ବାଲୁଗାଁରେ ଗୋଷ୍ଠୀ ସଂଘର୍ଷ: ପୋଡ଼ିଦେଲେ ବାଇକ୍‌, ୫ରୁ ଊର୍ଦ୍ଧ୍ୱ ଆହତ

ଖୋର୍ଦ୍ଧା/ବାଲୁଗାଁ,୮ା୩(ପ୍ରଭାତ ପାଣିଗ୍ରାହୀ/ସଂଗ୍ରାମ ପାଇକରାୟ): ଶୁକ୍ରବାର ବିଳମ୍ବିତ ରାତ୍ରିରେ ବାଲୁଗାଁ ବଜାରସ୍ଥିତ ଦୁଇଟି ସାହି ବାସିନ୍ଦାଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ଏଥିରେ ୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ବେଳେ ଘଟଣାସ୍ଥଳରୁ ୨ଟି ଜଳିଯାଇଥିବା ବାଇକ୍‌କୁ ପୋଲିସ ଜବତ କରିଛି। ଖବର ନେବାରେ ଜଣାଯାଇଛି, ଶୁକ୍ରବାର ବିଳମ୍ବିତ ରାତିରେ ସଂଖ୍ୟା ଲଘୁ ସମ୍ପ୍ରଦାୟ ଜଣେ ବ୍ୟକ୍ତିଙ୍କ ଗୃହ ନିର୍ମାଣ ପାଇଁ ମାଟି ବୋଝେଇ ଟ୍ରାକ୍ଟର ନିକଟସ୍ଥ ଅନ୍ୟ ଏକ ସାହି ଦେଇ ଯାଉଥିଲା। ତେବେ ବାରମ୍ବାର ଗାଡ଼ି ଯାତାୟାତ ଯୋଗୁ ନିଦ୍ରାରେ ବ୍ୟାହତ ହେବା କାରଣରୁ ଉକ୍ତ ସାହିର କିଛି ବ୍ୟକ୍ତି ରାତ୍ରିରେ ମାଟି ନ ପକାଇବା ପାଇଁ ବାରଣ କରିଥିଲେ। ଖବର ପାଇ ସଂଖ୍ୟା ଲଘୁ ସାହିର କିଛି ବ୍ୟକ୍ତି ପହଞ୍ଚି ଯିବାରେ ପ୍ରଥମେ ବଚସା ଏବଂ ପରେ ସଂଘର୍ଷର ରୂପ ନେଇଥିଲା। ଉଭୟ ପକ୍ଷରୁ ପଥର ଓ ଠେଙ୍ଗାମାଡ଼ ଫଳରେ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ। ଖବର ପାଇ ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡ଼ା ଏବଂ ଏସ୍‌ଡିପିଓ ଓ ସଞ୍ଜୟ କୁମାର ପଟ୍ଟନାୟକ ସଦଳେବେଳେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ଶନିବାର ସକାଳୁ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ବେଳେ ଘଟଣାସ୍ଥଳରେ ୪ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି।