ପୁରୁଷବନ୍ଧୁଙ୍କ ଆଗରେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା: ୧୦ ଜଣଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର/ବ୍ରହ୍ମପୁର,୧୭ା୬ (ନବୀନ ରାଜ୍‌ ଆଚାରୀ):ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ପର୍ଯ୍ୟଟନସ୍ଥଳରେ ରବିବାର ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ପୁରୁଷବନ୍ଧୁଙ୍କ ଆଗରେ ଗଣବଳାତ୍କାର କରାଯାଇଥିବା ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଏଭଳି ସମ୍ବେଦନଶୀଳ ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇଛି। ବେଳାଭୂମି ଅଞ୍ଚଳରେ ଚଢାଉ କରି ଘଟଣାରେ ସମ୍ପୃକ୍ତ ୧୦ ଜଣଙ୍କୁ କାବୁ କରିଛି। ସେମାନଙ୍କୁ ଥାନାରେ ଅଟକ ରଖି ଜେରା ଚାଲିଛି। ସୋମବାର ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ. ଥାନାରେ ପହଞ୍ଚି ତଦନ୍ତ କରିଛନ୍ତି। ଘଟଣାର ଠିକ ତଦନ୍ତ ପାଇଁ ଜଣେ ମହିଳା ଡିଏସ୍‌ପି ର଼୍ୟାଙ୍କର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସାରେ ଏସ୍‌ପି, ସାଇଣ୍ଟିଫିକ ଟିମ୍‌, ଥାନାଧିକାରୀ ଓ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ବ୍ରହ୍ମପୁର ଅଞ୍ଚଳର ଏକ ସରକାରୀ ମହାବିଦ୍ୟାଳୟରେ ପଢ଼ୁଥିବା ଅନ୍ୟ ଏକ ଜିଲାର ଛାତ୍ରୀ ରବିବାର ସନ୍ଧ୍ୟାରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିଲେ। ଉଭୟେ ଏକ ନିଛାଟିଆ ସ୍ଥାନରେ ବସିଥିଲେ। ସନ୍ଧ୍ୟା ପ୍ରାୟ ୭ଟାରେ ୩ଟି ବାଇକ୍‌ରେ ୧୦ଜଣ ଯୁବକ ସେଠାରେ ପହଞ୍ଚତ୍ ପ୍ରଥମେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରିିଥିଲେ। କେତେଜଣ ତାଙ୍କୁ ଅଟକାଇ ରଖିଥିବା ବେଳେ ଆଉ କେତେଜଣ ଯୁବକ ଛାତ୍ରୀଙ୍କୁ ସେଠାରୁ ଉଠାଇ ନେଇ ଗଣବଳାତ୍କାର କରିଥିଲେ। ପରେ ପୁରୁଷ ବନ୍ଧୁଙ୍କଠାରୁ ଫୋନ ପେ’ ମାଧ୍ୟମରେ କିଛି ଟଙ୍କା ନେଇ ବିଭିନ୍ନ ଧମକ ଦେଇ ଚାଲି ଯାଇଥିଲେ। ଏ ନେଇ ପୀଡ଼ିତା ଛାତ୍ରୀ ଓ ପୁରୁଷ ବନ୍ଧୁ ଗୋପାଳପୁର ଥାନାରେ ଜଣାଇଥିଲେ। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ପିଛା କରିଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦ ଯୁବକଙ୍କୁ ଉଠାଇ ନେଇଛି। ସେମାନେ ଏକ କଲେଜର ଛାତ୍ର ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଗତ ୬ ମାସ ମଧ୍ୟରେ ଗୋଳନ୍ଥରା ଓ ଗୋପାଳପୁର ଥାନା ଅଞ୍ଚଳରେ ଏହା ତୃତୀୟ ବଳାତ୍କାର ଘଟଣା। ଗତ ଜାନୁଆରୀରେ ଗୋପାଳପୁର ଥାନା ଅଞ୍ଚଳରେ ଜଣେ ୪ବର୍ଷର ଶିଶୁ କନ୍ୟାଙ୍କୁ ବସ ଭିତରେ ବଳାତ୍କାର କରାଯାଇଥିଲା। ଏହି ଘଟଣାରେ ପୋଲିସ ଉକ୍ତ ବସ୍‌ର ଡ୍ରାଇଭର ଓ ହେଲ୍‌ପରଙ୍କୁ ଗିରଫ କରିଛି। ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ସେହିପରି ଗତ ୩ ତାରିଖରେ ଗୋଳନ୍ଥରା ଥାନା ଅଞ୍ଚଳରେ ୨ ନାବାଳିକା ଭଉଣୀଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହି ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ବେଳାଭୂମି ସମେତ ଅଞ୍ଚଳରେ ପାଟ୍ରେଲିଂ କଡ଼ାକଡି କରାଯାଉ ନ ଥିବା ଅଭିଯୋଗ ହେଉଛି।

Share