ସାହିତ୍ୟର ବିକାଶ ଲାଗି ସାମୁହିକ ଉଦ୍ୟମ ଲୋଡ଼ା

ଭଞ୍ଜନଗର,୨୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ରବିବାର କବି ସମ୍ରାଟ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହିତ୍ୟ ଓ ସମାଜ ଉପରେ ଏକ ଆଲୋଚନାଚକ୍ର ଅନଷ୍ଠିତ ହୋଇଥିଲା।

ଏହି ଅବସରରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଜୟନ୍ତି ଏବଂ ସାବିତ୍ରୀ ଦୁଇଟି ପତ୍ରିକା ଉନ୍ମୋଚିତ କରିବା ସହ ଲେଖକ, କବିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଧାୟକ କହିଥିଲେ, ସାହିତ୍ୟର ବିକାଶ ପାଇଁ ସାମୁହିକ ଉଦ୍ୟମ ଲୋଡ଼ା । ଘୁମୁସର ଇତିହାସ, କଳା, ସାହିତ୍ୟ ସମଗ୍ର ବିଶ୍ୱରେ ପରିଚିତ। ବର୍ତ୍ତମାନ ଆହୁରି ପ୍ରଚାର ପ୍ରସାର ଆବଶ୍ୟକତା ରହିଛି। ଏଥିପାଇଁ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି ବୋଲି ବିଧାୟକ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ।

ଅନୁଷ୍ଠାନର ସଭାପତି ଡ.ସୁରେଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କବି ଡ.ନାରାୟଣ ପଣ୍ଡା ମୁଖ୍ୟବକ୍ତା, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ଭଞ୍ଜ ଗବେଷକ ଡ.କମ୍ବୁପାଣି ସାମନ୍ତ ଅତିଥି, ଲେଖକ ସୋମନାଥ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ପାଦକ ରବିନ୍ଦ୍ର ନାଥ ଆଚାର୍ଯ୍ୟ ବିବରଣୀ ପାଠ କରିଥିଲେ। ଅଧ୍ୟାପକ ଅଶୋକ ସ୍ବାଇଁ, ଦୁର୍ଗା ମାଧବ ଦାସ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସୌରଭର ସମ୍ପାଦକ ସୁଶାନ୍ତ ଦାସ, ପଞ୍ଚବଟୀର ସମ୍ପାଦକ ସୁଶାନ୍ତ କୁମାର ନାୟକ, ଲେଖକ ଡ.ନାରାୟଣ ପଣ୍ଡାଙ୍କୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସମ୍ବର୍ଦ୍ଧିତ କରାଯାଇଥିଲା।

କବୟିତ୍ରୀ ଡ.ନଳିନୀ ପ୍ରଭା ଦାସ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କବୟିତ୍ରୀ ସୁଜାତା ଷଡ଼ଙ୍ଗୀ, ଅଧ୍ୟାପିକା ସୁଜାତା ସିଂ , ଲେଖକ ନେତାଜୀ ବିଷୋୟୀ, ଦାମୋଦର ଷଡ଼ଙ୍ଗୀ, ଡ.ସନ୍ତୋଷ କୁମାର ଆପଟ, ଡ.ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ବିମ୍ବାଧର ଷଡ଼ଙ୍ଗୀ, ପ୍ରଭାତ ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ।