ଶାବର ଶ୍ରୀକ୍ଷେତ୍ରରେ ହୋଲି, ରଙ୍ଗରେ ରଙ୍ଗେଇ ହେଲେ ଜିଲାପାଳ

କୋରାପୁଟ,୧୫ା୩(ଅମିତାଭ ବେହେରା): କୋରାପୁଟରେ ଶନିବାର ରଙ୍ଗର ପର୍ବ ହୋଲି ଧୂମ୍‌ଧାମରେ ପାଳିତ ହୋଇଯାଇଛି। କୋରାପୁଟ ଜିଲାପାଳଙ୍କ ବାସଭବନଠାରେ ହୋଲି ଉତ୍ସବ ପାଳନ କରାଯାଇଥିଲା। ଜିଲାର ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ବାସଭବନକୁ ଯାଇ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ସହ ହୋଲି ଖେଳିଥିଲେ। ଦକ୍ଷିଣ ପଶ୍ଚିମାଞ୍ଚଳ ପୋଲିସ ରେଞ୍ଚ ଡିଆଇଜି ଅଖିଳେଶ୍ୱର ସିଂଙ୍କ ବାସଭବନରେ ଜିଲାର ପୋଲିସ ଅଧିକାରୀ ଓ କର୍ମଚାରୀ ଏବଂ ସାମ୍ବାଦିକମାନେ ପହଞ୍ଚି ରଙ୍ଗର ପର୍ବ ହୋଲି ଉତ୍ସବ ପାଳନ କରିଥିଲେ। ଡିଏନ୍‌କେ ଛକଠାରେ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀଙ୍କ ସହ ଅନ୍ୟ ବ୍ୟକ୍ତିମାନଙ୍କ ସହ ରଙ୍ଗର ପର୍ବ ହୋଲି ଖେଳିଥିଲେ। ସେହିପରି କୋରାପୁଟ ବିଶ୍ୱାସରାୟ ମାର୍କେଟ କମ୍ପ୍ଲେକ୍ସଠାରେ ସ୍ଥାନୀୟ ବୋଲବମ ଯୁବକ ସଂଘ ପକ୍ଷରୁ ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଇବା ସହ ମିଠା ଓ ପଣା ଦେଇ ନାଚ କରି ହୋଲିର ମଜା ନେଇଥିଲେ।

ହୋଲି ନେଇ ଶାବର ଶ୍ରୀକ୍ଷେତ୍ର ମନ୍ଦିରର ରାଧାକୃଷ୍ଣ ଦୋଳବିମାନ ବସି ସହର ପରିକ୍ରମା କରିବା ସହ ଭକ୍ତଙ୍କଠାରୁ ଅବିର ଓ ମିଠା ଗ୍ରହଣ କରିଥିଲେ। ସେହିପରି କୋରାପୁଟ ହାତୀଲାଇନ ସାହିସ୍ଥିତ ରାଧାକୃଷ୍ଣ ଦୋଳବିମାନ ବସି ସଂକୀର୍ତ୍ତନ ସହ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲେ। ଭକ୍ତମାନେ ମଧ୍ୟ ଠାକୁରଙ୍କୁ ଅବିର ପ୍ରଦାନ କରି ନିଜ ନିଜ ପରିବାର ପାଇଁ ଆଶିଷ ଭିକ୍ଷା କରିଥିଲେ।