ଜଳବାୟୁ ପରିବର୍ତ୍ତନ: ମହିଳା ଅଧିକ ପ୍ରଭାବିତ

ନୂଆଦିଲ୍ଲୀ,୯ା୩(ପି.ଟି.): ଜଳବାୟୁ ପରିବର୍ତ୍ତନ ମହିଳାମାନଙ୍କ ଉପରେ ଗମ୍ଭୀର ପ୍ରଭାବ ପକାଉଛି। ପ୍ରଭାବିତ ମହିଳାମାନଙ୍କୁ ସହାୟତା ପାଇଁ ଯେଉଁ ପାଣ୍ଠି ବ୍ୟବସ୍ଥା କରାଯାଉଛି, ତାହା ଆବଶ୍ୟକତାର ଏକ ଛୋଟ ଭାଗ ବୋଲି ୟୁନାଇଟେଡ୍‌ ନେଶନ୍ସ ଗ୍ଲୋବାଲ କମ୍ପାକ୍ଟ ନେଟ୍‌ଓ୍ବର୍କ ଇଣ୍ଡିଆ (ୟୁଏନ୍‌ଜିସିଏନ୍‌ଆଇ)ର ଅଧ୍ୟକ୍ଷ ବୈଶାଳୀ ନିଗମ ସିହ୍ନା ପିଟିଆଇକୁ ଏକ ସାକ୍ଷାତ୍‌କାର ଦେଇ କହିଛନ୍ତି।
ଜଳବାୟୁଜନିତ ବିପର୍ଯ୍ୟୟ ପରିଚାଳନା ଏବଂ ମହିଳାଙ୍କ ଜୀବନ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଧାର୍ଯ୍ୟ ନିବେଶ ଜରିଆରେ ହ୍ରାସ କରାଇବାରେ ସେମାନଙ୍କ ଭୂମିକାକୁ ସ୍ବୀକୃତି ଦେବାର ଆବଶ୍ୟକତା ଉପରେ ସିହ୍ନା ଗୁରୁତ୍ୱାରୋପ କରିଛନ୍ତି। ଜଳବାୟୁ ଜନିତ ବିପର୍ଯ୍ୟୟ ବେଳେ ମହିଳାମାନେ ଉଲ୍ଲେଖନୀୟ ଭାବେ ଅଧିକ ପ୍ରଭାବିତ ହୋଇଥାନ୍ତି। ଜଳବାୟୁଜନିତ ପ୍ରଭାବକୁ ପ୍ରଶମିତ କଲାବେଳେ ମହିଳାମାନଙ୍କୁ ସୁରକ୍ଷା ଓ ସହାୟତା ଦେବା ଗୁରୁତ୍ୱପୂର୍ଣ୍ଣ। ତେବେ ଏନେଇ ଯେତିକି ପୁଞ୍ଜି ଆସୁଛି, ତାହା ଆବଶ୍ୟକତାର ପ୍ରାୟ ୧୦ ପ୍ରତିଶତ ବୋଲି ସିହ୍ନା କହିଛନ୍ତି।
୨୦୨୫ର ଜାତିସଂଘ ମହିଳା ରିପୋର୍ଟରେ ସତର୍କ କରିଦିଆଯାଇଥିଲା ଯେ, ଜଳବାୟୁ ପରିବର୍ତ୍ତନର ସବୁଠୁ ଖରାପ ସ୍ଥିତିକୁ ବିଚାର କଲେ ୨୦୫୦ ସୁଦ୍ଧା ସାରା ବିଶ୍ୱରେ ୧୫୮.୩ ନିୟୁତ ଅଧିକ ମହିଳା ଓ ବାଳିକା ଅତ୍ୟନ୍ତ ଦାରିଦ୍ର୍ୟ ମଧ୍ୟରେ ରହିପାରନ୍ତି। ଗ୍ରାମାଞ୍ଚଳରେ କୃଷିକ୍ଷେତ୍ରରେ କାମ କରିବା କିମ୍ବା ଅନୁରୂପ କାର୍ଯ୍ୟରେ ନିୟୋଜିତ ଅଧିକାଂଶ ମହିଳାଙ୍କୁ ସ୍ବୀକୃତି ଓ ପାରିଶ୍ରମିକ ମିଳି ନ ଥାଏ। ସେମାନେ ଅତ୍ୟଧିକ ରୌଦ୍ରଦାକରେ ପ୍ରତ୍ୟକ୍ଷଭାବେ ପ୍ରଭାବିତ ହୋଇଥାନ୍ତି। ବିଶେଷ କରି ରାଜସ୍ଥାନ ଓ ଗୁଜରାଟରେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ମହିଳାମାନଙ୍କ ମାନସିକ ସ୍ବାସ୍ଥ୍ୟ, ଜୀବିକା ଓ ଜୀବନଧାରଣର ବିଭିନ୍ନ ଦିଗ ପ୍ରଭାବିତ ହୋଇଥାଏ। ତଳସ୍ତରରେ ମହିଳାମାନେ ସମ୍ମୁଖୀନ ହେଉଥିବା ବାସ୍ତବ ଚ୍ୟାଲେଞ୍ଜ ସମ୍ପର୍କରେ ୟୁଏନ୍‌ଜିସିଏନ୍‌ଆଇ ଅଧ୍ୟକ୍ଷ କହିଛନ୍ତି, ପୁନଃନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ମହିଳାମାନଙ୍କୁ କାର୍ଯ୍ୟସ୍ଥଳରେ କାମ କରିବାକୁ ପଡ଼ିଥାଏ, ଯେଉଁଠି ସ୍ବାସ୍ଥ୍ୟସେବା ଓ ଉପଯୁକ୍ତ ପରିମଳ ସୁବିଧା ଜରୁରୀ। ଦିଲ୍ଲୀରେ ଏଭଳି ସୁବିଧା ଉପଲବ୍ଧ ହେଉଥିବାବେଳେ ଗ୍ରାମାଞ୍ଚଳରେ ତାହା ବହୁ ଦୂରରେ ବୋଲି ସିହ୍ନା କହିଛନ୍ତି। ଏକ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥାଗତ ଆଭିମୁଖ୍ୟ ଏବଂ ପ୍ରକଳ୍ପ କାର୍ଯ୍ୟକାରିତା ଯୋଜନା ଆବଶ୍ୟକ। ଯାହା ହୋଇଛି, ତାହାକୁ ଯଦି ମାପ କରାଯାଇ ନ ପାରେ, ତେବେ ହୋଇନାହିଁ ବୋଲି କୁହାଯିବ। ତେଣୁ କାର୍ଯ୍ୟକାରିତା ପାଇଁ ଯୋଜନା ଏବଂ ସମୟ ଧାର୍ଯ୍ୟ କରିବା ଜରୁରୀ ବୋଲି ସିହ୍ନା କହିଛନ୍ତି। ୨୦୧୫ରେ ଜାତିସଂଘ ଆଣିଥିବା ସ୍ଥାୟୀ ବିକାଶ ଲକ୍ଷ୍ୟ ୫ରେ ୨୦୩୦ ସୁଦ୍ଧା ବିଶ୍ୱବ୍ୟାପୀ ଲିଙ୍ଗଗତ ସମାନତା ଏବଂ ମହିଳା ଓ ବାଳିକାମାନଙ୍କୁ ସଶକ୍ତ ସୁନିଶ୍ଚିତ କରିବା ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ଲିଙ୍ଗଗତ ସମାନତା କେବଳ ଏକ ମୌଳିକ ମାନବାଧିକାର ନୁହେଁ, ବରଂ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଓ ସ୍ଥିର ବିଶ୍ୱପାଇଁ ଜରୁରୀ। ଆମେ ଏବେ ୨୦୨୬ରେ ପହଞ୍ଚତ୍ଲେଣି। ଦାରିଦ୍ୟ ଓ ନିରକ୍ଷରତା ରହିଥିବା ଭାରତ ଭଳି ଦେଶରେ ଅଧିକ ଝିଅଙ୍କୁ ଶିକ୍ଷିତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଦେବା ପାଇଁ ଏଆଇର ବ୍ୟବହାର କରାଯାଇପାରିବ ବୋଲି ସିହ୍ନା ବିଶ୍ୱାସ କରୁଥିବା କହିଛନ୍ତି। ତେବେ ଏହାର ନକାରାତ୍ମକ ପ୍ରଭାବ ଯେପରି ନ ପଡ଼େ ତାହା ସୁନିଶ୍ଚିତ କରିବାକୁ ହେବ।

Dharitri – Odisha’s No.1 Odia Daily

Share