ବୋଗୋଟା,୮।୬: କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କୁ ଏଠାରେ ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ସମୟରେ ଗୁଳି କରାଯାଇଛି। ଏହି ଆକ୍ରମଣରେ ଉରିବେ ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡରେ ମଧ୍ୟ ଗୁଳି ବାଜିଛି। ଏହା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁ ଆଇସିୟୁରେ ରଖାଯାଇଛି।
ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଉରିବେ ଏକତ୍ରିତ ହୋଇଥିବା ଲୋକଙ୍କ ସମ୍ମୁଖରେ ଭାଷଣ ଦେଉଥିବା ସମୟରେ ହଠାତ ଗୁଳି ଫୁଟିବା ଶବ୍ଦ ଶୁଣାଯାଉଛି। ଏହା ପରେ, ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖାଯାଆନ୍ତି। ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଉଛନ୍ତି। କୁହାଯାଉଛି ଯେ ତାଙ୍କ ମୁଣ୍ଡରେ ଦୁଇଟି ଗୁଳି ବାଜିଛି। ଗୁଳି ଚଳାଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଅତି କମରେ ଗୋଟିଏ ଗୁଳି ସେନେଟରଙ୍କ ବେକ କିମ୍ବା ମୁଣ୍ଡରେ ବାଜିଛି। ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋଙ୍କ ସରକାର କହିଛନ୍ତି ଯେ ଏହା ରାଜଧାନୀର ପଶ୍ଚିମରେ ଏକ ପ୍ରଚାର କାର୍ଯ୍ୟକ୍ରମ ସମୟରେ ଉରିବେଙ୍କ ଉପରେ ହୋଇଥିବା ଆକ୍ରମଣକୁ “ସ୍ପଷ୍ଟ ଏବଂ ଦୃଢ଼” ନିନ୍ଦା କରେ। ସେହିଭଳି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ ଏହି ହିଂସାକାଣ୍ଡ କେବଳ ତାଙ୍କ ବ୍ୟକ୍ତିତ୍ୱ ବିରୁଦ୍ଧରେ ନୁହେଁ, ବରଂ ଗଣତନ୍ତ୍ର, ଚିନ୍ତାଧାରାର ସ୍ବାଧୀନତା ଏବଂ କଲମ୍ବିଆରେ ରାଜନୀତିର ବୈଧ ଅଭ୍ୟାସ ବିରୁଦ୍ଧରେ ମଧ୍ୟ ଏକ ଆକ୍ରମଣ।
ପେଟ୍ରୋଙ୍କ ଜଣେ କଠୋର ସମାଲୋଚକ ଉରିବେ ଡେମୋକ୍ରାଟିକ ସେଣ୍ଟର ପାର୍ଟିର ସଦସ୍ୟ, ଯିଏ ଗତ ଅକ୍ଟୋବରରେ ୨୦୨୬ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ତାଙ୍କର ଇଚ୍ଛା ପ୍ରକାଶ କରିଥିଲେ।