ନୂଆପଡ଼ା,୩୦ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ମାନିଗୁଡା ଗାଁରେ ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରୟକୁ ବିରୋଧ କରି ସୋମବାର ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାନିଗୁଡା ସମିତି ସଭ୍ୟ କୃଷ୍ଣଚନ୍ଦ୍ର ବେମାଲଙ୍କ ନେତୃତ୍ୱରେ ୱାର୍ଡ ସଭ୍ୟାସଭ୍ୟ ଓ ଗ୍ରାମବାସୀ ଜିଲାପାଳ ମଧୁସୂଦନ ଦାଶ, ଏସ୍ପି ଅମୃତ ପାଲ ସିଂ, ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ, ଉପ ଜିଲାପାଳ ସୁର୍ମି ସୋରେନଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି ା ସେମାନେ ଦର୍ଶାଇଛନ୍ତି, ଗାଁରେ ବେଆଇନ ଭାବରେ ୭ଟି ଦେଶୀ ଓ ବିଦେଶୀ ମଦ କୋଠି ଚାଲିଛି। ଗାଁରେ ମଦ ବିକ୍ରୟ ହେବା ଦ୍ୱାରା ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି ା ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହେଉଛି। ଗ୍ରାମବାସୀ ସଭା କରି ମଦ ବନ୍ଦ କରିବା ପାଇଁ କହିଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଏପରି କି ଅବକାରୀ ଓ ପୋଲିସ ବିଭାଗକୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଲୁ ନାହିଁ ା ଲକ୍ଷ୍ମୀପୂଜା ପୂର୍ବରୁ ମଦ କୋଠି ବନ୍ଦ ନ ହେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏହି ସମୟରେ ସମିତି ସଭ୍ୟ ସମେତ କୃଷ୍ଣଚନ୍ଦ୍ର ମାଝି, ଦୟା ସାଗର ପ୍ରଧାନ, ୱାର୍ଡ ମେମ୍ବର ଆଶାରାମ ମାଝି, ଆଶମତୀ ମାଝି, ରାଜ କୁମାରୀ ଭୋଇ, ଲତା ଛତ୍ରିଆ, ରୁକ୍ମଣୀ ମାଝି, ଦେବଦୋଲି ମାଝି, ସୁମତି ମାଝି, ସଜନା ମାଝ ପ୍ରମୁଖ ଉପସ୍ଥିତ ଥିଲେ।