ପ୍ରକୃତି ସୁରକ୍ଷାର ପ୍ରତିବଦ୍ଧତା

ଆଣ୍ଡ୍ରିଆ ମେଜା

ଚଳିତ ବର୍ଷ କୋଷ୍ଟାରିକା ସ୍ବାଧୀନତାର ୨୦୦ ବର୍ଷ ପୂର୍ତ୍ତି ପାଳନ କରୁଛି। ପୂର୍ବଜଙ୍କୁ ସମ୍ମାନ ଦେବା ଓ ପରପିଢିଙ୍କ ସମ୍ପର୍କରେ ଚିନ୍ତା କରିବାର ଏହା ଏକ ସୁଯୋଗ। ଏହାକୁ ପାଳନ କରିବା ଲାଗି ଆମେ ମଧ୍ୟ ବିଶ୍ୱ ସମୁଦାୟକୁ ଆମନ୍ତ୍ରଣ କରୁଛୁ। ଯେଉଁମାନେ କୋଷ୍ଟାରିକା ଆସିପାରିବେ ନାହିଁ କି ଆମ ସହ ଭାଗ ନେଇପାରିବେ ନାହିଁ, ସେମାନେ ଜୀବନର ଉତ୍ସ ଭୂଭାଗ ଓ ମହାସାଗର ସୁରକ୍ଷା ଲାଗି ଏହାକୁ ପାଳନ କରିବା ଉଚିତ। ବିଶେଷକରି ବିଭିନ୍ନ ଦେଶର ସରକାର, ବ୍ୟବସାୟିକ ସଂସ୍ଥା, ଗୋଷ୍ଠୀ ସମୁଦାୟ ଏବଂ ବ୍ୟକ୍ତିମାନେ ୨୦୩୦ ସୁଦ୍ଧା ଭୂଭାଗ ଓ ମହାସାଗରର ଅତିକମ୍‌ରେ ୩୦% ସଂରକ୍ଷଣ ପାଇଁ ପ୍ରତିବଦ୍ଧତା ପ୍ରକାଶ କରିବା ଦରକାର। ଏହାକୁ ‘୩୦x୩୦’ ଲକ୍ଷ୍ୟ ଭାବେ ସୂଚିତ କରାଯାଇଛି। ପ୍ରକୃତିର ବିନାଶକାରୀ କ୍ଷତି ରୋକିବା ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ଏହି ଲକ୍ଷ୍ୟ ସଂରକ୍ଷଣର ସର୍ବନିମ୍ନ ସ୍ତର ବୋଲି ବୈଜ୍ଞାନିକମାନେ ନିର୍ଦ୍ଧାରଣ କରିଛନ୍ତି। କିନ୍ତୁ ୩୦x୩୦ ଲକ୍ଷ୍ୟ ଆପଣାଛାଏଁ ହାସଲ ହୋଇପାରିବ ନାହିଁ। ଏଥିପାଇଁ ସମୟ ଲାଗିବ ଓ ଅର୍ଥ ଆବଶ୍ୟକ ହେବ ଏବଂ ଏହା ଉପରେ ଧ୍ୟାନ ଦେବାକୁ ପଡ଼ିବ । ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି, ଜୀବ ଉଦ୍ଭିଦର ପ୍ରାକୃତିକ ଭଣ୍ଡାରରେ ଭରା ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡ଼ିକର ସୁରକ୍ଷା ଓ ସଂରକ୍ଷଣ ଲୋଡ଼ା। ଲୋପପାଇଯାଉଥିବା ଓ ଅତ୍ୟନ୍ତ ସଙ୍କଟରେ ଥିବା ଜୀବଜନ୍ତୁଙ୍କୁ ଉଦ୍ଧାର କରି ଏହି ଲକ୍ଷ୍ୟ ହାସଲ କରିବାକୁ ହେବ ବୋଲି ସେମାନେ କହିଛନ୍ତି। ଏଥିପାଇଁ ପ୍ରକୃତିକୁ ନଷ୍ଟ କରୁଥିବା କାର୍ଯ୍ୟକଳାପଗୁଡ଼ିକ ପାଇଁ ସବ୍‌ସିଡି ବାବଦରେ ସରକାର ଯାହା ବ୍ୟୟ କରୁଛନ୍ତି ତାହାର ଏକ ତୃତୀୟାଂଶରୁ କମ୍‌ ଅର୍ଥ ଆବଶ୍ୟକ ହେବ। ଉତ୍ସାହଜନକ ଯେ, ନିକଟରେ ସମାଜର ମଙ୍ଗଳ ଲାଗି କାର୍ଯ୍ୟରତ ୯ଟି ସଂସ୍ଥା ‘୩୦x୩୦’ ପାଇଁ ୫ ବିଲିୟନ ଡଲାର ଦେବା ଲାଗି କଥା ଦେଇଛନ୍ତି। ପ୍ରକୃତି ସୁରକ୍ଷା ସକାଶେ ଏହା ସବୁଠୁ ବଡ଼ ଦାନ । ଅନ୍ୟମାନେ ସେମାନଙ୍କ ପଥ ଅନୁସରଣ କରିବା ଆବଶ୍ୟକ। ୧୯୭୦ ପରଠାରୁ ପୃଥିବୀର ବନ୍ୟ ଜୀବଜନ୍ତୁଙ୍କ ମଧ୍ୟରୁ ୬୦ % ଲୋପ ହୋଇଯାଇଛି। ବିଶ୍ୱର ସମସ୍ତ ମତ୍ସ୍ୟ ସମ୍ପଦର ପ୍ରାୟ ଏକ ତୃତୀୟାଂଶ ଆମେ ଅନିୟନ୍ତ୍ରିତ ଭାବେ ଉପଯୋଗ କରିସାରିଛୁ। କେବଳ ଏତିକି ନୁହେଁ, ପ୍ରାକୃତିକ ଅଞ୍ଚଳଗୁଡ଼ିକୁ ଧ୍ୱଂସ କରିବା ଦ୍ୱାରା ପ୍ରଚୁର ସବୁଜ ଗୃହ ବାଷ୍ପ ନିର୍ଗମନ ହେଉଛି ଓ ତାହା ଜଳବାୟୁ ପରିବର୍ତ୍ତନର କାରଣ ପାଲଟିଛି।
ବିଶେଷକରି କୋଭିଡ୍‌-୧୯ ମହାମାରୀ ଯୋଗୁ ଦେଶଗୁଡ଼ିକ ଆଥିର୍ର୍କ ମାନ୍ଦାବସ୍ଥାରେ ଥିବାବେଳେ ପ୍ରକୃତିର ସୁରକ୍ଷା ଲାଗି ଆବଶ୍ୟକ ଖର୍ଚ୍ଚ ସେମାନଙ୍କ ପାଇଁ ଅଧିକ ହୋଇପାରେ।
ଏହା ମଧ୍ୟ ସତ। କିନ୍ତୁ ଏହି ଖର୍ଚ୍ଚ ପରିମାଣ ବିଶ୍ୱର ମୋଟ ଘରୋଇ ଉପତ୍ାଦ (ଜିଡିପି)ର ୧ ପ୍ରତିଶତରୁ କମ୍‌। ୨୦୧୯ରେ ଜିଡିପି ପାଖାପାଖି ୮୭ ଟ୍ରିଲିୟନ ଡଲାର ଥିଲା। ଏହି ବ୍ୟୟ ମଧ୍ୟ ୨୦୨୦ରେ ବିଶ୍ୱରେ ପ୍ରତିରକ୍ଷା ବାବଦ ଖର୍ଚ୍ଚ ୨ ଟ୍ରିଲିୟନ ଡଲାରର ଏକ ତୃତୀୟାଂଶରୁ ଅଳ୍ପ ବେଶି। ତେବେ ଗୁରୁତ୍ୱପୂର୍ଣ୍ଣ ଜୈବବ୍ୟବସ୍ଥା ସୁରକ୍ଷା ବିଫଳତାରୁ ଅର୍ଥ ବ୍ୟବସ୍ଥାରେ ହେବାକୁ ଥିବା କ୍ଷତିର ମାତ୍ର କିଛି ଅଂଶ ହେବ ଏହି ବ୍ୟୟ ପରିମାଣ । ତେବେ ଆବଶ୍ୟକ ଅର୍ଥ ପାଇଁ ସମାଜର ମଙ୍ଗଳ କାର୍ଯ୍ୟରେ ଜଡ଼ିତ ସଂସ୍ଥାଗୁଡ଼ିକ ଉପରେ କେବଳ ନିର୍ଭର କରିପାରିବା ନାହିଁ। ବୈଶ୍ୱିକ ନିବେଶ ଦରକାର ଏବଂ ଏହା ମିଳିତ ଭାବେ ସରକାରୀ ଓ ବେସରକାରୀ ସ୍ତରରେ ବଢାଇବାକୁ ପଡ଼ିବ। ବିଶେଷକରି ଜି୭ ଦେଶଗୁଡ଼ିକ ଯେଭଳି ପାଣ୍ଠି ଯୋଗାଇ ଦେବାକୁ ସଙ୍କଳ୍ପ ନେଉଛନ୍ତି, ସେମିତି ପ୍ରତ୍ୟେକ ଦେଶ ତା’ ଭାଗ ଦେବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିବା ଉଚିତ। ପ୍ରକୃତିର ସୁରକ୍ଷା ବଦଳରେ ଏହାର କ୍ଷତିକରୁଥିବା ସବ୍‌ସିଡିଗୁଡ଼ିକୁ ଧୀରେ ଧୀରେ ଶେଷ କରି ବିଭିନ୍ନ ଦେଶର ସରକାର ଅତିରିକ୍ତ ସଂସାଧନଗୁଡ଼ିକୁ କଟକଣା ମୁକ୍ତ କରିପାରିବେ।
ପ୍ରକୃତରି ସୁରକ୍ଷା ଲାଗି ଆବଶ୍ୟକ ପାଣ୍ଠିର ଏକ ସଂହଭାଗ ବିଶ୍ୱର ଜୈବ ବିବିଧତାରେ ଭରପୂର ନିମ୍ନ ଆୟକରୀ ଦେଶଗୁଡ଼ିକୁ ଦିଆଯିବା ଉଚିତ। ଏଠାରେ କୋଷ୍ଟାରିକାର ଦୃଷ୍ଟାନ୍ତ ନିଆଯାଉ। ଏହାର ଭୂଭାଗ ପୃଥିବୀ ସ୍ଥଳଭାଗର ମାତ୍ର ୦,୦୩%, କିନ୍ତୁ ବିଶ୍ୱର ମୋଟ ଜୈବ ବିବିଧତାର ୫% ଏଠାରେ ଉପଲବ୍ଧ। ପୁନଶ୍ଚ ଆଦିବାସୀ ଲୋକମାନଙ୍କର ଏବଂ ସ୍ଥାନୀୟ ସମୁଦାୟର ଭୂୂମିଗତ ଅଧିକାର ସୁରକ୍ଷା ପାଇଁ ଉପଯୁକ୍ତ ପାଣ୍ଠିର ବ୍ୟବସ୍ଥା କରାଯିବା ଉଚିତ। ଏମାନେ କମ୍‌ ବ୍ୟବସ୍ଥା ଓ କମ୍‌ ଖର୍ଚ୍ଚରେ ପ୍ରକୃତିର ସୁରକ୍ଷା ଓ ସଞ୍ଚାଳନ କରିଥାଆନ୍ତି।
ଆମେ ଯଦି ନିବେଶ କରିବା ତେବେ ପ୍ରତିବଦଳରେ ପ୍ରକୃତି ଆମକୁ ଅନେକ ଥର ବହୁତ କିଛି ଦେବ। ୨୦୩୦ ସୁଦ୍ଧା ସମଗ୍ର ଭୂଭାଗ ଓ ମହାସାଗରର ୩୦% ସୁରକ୍ଷା କରାଯିବା ସହ ଜଙ୍ଗଲ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରାଯାଇପାରିଲେ ଖର୍ଚ୍ଚ ଅତି କମ୍‌ରେ ୫:୧ ଅନୁପାତରେ ଅଧିକ ହେବାର ସମ୍ଭାବନା ରହିବ। ପ୍ରକୃତି ଉପଯୋଗୀ କାର୍ଯ୍ୟକଳାପଗୁଡ଼ିକ ଉପରେ କୋଷ୍ଟାରିକାର ଅର୍ଥ ବ୍ୟବସ୍ଥା ଅଧାରିତ। ଜଙ୍ଗଲ ସଂରକ୍ଷଣ, ଅକ୍ଷୟ ବିଦ୍ୟୁତ ଉପତ୍ାଦନ ଏବଂ ଜୈବ ବିବିଧତା ସୁରକ୍ଷାକୁ ଏହା ଗୁରୁତ୍ୱ ଦେଇଛି। ୧୯୬୦ ପରଠାରୁ ଏହା ଜଙ୍ଗଲ କ୍ଷୟକୁ ରୋକିଛି ଏବଂ ଧ୍ୱଂସ ପାଇଥିତ୍ବା ଜଙ୍ଗଲ ସମ୍ପଦ ପୁଣି ଫେରାଇଆଣିଛି। ଏହି ସମୟ ମଧ୍ୟରେ ତା’ର ଅର୍ଥ ବ୍ୟବସ୍ଥା ବାସ୍ତବରେ ୨୫୦% ପାଖାପାଖି ବୃଦ୍ଧିପାଇଛି। ଏବେ କୋଷ୍ଟାରିକା ପାଖରେ ତା’ ଭୂଭାଗର ୨୬%ରୁ ଅଧିକରେ ଜାତୀୟ ଉଦ୍ୟାନ ଓ ସଂରକ୍ଷିତ ଅଞ୍ଚଳଗୁଡ଼ିକ ଶୋଭାପାଉଛି। ପ୍ରଥମ ଥର ପାଇଁ କୋଷ୍ଟାରିକା ଆର୍ଥଶଟ୍‌ ପୁରସ୍କାର ପାଇଛି। ଭୂଭାଗରେ ହାସଲ କରିଥିବା ସଫଳତାକୁ ମହାସାଗରରେ ଦେହରାଇବାକୁ ଏହା ଆମକୁ ପ୍ରେରିତ କରିବ । ଏ ଦିଗରେ ବି ଆମେ ଆଗକୁ ବଢିଲୁଣି। ଆମ ସମୁଦ୍ର ସୀମା ମଧ୍ୟରେ ସୁରକ୍ଷିତ ଥିବା ୩%ରୁ କମ୍‌ ଅଞ୍ଚଳକୁ ପାଖାପାଖି ୩୦%କୁ ସମ୍ପ୍ରସାରିତ କରିବା ଲାଗି ଚଳିତ ବର୍ଷ ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ୟାରିସ ଜଳବାୟୁ ବୁଝାମଣା ଅନୁଯାୟୀ ୨୦୨୦ର ଜାତୀୟ ନିର୍ଦ୍ଧାରିତ ଯୋଗଦାନ ସଂକଳ୍ପକୁ ଆଧାର କରି ଏହା କରାଯାଇଛି। ମୁଁ ମଧ୍ୟ ଅଫିସ୍‌ ଛାଡ଼ିବା ପୂର୍ବରୁ ଏଭଳି ବ୍ୟାପକ ସମ୍ପ୍ରସାରଣ ହାସଲ କରିବାକୁ ଲକ୍ଷ୍ୟ ରଖିଛି।
‘୩୦x୩୦’ ଲକ୍ଷ୍ୟ ହାସଲ ଏବେ ଜୋର ଧରୁଛି। କୋଷ୍ଟାରିକା, ଫାନ୍ସ ଏବଂ ଇଂଲଣ୍ଡ ନେତୃତ୍ୱରେ ହାଇ ଆମ୍ବିଶନ କୋଆଲିସନ ଫର୍‌ ନେଚର ଆଣ୍ଡ ପିପୁଲ ଅଭିଯାନ ଆଗକୁ ବଢିଛି ଓ ‘୩୦x୩୦’ଲକ୍ଷ୍ୟ ସମର୍ଥନରେ ୭୦ରୁ ଅଧିକ ଦେଶର ସମର୍ଥନ ପାଇପାରିଛି। ନିକଟରେ ଗ୍ଲୋବାଲ ବାୟୋଡାଇଭର୍ସିଟି ଫ୍ରେମଓ୍ବର୍କର ଚିଠାରେ ‘୩୦x୩୦’ ଲକ୍ଷ୍ୟ ଏକ ପ୍ରମୁଖ ବିଷୟ ହୋଇଛି। ୨୦୨୨ରେ ଚାଇନାର କୁନ୍‌ମିଙ୍ଗ୍‌ରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘର ବାୟୋଲୋଜିକାଲ ଡାଇଭର୍ସିଟି ସମ୍ମିଳନୀ( ସିବିଡି କପ୍‌୧୫) ରେ ଏ ସମ୍ପର୍କରେ ଚୂଡାନ୍ତ କରାଯିବ ବୋଲି ସ୍ଥିର କରାଯାଇଛି। କହିବାଠାରୁ କାମ କରିବା ବଡ଼। ସରକାର, ଫାର୍ମ ଏବଂ ସବୁ ସମାଜ ‘୩୦x୩୦’ ଲକ୍ଷ୍ୟ ହାସଲ କରିବା ସକାଶେ ଆବଶ୍ୟକ ଆର୍ଥିକ ସଂସାଧନଗୁଡ଼ିକ ପ୍ରତି ସମର୍ପିତ ହେବା ଉଚିତ। ଆମର ସବୁ ମଧୁରଜଳ, ଖାଦ୍ୟ, ବିଶୁଦ୍ଧ ବାୟୁ ଏବଂ ଓ୍ୟଷଧ ଓ ଶିଳ୍ପ ପାଇଁ ପାରମ୍ପରିକ ସଂସାଧନର ସର୍ବଶ୍ରେଷ୍ଠ ଉତ୍ସ ପ୍ରକୃତି। ଏହା ବିପଜ୍ଜନକ ରୋଗ ସୃଷ୍ଟିକାରୀ ଭୂତାଣୁୁକୁ ଆୟତ୍ତ କରେ , ଭୂୂପୃଷ୍ଠରେ କାର୍ବନ ନିୟନ୍ତ୍ରଣ କରିବା ସହ ସବୁଜ ନିଯୁକ୍ତି ସୃଷ୍ଟି କରେ। ମାନବ ସୃଜନତା,ଆଧ୍ୟାମ୍‌ତ୍କତା ଏବଂ ମାନସିକ ସ୍ବାସ୍ଥ୍ୟର ଏହା ଏକ ଅଦ୍ୱିତୀୟ ଉତ୍ସ। ମାନବତା ପ୍ରକୃତିରେ ନିହିତ। ପ୍ରକୃତିକୁ ନଷ୍ଟ କଲେ ନିଜକୁ ରକ୍ଷା କରିବା ଅସମ୍ଭବ। ଏହାକୁ ନଷ୍ଟ କରିବାରେ ଆମେ ଯେଭଳି ସକ୍ଷମ ସେଭଳି ଏହାର ସୁରକ୍ଷା ମଧ୍ୟ ଆମର ଉତ୍ତରଦାୟିତ୍ୱ। ତେବେ ଆସନ୍ତୁ ଆମେ ସମସ୍ତେ ନିଷ୍ପତ୍ତି ନେବା ଓ ବିଳମ୍ବ ହେବା ପୂର୍ବରୁ ଏହି ଦାୟିତ୍ୱ ପୂରଣ କରିବା ପାଇଁ ଆବଶ୍ୟକ ଫଣ୍ଡ୍‌ରେ ନିବେଶ କରିବା ।
ପରିବେଶ ଓ ଶକ୍ତି ମନ୍ତ୍ରୀ, କୋଷ୍ଟାରିକା