ଅସରପା ସଂଗ୍ରହାଳୟ

ଘରେ ଅସରପା ହୋଇଗଲେ ସମସ୍ତେ ଗୋଡେଇ ଗୋଡେଇ ମାରନ୍ତି। ଅବା କୀଟନାଶକ ସ୍ପ୍ରେ କରି ତାଙ୍କ ବଂଶ ମୂଳପୋଛ କରି ଦିଆଯାଏ। କହିବାକୁଗଲେ ଅସରପା କାହାର ବି ପ୍ରିୟ ହୋଇ ନ ଥାଏ। କିଏ ଏମାନଙ୍କୁ ଘୃଣା କରନ୍ତି ତ କିଏ ଡରନ୍ତି। ହେଲେ ଟେକ୍ସାସ୍‌ର ପ୍ଲାନୋରେ ଅଛି ଏକ ଅସରପା ସଂଗ୍ରହାଳୟ। କଥାଟି ଅଜବ ଲାଗୁଥିବ, ହେଲେ ଏହା ସତ। ମାଇକେଲ ବୋହଦାନ ନାମକ ଜଣେ ବ୍ୟକ୍ତି ହେଉଛନ୍ତି ଏହି ସଂଗ୍ରହାଳୟର ପ୍ରତିଷ୍ଠାତା। ତାଙ୍କର ଏକ ପେଷ୍ଟ କଣ୍ଟ୍ରୋଲ ଦୋକାନ ଅଛି। ଆଉ ଏହି ଦୋକାନରେ ହିଁ ସେ ଉକ୍ତ ସଂଗ୍ରହାଳୟଟିକୁ କରିଛନ୍ତି। ‘କକ୍‌ରୋଚ ହଲ୍‌ ଅଫ୍‌ ଫେମ୍‌’ ନାମକ ଉକ୍ତ ସଂଗ୍ରହାଳୟରେ ସେ ମୃତ ଅସରପାକୁ ବିଭିନ୍ନ ପ୍ରକାରରେ ସଜାଇ ରଖିଛନ୍ତି। କେଉଁଠି ସେ ଅସରପାକୁ ସେଲିବ୍ରିଟି ଓ ଐତିହାସିକ ବ୍ୟକ୍ତିଭାବେ ସଜାଇଛନ୍ତି ତ କେଉଁଠି ଓ୍ବିଗ୍‌ ଓ ଗାଉନ୍‌ ପିନ୍ଧାଇ ପରୀ ଲୁକ୍‌ ଦେଇଛନ୍ତି। ପୁଣି କେବେ ଏକ ଛୋଟ ପିଆନୋ ସାମ୍‌ନାରେ ବସାଇ ପିଆନୋ ବଜାଇବା ଲୁକ୍‌ ଦେଇଛନ୍ତି। ଆଉ କେବେ ସମୁଦ୍ର ତଟରେ ସନ୍‌ଗ୍ଲାସ୍‌ ପିନ୍ଧି, ଜୁସ୍‌ ପିଇ ସନ୍‌ ବାଥ୍‌ ନେବାର ଲୁକ୍‌ ଦେଇଛନ୍ତି। ଯାହାକୁ ଲୋକେ ଦେଖିବାକୁ ବେଶ ପସନ୍ଦ କରୁଛନ୍ତି। ମାଇକେଲ୍‌ଙ୍କୁ ଅସରପା ବେଶ୍‌ ସୁନ୍ଦର ଲାଗନ୍ତି। ଆଉ ତାଙ୍କୁ ବହୁତ ଭଲ ପାଆନ୍ତି। ସେଥିପାଇଁ ଏହି କାମ କରିବାକୁ ତାଙ୍କୁ ବହୁତ ଭଲ ଲାଗେ। ତାଙ୍କର ଏହି କାମ ଲାଗି ଏକ ଇନସେକ୍ଟିସାଇଡ କମ୍ପାନୀ ତାଙ୍କୁ ଏକ ଅସରପା ଫ୍ୟାଶନ କଣ୍ଟେଷ୍ଟରେ ଜଜ୍‌ ବି କରିଥିଲେ।