ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ ହୋଇଛି । ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ସମୁଦ୍ର ନିକଟ ଆର୍ଯ୍ୟପଲ୍ଲୀ, ଗଞ୍ଜାମ, ଛତ୍ରପୁର, ରମ୍ଭା, ଚମାଖଣ୍ଡି ଥାନା ପକ୍ଷରୁ ଏହି ସମରାଭ୍ୟାସ କରାଯାଉଛି ।

ଜଳପଥ ହେଉ କିମ୍ବା ସ୍ଥଳପଥ ଶତ୍ରୁପକ୍ଷକୁ କଡା ଜବାବ ଦିଆଯିବ । ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧୀନରେ ପ୍ରୟାଗିଠାରୁ ହରିପୁର ୪୦ କିମି ପର୍ଯ୍ୟନ୍ତ ଶତ୍ରୁପକ୍ଷ ଯେଭଳି ପ୍ରବେଶ କରିପାରିବେ ନାହିଁ କଡାକଡ଼ି ଯାଞ୍ଚ ସହ ବ୍ଲୁ ଟିମ୍‌ ଓ ରେଡ ଟିମ୍‌ ଗଠନ ହୋଇଛି ।

ବ୍ଲୁ ଟିମ ଜଳପଥରେ ପାଟ୍ରୋଲିଂ କରିବା ବେଳେ ୨ଟି ବୋଟ ଯୋଗେ ୪ଜଣ ଡମି ଆତଙ୍କବାଦୀ ଜଳପଥରେ ଯାଉଥିବା ବେଳେ ସେମାନଙ୍କୁ ଗଞ୍ଜାମ ନିକଟରେ ଧରାଯାଇଛି। ତାଙ୍କ ନିକଟରୁ ଡମି ୮ଟି ବମ୍‌, ପରିଚୟ ପତ୍ର ଜବତ କରାଯାଇଛି। ଏହା ଏକ ଡେମୋ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ସାଗର କବଚ କାର୍ଯ୍ୟକ୍ରମ ବୁଧବାର ଶେଷ ହେବ ବୋଲି ସାମୁଦ୍ରିକ ଥାନା ଅଧିକାରୀ ବିଦ୍ୟାଭାରତୀ ନାୟକ କହିଥିଲେ। କାର୍ଯ୍ୟକ୍ରମରେ ଛତ୍ରପୁର ଏସଡିପିଓ ଚନ୍ଦନ କୁମାର ଘଡାଇ ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ, ୨୬/୧୧ ମୁମ୍ବାଇ ଆକ୍ରମଣ ବେଳେ ଆତଙ୍କବାଦୀ ଜଳପଥରେ ଆସିଥିଲେ। ସେମାନଙ୍କ ଆକ୍ରମଣରେ ବହୁ ଲୋକ ମୃତାହତ ହୋଇଥିଲେ। ଏହା ପରଠୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବର୍ଷ ୨ ଥର ସମରାଭ୍ୟାସ କରାଯାଉଛି।

Share