସମର୍ଥକମାନେ ସେଠାରେ ପହଞ୍ଚତ୍ ମନୋଜ ଓ ଅନ୍ୟମାନଙ୍କୁ ପ୍ରତି ଆକ୍ରମଣ କରିବାରୁ ପରସ୍ପର ମଧ୍ୟରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଏ ସମ୍ପର୍କରେ ସରପଞ୍ଚ ପ୍ରିୟଙ୍କାଙ୍କୁ ପଚାରିବାରୁ ସେ କହିଲେ, ମୁଁ ଓ ମୋ ସ୍ବାମୀ ସମର୍ଥକଙ୍କ ସହ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିବା ବେଳେ ସେମାନେ ଆସି ଆମକୁ ଆକ୍ରମଣ କରିଥିଲେ। ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗିଛି। ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କେ.ନୂଆଗାଁ ଥାନା ଆଇଆଇସି କିଶୋର ସାମଲ କହିଛନ୍ତି। ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୭ରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ବିଡିଓ ଦିଗପହଣ୍ଡି ଥାନାକୁ ଜଣାଇବା ପରେ ପୋଲିସ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ଉଭୟ ଗୋଷ୍ଠୀଙ୍କୁ ଘଉଡାଇଥିଲା।