ସାଗଯୁରୀ ଉନ୍ନୀତ ହାଇସ୍କୁଲରେ କ୍ଲଷ୍ଟର ସ୍ତରୀୟ ସୁରଭି: ଅଂଶଗ୍ରହଣ କଲେ ୧୧୫ ଛାତ୍ରୀଛାତ୍ର

ଅମରପାଲି, ୧୧।୧୦(ପୀତାମ୍ବର ସାହୁ ): ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ଠାରେ କିଛି ନା କିଛି ପ୍ରତିଭା ଅଛି। ଏହି ପ୍ରତିଭାର ବିକାଶ କରିବାକୁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ। ଏନେଇ ପିଲାଙ୍କ ଅଭିଭାବକ, ଶିକ୍ଷୟିତ୍ରୀ, ଶିକ୍ଷକ ତତ୍ପରତା ପ୍ରକାଶ କରିବା ଜରୁରୀ। ପିଲାଙ୍କ ପ୍ରତିଭାକୁ ଲୋକଲୋଚନ ଆଣିବାକୁ ସୁରଭି ହେଉଛି ପ୍ରକୃଷ୍ଟ ମଞ୍ଚ। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ସାଗଯୁରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ କ୍ଲଷ୍ଟର ସ୍ତରୀୟ ସୁରଭୀରେ ମଞ୍ଚାସିନ ଅତିଥିମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ଦୁର୍ଜନତୈଲା କ୍ଲଷ୍ଟରର ସିଆରସିସି ଅଶୋକ ଲୁହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଗଯୁରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ ମଲ୍ଲିକ ମୁଖ୍ୟ ଅତିଥି ଏବଂ କୁଞ୍ଜାପାଲି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଜୟ ଗୋପାଳ ସେଠ ଓ ବରିଷ୍ଠ ଶିକ୍ଷକ ବ୍ରଜମୋହନ ତାମଲିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଶିକ୍ଷକ କିଶୋର କୁମାର ମେହେର କାର୍ଯ୍ୟକ୍ରମରେ ମଞ୍ଚପରିଚାଳନା କରିଥିଲେ। ଶିକ୍ଷକ ଚିରଞ୍ଜିବୀ ସେଠୀ ଅତିଥି ପରିଚୟ ପ୍ରଦାନ ଓ ରୁଦ୍ର ବରିହା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ଆନନ୍ଦ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସୁରଭି କାର୍ଯ୍ୟକ୍ରମରେ କ୍ଲଷ୍ଟରର ସାଗଯୁରୀ, କୁଞ୍ଜାପାଲି, ମସିଣାପାଲି, ଗୋଘାଟ, ଦୁର୍ଜନତୈଲା, ଦାଦରପାଲି, ବରଘାଟ ଦାଦର, ନୂଆଁ ଗନିଆଁ ଓ ବ୍ରାହ୍ମଣୀପାଲି ସ୍କୁଲରୁ ପ୍ରାୟ ୧୧୫ ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଜୁନିଅର ଓ ସିନିଅର ବର୍ଗରେ ବିତର୍କ,ପ୍ରବନ୍ଧ ଲିଖନ,ଚିତ୍ରାଙ୍କନ, କୁଇଜ,ସୃଜନ ଲିଖନ,ବକୃତା,ହସ୍ତାକ୍ଷର, ଶୃତଲିଖନ,ସଙ୍ଗୀତ,ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ବ୍ଲକ ସ୍ତରୀୟ ସୁରଭିକୁ ଚୟନ କରାଯାଇଥିଲା। ଏହା ସହିତ ପ୍ରତ୍ୟେକ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ଅତିଥିମାନେ ପୁରସ୍କୃତ କରିଥିଲେ। ମଧୁସ୍ମିତା ନାୟକ,ମିନତି ମେହେର, ରେଖାଚନ୍ଦ୍ର ମେହେର,ସୁଶାନ୍ତ ଧରୁଅ, ବିଚିତ୍ର ବେହେରା, ସୁଶିଳା ଲାକ୍ରା ଙ୍କ ସମେତ ବିଭିନ୍ନ ସ୍କୁଲରୁ ଆସିଥିବା ଶିକ୍ଷକମାନେ ବିଚାରକ ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାକୁ ମୂଲ୍ୟାଙ୍କନ କରିଥିଲେ।

 

Dharitri – The Largest & Most Trusted Odia Daily

 

 

Share
Tags: odisha