ଲୋଇସିଂହା,୧୩।୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ (ଖ) ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ କେନ୍ଦୁପତ୍ର ଫଡ଼ି ଘର ନିକଟରେ ଗତ ୪ ଦିନ ହେଲା ରାସ୍ତା ଉପରେ ଅଚଳ ହୋଇ ପଡିଛି ମୁଖ୍ୟମନ୍ତ୍ରୀ ବସ। ବସକୁ ମରାମତି ପାଇଁ ନିଆ ଯାଇ ନ ଥିବାରୁ ଏହି ରାସ୍ତାରେ ଚଲାଚଳ କରୁଥିବା ମୁଖ୍ୟମନ୍ତ୍ରୀ ବସ ସେବା ବନ୍ଦ ହୋଇପଡ଼ିଛି। ଉକ୍ତ ବସ ସେବା ପାଉଥିବା କଲେଜ ଛାତ୍ରୀଛାତ୍ର ସମେତ ସାଧାରଣ ଜନତାଙ୍କୁ ହଟହଟା ସମ୍ମୁଖୀନ ହେବାକୁ ପଡୁଛି।
ପ୍ରକାଶ ଯେ, ଉକ୍ତ ବସ ଆଗଲପୁର ବ୍ଲକ ଆଗଲପୁର ଆମ ବସଷ୍ଟାଣ୍ଡରୁ ବାହାରି ଭରସୁଜା, ବଡ଼ଟୀକା, ନଅଗାଁ (ଖ) ପଞ୍ଚାୟତ ଦେଇ ବଲାଙ୍ଗୀର ବରଗଡ ୨୬ ନଂ ରାଜପଥ ବୁର୍ଡା ଦେଇ ରୁଗୁଡ଼ିଖାଲ ବାଟ ଦେଇ ଆଗଲପୁର ବ୍ଲକ ବକଟି ଅଞ୍ଚଳକୁ ନିୟମିତ ଦିନକୁ ୩ଥର ଯାତାୟତ କରୁଛି। ବଡଟୀକା, ନଅଗାଁ (ଖ) ପଞ୍ଚାୟତ ଅଧୀନ ଗ୍ରାମର କଲେଜ ଛାତ୍ରୀ ଛାତ୍ର ଲୋଇସିଂହା, ଯୋଗୀସର୍ଡା କଲେଜ ଯିବା ଆସିବାରେ ବେଶ ଉପକୃତ ହେଉଛନ୍ତି। ଏହାବାଦ ସାଧାରଣ ଜନତା ମଧ୍ୟ ବଲାଙ୍ଗୀର, ଲୋଇସିଂହା ଡାକ୍ତରଖାନା ଓ ବିଭିନ୍ନ କାର୍ଯ୍ୟରେ ଯିବାରେ ଉପକୃତ ହେଉଛନ୍ତି। ୩ ଦିନ ହେଲା ବସ ଅଚଳ ହୋଇ ପଡିଥିବା କାରଣ ଛାତ୍ରୀଛାତ୍ର ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକ ଓ ଜିଲା ପ୍ରଶାସନ ଦୃଷ୍ଟି ଦେଇ ଉକ୍ତ ବସ କାର୍ଯ୍ୟକ୍ଷମ କରି ସେବା ଯୋଗାଇବାକୁ ସାଧାରଣରେ ଦାବି ହେଉଛି।