ସଜେଇ ହେଉଛି କଫି ବଗିଚା: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସେଲ୍ଫି ପଏଣ୍ଟ

ଦାରିଙ୍ଗବାଡି, ୧୪।୮ (ଅରୁଣ ସାହୁ): ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚାକୁ ଏବେ ବିଭାଗ ଦୃଷ୍ଟି ଦେବା ଆରମ୍ଭ କରିଛି। ଯେଉଁ ବଗିଚାକୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଏବଂ ବିଦେଶୀ ପର୍ଯ୍ୟଟକ ଦାରିଙ୍ଗବାଡିକୁ ଆସନ୍ତି। ତାର ରକ୍ଷଣବେକ୍ଷଣ ଅଭାବ ଯୋଗୁ ଆଉ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁ ନ ଥିଲା। ପର୍ଯ୍ୟଟକ ଟିକେଟ ସଂଗ୍ରହ କରି ବଗିଚା ଭିତରକୁ ବୁଲିବାକୁ ଯାଇ ନିରାଶ ହୋଇ ଫେରୁଥିଲେ। କିନ୍ତୁ ଏବେ ଦାୟିତ୍ୱରେ ଥିବା ମୃତ୍ତିକା ସଂରକ୍ଷଣ ବିଭାଗ ଏହାକୁ ରୂପାନ୍ତର କରୁଛି। ବିଭିନ୍ନ ବୃକ୍ଷକୁ କାଟି ପ୍ରାଣୀ ସଦୃଶ କରାଯାଉଛି। ପର୍ଯ୍ୟଟକଙ୍କ ପାଇଁ ସ୍ବାଗତ ମଞ୍ଚକୁ ଅତିସୁନ୍ଦର ଭାବେ ନିର୍ମାଣ କରାଯାଉଛି। ଆଲୋକୀକରଣ ସମେତ ସେଲ୍ଫି ପଏଣ୍ଟ କଫି ବଗିଚା ଭିତରେ ଥିବା ରାସ୍ତାର ଦୁଇ ପାର୍ଶ୍ୱରେ ବିଭିନ୍ନ ଫୁଲ ଗଛ ସହ ଗୋଷ୍ଠୀ ଶୌଚାଳୟ ଆଉଟଲେଟ ଗୃହ ଆଦି ନିର୍ମାଣ କରାଯାଉଛି। ଏବେ ରୂପାନ୍ତର କାର୍ଯ୍ୟ ଚାଲିଥିବା ସମୟରେ କଫି ବଗିଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଛି। ଏହି କାର୍ଯ୍ୟ ସାରିବା ପରେ ପର୍ଯ୍ୟଟକଙ୍କୁ ବହୁତ ଆକୃଷ୍ଟ କରିବ ବୋଲି କୁହାଯାଉଛି।