ପ୍ରଦୂଷଣ ଜାଲରେ ଜଳବାୟୁ

ପ୍ରଦୂଷଣ କହିଲେ ସାଧାରଣତଃ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣକୁ ବୁଝାଯାଏ। କିନ୍ତୁ ଏବେ ପ୍ଲାଷ୍ଟିକ ପ୍ରଦୂଷଣ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ବାୟୁ ପ୍ରଦୂଷଣ ଏବେ ସମଗ୍ର ପୃଥିବୀରେ ଜନ ଜୀବନକୁ କ୍ଷତି କରି ଚାଲିଛି। ଏହାର ଭୟଙ୍କର ରୂପ ଦିଲ୍ଲୀ ସହରରେ ଦେଖୁଛେ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାୟୁ ଗୁଣବତ୍ତା ସୂଚକାଙ୍କ ଅନୁସାରେ ଦିଲ୍ଲୀରେ ବାୟୁର ଗୁଣବତ୍ତା ଅତି ଖରାପ। ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ବାୟୁର ଗୁଣବତ୍ତା ଖରାପ ରହୁଛି। ସେହିପରି ପ୍ରଦୂଷଣର ମାତ୍ରା ଅନୁଗୋଳ ଓ ତାଳଚେର ସହରରେ ବାୟୁ ଗୁଣବତ୍ତା ୩୦୦ ଉପରେ ରହୁଛି। ଏହିପରି ପରିସ୍ଥିତି ସୃଷ୍ଟି ହେବାର ମୁଖ୍ୟ କାରଣ ହେଉଛି ଅମାନିଆ ମଣିଷର ପ୍ରବୃତ୍ତି।
ବିଶ୍ୱ ଜଳବାୟୁ ସଂଗଠନର ତଥ୍ୟ ଅନୁସାରେ ବିଶ୍ୱ ଉଷ୍ମତା ତୀବ୍ର ରୂପ ଧାରଣ କରିଛି। ୨୦୨୪ ବର୍ଷଟି ବିଗତ ୧୭୫ ବର୍ଷର ପର୍ଯ୍ୟବେକ୍ଷଣ ରେକର୍ଡ ଅନୁସାରେ ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା। ପୃଥିବୀର ହାରାହାରି ତାପମାତ୍ରାରେ ୧.୫୫ ଡିଗ୍ରୀ ବୃଦ୍ଧି ଘଟିଛି ୨୦୨୪ରେ। ଭାରତରେ ଏସି କିଣିବାର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି, ଯାହାକି ୧୦ ପ୍ରତିଶତ ଭାରତୀୟ ବର୍ତ୍ତମାନ ଏହା ବ୍ୟବହାର କରୁଛନ୍ତି। ସହରଗୁଡ଼ିକରେ ୧୨.୬% ଏବଂ ଗ୍ରାମାଞ୍ଚଳରେ ୧.୨% ଏସି ବ୍ୟବହାର କରୁଛନ୍ତି। ବଜାରରେ ଚାହିଦାକୁ ଲକ୍ଷ୍ୟ କଲେ ଜଣା ପଡ଼େ ଆସନ୍ତା ୨୦୩୦ ମସିହା ବେଳକୁ ଏସି ବ୍ୟବହାରର ମାତ୍ରା ୧୫ ରୁ ୨୦ ପ୍ରତିଶତରେ ପହଞ୍ଚତ୍ବ। ତେଣୁ ଏହିପରି ଭାବେ ଯଦି ଏସି ବା ଫ୍ରିଜର ବହୁଳ ବ୍ୟବହାର ବୃଦ୍ଧି ଘଟିବ ତେବେ ବାୟୁମଣ୍ଡଳରେ ଆମର ସିଏଫସିର ମାତ୍ରା ବୃଦ୍ଧି ପାଇ ବାୟୁମଣ୍ଡଳରେ ଥିବା ଓଜନ ସ୍ତରକୁ ଅଧିକ କ୍ଷତି କରିବ।
କାରଖାନାରୁ ଏବଂ ଯାନବାହନରୁ ନିର୍ଗତ ବିଷାକ୍ତ ଧୂଆଁ ଯେପରି କି ମିଥେନ, ସିଏଫ୍‌ସି, ଅଙ୍ଗାରକାମ୍ଳ ଆଦି ଯାହା ଜଳବାୟୁ ପରିବର୍ତ୍ତନରେ ପ୍ରଭାବ ପକାଉଛି । ନିକଟରେ ସିଓଲ ବିଶ୍ୱବିଦ୍ୟାଳୟର ଏକ ଗବେଷଣାରୁ ଜଣାଯାଇଛି, ଉକ୍ତ ପ୍ଲାଷ୍ଟିକ ପ୍ରଦୂଷଣ ପାଇଁ ଜଳବାୟୁରେ ପରିବର୍ତ୍ତନ ଘଟୁଛି। ସ୍ଥଳଭାଗରେ ପ୍ରାୟତଃ ତିନିଲକ୍ଷ ଜୀବଜନ୍ତୁଙ୍କର ମୃତ୍ୟୁ ଘଟୁଛି କେବଳ ଏହି ପ୍ଲାଷ୍ଟିକ ପ୍ରଦୂଷଣ ନିମନ୍ତେ। ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ପ୍ଲାଷ୍ଟିକ ଜାତ ପଦାର୍ଥ ମାଟିରେ ପୋତି ହୋଇପଡ଼ିବା ଯୋଗୁ ମୃତ୍ତିକାର ଗୁଣବତ୍ତା କମୁଛି ତତ୍‌ସହିତ ମୃତ୍ତିକାର ଜଳଧାରଣ କ୍ଷମତା ହ୍ରାସ ଘଟିବା ସହ ଭୂତଳ ଜଳର ଅବକ୍ଷୟ ହେଉଛି। ଅଶୋଧିତ ତୈଳରୁ ପ୍ଲାଷ୍ଟିକ ଉତ୍ପାଦନ କରିବାକୁ ହେଲେ ଯେଉଁ ରାସାୟନିକ ପଦ୍ଧତି ଅବଲମ୍ବନ କରାଯାଏ ସେଥିରୁ ଅନେକ ବିଷାକ୍ତ ଏବଂ ସବୁଜ ଗୃହ ବାଷ୍ପ ମଧ୍ୟ ଉତ୍ପନ୍ନ ହୋଇ ଜଳବାୟୁକୁ ପ୍ରଭାବିତ କରୁଛି। ତେଣୁ ଏବେଠାରୁ ଜଳବାୟୁ ପରିବର୍ତ୍ତନ ପାଇଁ ସାବଧାନ ହେବାକୁ ପଡ଼ିବ, ନଚେତ ନେଡ଼ିଗୁଡ଼ କହୁଣିକୁ ବୋହିବା ସମ୍ଭାବନା ଯେତେବେଳେ ଆସିବ ଆମର ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧକାର ଭିତରକୁ ଚାଲିଯାଇଥିବ।

ଅରିଜିତ ମିଶ୍ର
ଅଧ୍ୟାପକ (ଭୂଗୋଳ ବିଭାଗ)
ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟ, କଟକ,ମୋ: ୯୦୪୦୩୫୦୦୮୯

 

Dharitri – The Largest & Most Trusted Odia Daily