ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ ଋଷିକୁଲ୍ୟା ଜ଼ିଲା ପରିଷଦ ସମ୍ମିଳନୀ କକ୍ଷଠାରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧୀନରେ ଆସୁଥିବା ଜିଲାର ଜ଼ିଲାପାଳମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ବର୍ଷକ ମଧ୍ୟରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ଯାଇ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ସର୍ଭେ, ବାଲଟ ବକ୍ସ, ଇଭିଏମର ସ୍ଥିତି ଓ ଅବସ୍ଥିତି ଯାଞ୍ଚ, ପଞ୍ଚାୟତ ନିର୍ବାଚନ ପାଇଁ ବୁଥ ପୁନଃଗଠନ ଓ ମତଦାତାଙ୍କ ନିକଟତମ ସ୍ଥାନରେ ବୁଥ ବ୍ୟବସ୍ଥା କରିବା ଆଦି ଉପରେ ସବିଶେଷ ସୂଚନା ରାଜ୍ୟ ନିର୍ବାଚନ କମିଶନର ପାଢ଼ୀ ସମ୍ମିଳନୀରେ ଉପସ୍ଥାପନା କରିଥିଲେ।
ସାମୁହିକ ଆଭିମୁଖ୍ୟ ନେଇ ସମସ୍ତ କାମ କରିବାକୁ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଛନ୍ତି। ଏହି ସମ୍ମିଳନୀରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର, ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ସନ୍ତୋଷ କୁମାର ଦାସ, ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତିଭାସନ, କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ, କନ୍ଧମାଳ ଜିଲାପାଳ ବେଦଭୂଷଣ, କଳାହାଣ୍ଡି ଜିଲାପାଳ ସଚିନ ପାୱାର, ଗଜପତି ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ମାଲକାନଗିରି ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ, ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ, ରାୟଗଡ଼ା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଉପରୋକ୍ତ ସମସ୍ତ ଜିଲାର ଅତିରିକ୍ତ ଜିଲାପାଳ, ଉପଜ଼ିଲାପାଳ, ଜ଼ିଲା ପଞ୍ଚାୟତ ଅଧିକାରୀମାନେ ଯୋଗଦେଇଥିଲେ।