ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତ, ସର୍ବନିମ୍ନ ତାପମାତ୍ର ୯.୫ ପରେ…

ଦାରିଙ୍ଗବାଡି, ୧୧।୧୧ (ଅରୁଣ ସାହୁ): ପୁଣି ବଢିଲା ଶୀତ। ତଳ ମୁହାଁ ହେଲା ତାପମାତ୍ରା। ଆଉ ଶୀତରେ ଥରୁଛି ଦାରିଙ୍ଗବାଡି। ଗତ ୩ ଦିନ ହେଲା ତାପମାତ୍ରା ଖସିବା ସହ ମଙ୍ଗଳବାର ପାରଦ ୧୦ ଡିଗ୍ରୀ ତଳକୁ ଖସିଆସିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଦାରିଙ୍ଗବାଡ଼ିରେ ସକାଳ ୭ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ଖସିଆସି ୯.୫ ଡିଗ୍ରୀ ରହିଥିଲା। ସେହିପରି ଦିନରେ ପ୍ରବଳ ଖରାର ପ୍ରକୋପ ରହିବା ସହ ସର୍ବାଧିକ ୨୫ ଡିଗ୍ରୀରେ ତାପମାତ୍ରା ପହଞ୍ଚିଥିଲା। ସଂନ୍ଧ୍ୟାରେ ପୁଣି ତାପମାତ୍ରା ଖସିଆସି ୧୩. ୫ ଡିଗ୍ରୀ ରହିଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।

ସଞ୍ଜ ନଇଁବା ପରେ ପୁଣି କୋହଲା ପବନ ସହ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଶୀତ ବୃଦ୍ଧି ଯୋଗୁ ଲୋକମାନେ ନିଆଁ ଲଗାଇ ନିଆଁର ଆଶ୍ରୟ ନେଉଥିବା ଆଉ ଜରୁରୀ କାର୍ଯ୍ୟ ନ ଥିଲେ ସଂଧ୍ୟା ପୂର୍ବରୁ ଲୋକମାନେ ଘର ମୁହାଁ ହେଉଛନ୍ତି। ସାଂରେ ଯେଉଁଭଳି ଶୀତର ପ୍ରକୋପ ବୃଦ୍ଧି ପାଇଛି ରାତିରେ ଆହୁରି ତାପମାତ୍ରା ହ୍ରାସ ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି। ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଶୀତ କଷ୍ଟ ଦେଉଥିବା ବେଳେ ଶୀତର ମଜା ନେବାପାଇଁ ଜିଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଶୀତ ବୃଦ୍ଧି ଯୋଗୁ ରାତ୍ର ଆଶ୍ରୟସ୍ଥଳ ଖୋଲାଯିବା ପାଇଁ ସାଧାରଣରେ ଦାବି ହୋଇଛି। ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରା ନ ଗଲେ ଶୀତ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି।

Dharitri – Odisha’s No.1 Odia Daily