ବାଲୁଗାଁ, ୧୨ା୨(ସଂଗ୍ରାମ ପାଇକରାୟ): ଖୋର୍ଦ୍ଧା ଜିଲା ବାଲୁଗାଁ କଲେଜର ଜଣେ ଛାତ୍ରୀ ବୁଧବାର ପରୀକ୍ଷା ଦେବା ପାଇଁ ଆସିଥିବା ବେଳେ ହଠାତ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କର ଅସ୍ବାଭାବିକ ଭାବେ ମୃତ୍ୟୁ ଘଟିଛି। ସେ ହେଲେ ସସ୍ମିତା ସାମନ୍ତରାୟ (୧୯) ଓ ତାଙ୍କ ଘର ସ୍ଥାନୀୟ ରାହାଣବେଲି ଗ୍ରାମରେ ବୋଲି ଜଣାପଡିଛି। ଏହି ଦୁଃଖଦ ଘଟଣା ମହାବିଦ୍ୟାଳୟ କର୍ତ୍ତୃପକ୍ଷ, ଛାତ୍ରୀଛାତ୍ର ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳାଇଦେଇଛି।
ସୂଚନା ଅନୁଯାୟୀ, ସସ୍ମିତା ଯୁକ୍ତ୩ କଳା ବିଭାଗର ଫିଲୋସଫି ଅନର୍ସ ଛାତ୍ରୀ ଭାବେ ଅଧ୍ୟୟନ କରୁଥିଲେ। ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟାରେ କଲେଜରେ ପରୀକ୍ଷା ଆରମ୍ଭ ହେବାକୁ ଥିଲା। ସସ୍ମିତା ସକାଳ ପ୍ରାୟ ୯ଟାରେ କଲେଜରେ ପହଞ୍ଚି କମନ୍ରୁମ୍ରେ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ। ଖବର ପାଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଅଧ୍ୟାପିକାମାନେ ପହଞ୍ଚତ୍ ତାଙ୍କୁ ବାଲୁଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଖବର ପାଇ ପରିବାର ଲୋକେ ପହଞ୍ଚତ୍ ଗୁଣିଗାରେଡ଼ି ସନ୍ଦେହରେ ଝିଅକୁ ଆମ୍ବୁଲାନ୍ସରେ ନେବା ପରିବର୍ତ୍ତେ ସ୍ଥାନୀୟ କୌଣସି ସ୍ଥାନକୁ ନେଇ ଝଡ଼ାଫୁଙ୍କା କରିଥିଲେ। କିନ୍ତୁ ସୁଫଳ ନ ମିଳିବାରୁ ପୁନର୍ବାର ଡାକ୍ତରଖାନାକୁ ଆଣି ୧୦୮ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ନେଇଥିଲେ। ତେବେ ସେଠାରେ ପହଞ୍ଚିବା ପୂର୍ବରୁ ଛାତ୍ରୀଙ୍କ ଜୀବନ ଚାଲିଯାଇଥିଲା। ସସ୍ମିତା ଜଣେ ମେଧାବୀ ଛାତ୍ରୀ ଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ପୁରସ୍କୃତ ହୋଇଥିଲେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି l ତେବେ ତାଙ୍କର ହଠାତ ଅସ୍ବାଭାବିକ ମୃତ୍ୟୁକୁ ସହଜରେ କେହି ବିଶ୍ୱାସ କରିପାରୁନାହାନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି।