ଅପରାଜିତା ଭାରତୀୟ ଦଳର କୋଚ୍‌

ଭୁବନେଶ୍ୱର, ୭।୯(କ୍ରୀଡ଼ା ପ୍ରତିନିଧି): ଚଳିତମାସ ୧୫ରୁ ୨୮ ପର୍ଯ୍ୟନ୍ତ ଜର୍ଜିଆର ବାଟୁମିଠାରେ ହେବାକୁ ଯାଉଛି ଫିଡେ (ଆନ୍ତର୍ଜାତୀୟ ଚେସ୍‌ ଫେଡେରେଶନ୍‌) ୱାଲର୍‌ଡ କ୍ୟାଡେଟ୍‌ ଚେସ୍‌ ଚାମ୍ପିୟନଶିପ୍‌। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଓଡ଼ିଶାର କ୍ୟାଣ୍ଡିଡେଟ ମାଷ୍ଟର ତଥା ଫିଡେ ଇନ୍‌ଷ୍ଟ୍ରକ୍ଟର ଅପରାଜିତା ଗୋଚ୍ଛିକାର ଭାରତୀୟ ଚେସ ଦଳର କୋଚ୍‌ ନିଯୁକ୍ତ ହୋଇଛନ୍ତି। ଜର୍ଜିଆ ଚେସ୍‌ ଫେଡେରେଶନ ଆନୁକୂଲ୍ୟରେ ୮, ୧୦ ଓ ୧୨ ବର୍ଷରୁ କମ୍‌ ବାଳିକା ଓ ବାଳକ ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଭାରତରୁ ମୋଟ ୬୫ ଜଣିଆ ପ୍ରତିନିଧି ଦଳ ବାଟୁମି ଅଭିମୁଖେ ଯାତ୍ରା କରିଛନ୍ତି। ଅପରାଜିତା ଗୋଚ୍ଛିକାର ପ୍ରଧାନୀଙ୍କ ସମେତ ଏସ୍‌. ସି. ସୁବ୍ରମଣ୍ୟମଙ୍କୁ୍‌ କୋଚ୍‌ ଦାୟିତ୍ୱ ଦିଆଯାଇଛି।
ସୂଚନାଯୋଗ୍ୟ, ୨୦୧୮ରେ ସ୍ପେନରେ ଆୟୋଜିତ ବିଶ୍ୱ କ୍ୟାଡେଟ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଅପରାଜିତା ଭାରତୀୟ ଦଳର ପ୍ରଶିକ୍ଷକ ଥିଲେ। ଏଥିରେ ଭାରତ ରୌପ୍ୟ ପଦକ ହାସଲ କରିଥିଲା। ଏହା ବ୍ୟତୀତ ତାସ୍‌କେଣ୍ଟରେ ଆୟୋଜିତ ଏସୀୟ ଯୁବ ଚେସ ଚାମ୍ପିୟନଶିପ୍‌ରେ ସେ ଭାରତୀୟ ଯୁବ ଦଳର ପ୍ରଶିକ୍ଷକ ଥିଲେ ଏବଂ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା। ନିକଟରେ ଚେନ୍ନାଇରେ ଶେଷ ହୋଇଥିବା ୪୪ ତମ ଫିଡେ ଚେସ୍‌ ଅଲିମ୍ପିଆଡ୍‌ରେ ଫିଡେ ଦ୍ୱାରା ମନୋନୀତ ହୋଇଥିବା ଫେୟାର ପ୍ଲେ ପ୍ୟାନେଲ (ଏଫ୍‌ପିପି)ର ସଦସ୍ୟ ଥିଲେ। ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ (ଏଓସିଏ) ସଭାପତି ଜି. ସି. ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, ମୁଖ୍ୟ ପୃଷ୍ଠପୋଷକ ଅଚ୍ୟୁତ ସାମନ୍ତ, ଏଓସିଏର ଅନ୍ୟ ସମସ୍ତ ସଦସ୍ୟ ଏବଂ ସର୍ବଭାରତୀୟ ଚେସ୍‌ ଫେଡେରେଶନର ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି ପ୍ରମୁଖ ଅପରାଜିତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।