ଜଳବାୟୁ ପରିବର୍ତ୍ତନ ଓ ବୟସ୍କ ବିଶ୍ୱ

ପୃଥିବୀର ପ୍ରାୟ ସବୁ ଦେଶରେ ବୟସ୍କ ଲୋକଙ୍କ ସଂଖ୍ୟା ଓ ଅନୁପାତ ବୃଦ୍ଧି ପାଉଛି। ଇତିହାସରେ ପ୍ରଥମ ଥର ପାଇଁ ୨୦୧୮ରେ ବିଶ୍ୱରେ ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୫ ବର୍ଷରୁ କମ୍‌ ବୟସର ପିଲାଙ୍କ ସଂଖ୍ୟାଠାରୁ ଅଧିକ ଥିଲା। ୨୦୫୦ ବେଳକୁ ବିଶ୍ୱରେ ପ୍ରତି ୫ ଜଣଙ୍କ ମଧ୍ୟରୁ ଜଣେ ୬୦ ବର୍ଷରୁ ଅଧିକ ବୟସ୍କ ହେବେ ଏବଂ ବିଶ୍ୱର ପ୍ରାୟ ୮୦ ପ୍ରତିଶତ ବୟସ୍କ ଲୋକ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶରେ ରହିବେ। ଭାରତରେ ୨୦୫୦ ମସିହାରେ ମୋଟ ଜନସଂଖ୍ୟାର ୨୦ ପ୍ରତିଶତଙ୍କ ବୟସ ୬୦-୯୯ ବର୍ଷ ହେବ। ସାରା ବିଶ୍ୱରେ ବୟସ୍କ ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି ଏବଂ ସାମାଜିକ, ରାଜନୈତିକ ତଥା ଜଳବାୟୁ ପରିବର୍ତ୍ତନର ଏକ ବିରାଟ ପ୍ରଭାବ ଏହି ବର୍ଗ ଉପରେ ପଡ଼ିବାକୁ ଯାଉଛି। ଆଉ ଟିକେ ସରଳ ଭାବରେ ବୁଝିବାକୁ ହେଲେ ଏପରି କହିପାରିବା। ଧରାଯାଉ ୨୦୧୧ ଜନଗଣନା ଅନୁସାରେ ଭାରତରେ ବୟସ୍କ ଲୋକଙ୍କ ସଂଖ୍ୟା ଥିଲା ପ୍ରାୟ ୧୦ଭାଗ ଓ ୨୦୫୦ରେ ତାହା ଦ୍ବିଗୁଣିତ ହେବାକୁ ଯାଉଛି ଅର୍ଥାତ୍‌ ୨୦ ଭାଗ। ଆମ ଘରେ ଯଦି ୨୦୧୧ରେ ବା ଏବେ ୨ ଜଣ ବୟସ୍କ ଲୋକ ଅଛନ୍ତି ତେବେ ୨୦୫୦ରେ ୪ ଜଣ ୬୦ ବର୍ଷରୁ ଉଦ୍ଧର୍‌ବ ବ୍ୟକ୍ତି ଥିବେ। ସେ ଦୃଷ୍ଟିରୁ ଦେଖିଲେ ଘରର ଅର୍ଥନୀତି, ଦୈନନ୍ଦିନ ଆବଶ୍ୟକତା, ସ୍ବାସ୍ଥ୍ୟ ଓ ଜୀବନଶୈଳୀ, ସବୁ କିଛି ଉପରେ ତାହାର ପ୍ରଭାବ ପଡ଼ିବ ଓ ସମାନ ପ୍ରଭାବ ଭାରତ ତଥା ସାରା ବିଶ୍ୱ ଉପରେ ମଧ୍ୟ ଆକଳନ କରାଯାଇପାରେ।

ବୈଷୟିକ ଜ୍ଞାନକୌଶଳର ବିକାଶ ଓ ବ୍ୟବହାର, ଉନ୍ନତ ସ୍ବାସ୍ଥ୍ୟସେବାର ଉପଲବ୍ଧତା ଆଦି ମନୁଷ୍ୟର ଜୀବନଧାରଣର ମାନରେ ଉନ୍ନତି ଆଣିବା ସହ ସମ୍ଭାବ୍ୟ ଜୀବନକାଳ ବା ଲାଇଫ୍‌ ଏକ୍ସପେକ୍‌ଟାନ୍ସିରେ ଉନ୍ନତି ଆଣିଛି। ସ୍ବାଧୀନତା ସମୟରେ ହାରାହାରି ଆୟୁଷ ୩୭ ବର୍ଷ ଥିବା ବେଳେ ଭାରତରେ ବର୍ତ୍ତମାନ ହାରାହାରି ଆୟୁଷ ୬୭ ବର୍ଷ। ତା’ ସହ ପ୍ରଜନନ ହାର କମିଚାଲିଛି। ଏ ସବୁର ମିଳାମିଶା ପ୍ରଭାବ ହେଉଛି ବୟସ୍କମାନଙ୍କର ସଂଖ୍ୟାରେ ବୃଦ୍ଧି। ବୟସ୍କ ଲୋକଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଅଧିକ ସୂକ୍ଷ୍ମ ଭାବରେ ବୁଝିବାର ଆବଶ୍ୟକତା ରହିଛି। କାରଣ ୬୦, ୭୦, ୮୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କ ଆଚରଣ ଏବଂ ଆବଶ୍ୟକତାର ଅନନ୍ୟ ଏବଂ ଭିନ୍ନ ଢାଞ୍ଚା ଥାଇପାରେ।

ହେଲ୍‌ଦି ଏଜିଙ୍ଗ ବା ସୁସ୍ଥ ବାର୍ଦ୍ଧକ୍ୟ କହିଲେ ଆମେ ସାଧାରଣ ଭାବେ ବୁଝିବା ଜଣେ ବ୍ୟକ୍ତି ମାନସିକ ଓ ଶାରୀରିକ ଭାବେ ନିଜର ସାଧାରଣ ଦୈନନ୍ଦିନ ଆବଶ୍ୟକତା ପୂରଣ କରିପାରୁଥିବେ। ଅର୍ଥାତ୍‌ ନିଜର ନିତ୍ୟକର୍ମ ବିନା ସହାୟତାରେ ସମାପନ କରିପାରୁଥିବେ, ନିଜର ନିତିଦିନିଆ ମୌଳିକ ଆବଶ୍ୟକତା ପାଇଁ ଅନ୍ୟ ଉପରେ ନିର୍ଭର କରୁ ନ ଥିବେ, ବୁଝିବିଚାରି ନିଜ ନିଷ୍ପତ୍ତି ନିଜେ ନେଇପାରୁଥିବେ, ନିଜେ ବିନା ସହାୟତାରେ ଚଳପ୍ରଚଳ କରିପାରୁଥିବେ, ଜନସମ୍ପର୍କ ରକ୍ଷା କରିପାରୁଥିବେ ତଥା ସମାଜ ପ୍ରତି ତାଙ୍କର କିଛି ଅବଦାନ ଥିବ। ଏସବୁ ସ୍ଥିତିରୁ କେଉଁଟି ଯଦି କୌଣସି କାରଣରୁ ପୂରଣ ନ ହୋଇପାରିଲା ତେବେ ଆମେ ତାହାକୁ ଅସୁସ୍ଥ ବୋଲି ଗଣନା କରିପାରିବା।

ଏ ଦିଗରୁ ବିଚାରକଲେ ଜଳବାୟୁ ପରିବର୍ତ୍ତନ ଯୋଗୁ ଅତ୍ୟଧିକ ତାପମାତ୍ରା ବୃଦ୍ଧି, ବନାଗ୍ନି, ମରୁଡ଼ି, ବନ୍ୟା, ବାତ୍ୟା, ବାୟୁର ଗୁଣବତ୍ତା ତଥା ପରିବେଶ ସମ୍ବେଦନଶୀଳ ସଂକ୍ରମଣ ଆଦି ଅନେକ କ୍ଷେତ୍ରରେ ବୟସ୍କ ବ୍ୟକ୍ତିଙ୍କୁ ସିଧାସଳଖ ପ୍ରଭାବିତ କରିଥାଏ । ଜଳବାୟୁ ପରିବର୍ତ୍ତନ ବୟସ୍କ ଲୋକଙ୍କ ସ୍ବାସ୍ଥ୍ୟ, କଲ୍ୟାଣ ଏବଂ ଜୀବିକାକୁ ମଧ୍ୟ ବାଧାପ୍ରାପ୍ତ କରେ। ତା’ ସହ ଏହା ସେହି ବୟସ୍କ ବ୍ୟକ୍ତିଙ୍କ ପରିବାର, ସମାଜ ତଥା ରାଜ୍ୟ ବା ଦେଶ ଉପରେ ମଧ୍ୟ ଅନେକ ଚାପ ସୃଷ୍ଟି କରିଥାଏ। କିନ୍ତୁ ବିଶ୍ବବ୍ୟାପୀ ଜଳବାୟୁ ପରିବର୍ତ୍ତନ ନେଇ ହେଉଥିବା ବିତର୍କରେ ବୃଦ୍ଧାବସ୍ଥା ଉପରେ ଏହାର ପ୍ରଭାବ ତଥା ସମଗ୍ର ବିଶ୍ୱ ଉପରେ ତଜ୍ଜନିତ ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ପ୍ରଭାବ ବିଷୟରେ ଆଲୋଚନାକୁ ସେଭଳି ଗୁରୁତ୍ୱ ବା ପ୍ରାଧାନ୍ୟ ଦେବା ଦେଖିବାକୁ ମିଳୁନାହିଁ। ଏହା ସର୍ବବିଦିତ ଯେ ଋଣ ବୋଝ ବୃଦ୍ଧି, ଖରାପ ପ୍ରାକୃତିକ ପରିବେଶ ଏବଂ ବିକାଶ ସୂଚକାଙ୍କରେ ମନ୍ଥର ଅଗ୍ରଗତି କାରଣରୁ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକ, ଜଳବାୟୁଜନିତ ଅଧିକ ବିପଦ ଏବଂ ଉଚ୍ଚ ସାମାଜିକ, ଅର୍ଥନୈତିକ ଦୁର୍ବଳତାର ସମ୍ମୁଖୀନ ହେବେ। ଭାରତ ମଧ୍ୟ ସେଥିରୁ ବାଦ୍‌ ପଡ଼ିବ ନାହିଁ। ତେଣୁ ସଜାଗ ହେବାର ସମୟ ଆସିଯାଇଛି।

ନିରନ୍ତର ବିକାଶ ପାଇଁ ୨୦୩୦ କାର୍ଯ୍ୟସୂଚୀରେ ୧୭ଟି ପରସ୍ପର ସହ ଜଡ଼ିତ ବିଶ୍ୱ ନିରନ୍ତର ବିକାଶ ଲକ୍ଷ୍ୟ(ଏସ୍‌ଡିଜି)ର ରୂପରେଖ ଦିଆଯାଇଛି ଯାହା କି ସମସ୍ତଙ୍କ ପାଇଁ ଏକ ଉନ୍ନତ ଏବଂ ଅଧିକ ସ୍ଥାୟୀ ଭବିଷ୍ୟତ ହାସଲକରିବା ପାଇଁ ବ୍ଲୁପ୍ରିଣ୍ଟ ଭାବରେ ପ୍ରସ୍ତୁତ କରାଯାଇଛି। ତେବେ କ୍ଷମତା, ଦକ୍ଷତା ଓ ସମ୍ବଳର ଅଭାବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିବନ୍ଧକ ହୋଇଥିବାରୁ ଅନେକ ନିମ୍ନ ଓ ମଧ୍ୟମ ଆୟକରୀ ଦେଶ ୨୦୩୦ ସୁଦ୍ଧା ଏସ୍‌ଡିଜି ହାସଲ କରିବାର ସମ୍ଭାବନା ନାହିଁ। ନିମ୍ନ ଏବଂ ମଧ୍ୟମ ଆୟକରୀ ଦେଶଗୁଡ଼ିକ ବୟସ୍କ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଦୁର୍ବଳ ଏବଂ ଅଳ୍ପ ସମ୍ବଳଯୁକ୍ତ ସ୍ବାସ୍ଥ୍ୟ ଏବଂ ସାମାଜିକ ଯତ୍ନ ବ୍ୟବସ୍ଥା ସହ ସଂଘର୍ଷ କରୁଛନ୍ତି ଏବଂ ସେମାନଙ୍କର ସ୍ବାସ୍ଥ୍ୟ ବ୍ୟବସ୍ଥା ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିରୋଧରେ ଲଢ଼ିବାକୁ ଅସମର୍ଥ। ବାସ୍ତବରେ ୭୫ ପ୍ରତିଶତ ନିମ୍ନ ଓ ମଧ୍ୟମ ଆୟକରୀ ଦେଶରେ ବୟସ୍କ ଲୋକଙ୍କ ସ୍ବାସ୍ଥ୍ୟ ଓ ସାମାଜିକ ଯତ୍ନ ଯୋଜନା ସମ୍ପର୍କରେ ସୂଚନା ଦେବା ପାଇଁ କୌଣସି ତଥ୍ୟ ନାହିଁ। ଭିତ୍ତିଭୂମି ଏବଂ ସେବା ଯୋଗାଣ ଏବଂ ଚାହିଦା ମଧ୍ୟରେ ଅସମାନତା ଏଡ଼ାଇବା ପାଇଁ ବାର୍ଦ୍ଧକ୍ୟ ସହ ଜଡ଼ିତ ଦ୍ରବ୍ୟ ଏବଂ ସେବାର ଚାହିଦାର ଧାରାକୁ ବୁଝିବା ଜରୁରୀ। ଜଳବାୟୁ ପରିବର୍ତ୍ତନ ପାରିବାରିକ ଢାଞ୍ଚାକୁ ପ୍ରଭାବିତ କରିବ। ଆୟ, ସମ୍ପତ୍ତି, ସ୍ବାସ୍ଥ୍ୟ ଏବଂ ନିରାପତ୍ତା ଉପରେ ଏକାଧିକ ଝଟକା ଲାଗିବ, ବୟସ୍କ ଲୋକମାନଙ୍କର ଯତ୍ନ ନେବାର କ୍ଷମତା ହ୍ରାସ କରିବ।

ଏକଥା ମଧ୍ୟ ମନେରଖିବାକୁ ହେବ ଯେ, ବୟସ୍କ ଲୋକଙ୍କ ବିନା ଜଳବାୟୁ କାର୍ଯ୍ୟ ସଫଳ ହୋଇପାରିବ ନାହିଁ। ପୁରୁଣା ପିଢ଼ି ତୁଳନାରେ ଯୁବପିଢ଼ି ଏବେ ଅଧିକ ଶିକ୍ଷିତ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଅଧିକ ସଚେତନ। କିନ୍ତୁ ବୟସ୍କ ଲୋକମାନେ ବାସ୍ତବରେ ଜଳବାୟୁ କିପରି ସେମାନଙ୍କ ସମ୍ପ୍ରଦାୟକୁ ପ୍ରଭାବିତ କରିପାରେ, ସାମାଜିକ ଭାବରେ ସଂଯୁକ୍ତ ଏବଂ ସେମାନଙ୍କ ସମ୍ପ୍ରଦାୟ ମଧ୍ୟରେ ନୈତିକ ଅଧିକାର ଧାରଣ କରିପାରେ, ସେ ବିଷୟରେ ବିବିଧ ଅନୁଭୂତି ଏବଂ ଜ୍ଞାନ ଧାରଣ କରନ୍ତି।

ଦ୍ରୁତ ବୃଦ୍ଧାବସ୍ଥା ଦେଇ ଗତି କରୁଥିବା ଦେଶଗୁଡ଼ିକରେ ସାମଗ୍ରୀ ଏବଂ ସେବାର ଚାହିଦା ଉପରେ ବାର୍ଦ୍ଧକ୍ୟର ପ୍ରଭାବ ବିଷୟରେ ଆଇପିପିସି ଏ ପର୍ଯ୍ୟନ୍ତ ବିଚାର କରୁନାହିଁ। ଜୀବନର ବିଭିନ୍ନ ପର୍ଯ୍ୟାୟରେ ବିଳାସପୂର୍ଣ୍ଣ କାର୍ବନ ନିର୍ଗମନଠାରୁ ଅତ୍ୟାବଶ୍ୟକ କାର୍ବନ ନିର୍ଗମନକୁ ପୃଥକ୍‌ କରିବା ପାଇଁ ବୟସ ସହ ଉଚ୍ଚ କାର୍ବନ ଦ୍ରବ୍ୟ ଏବଂ ସେବାର ଆବଶ୍ୟକତା କିପରି ବିକଶିତ ହୁଏ ତାହା ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ବର୍ତ୍ତମାନ ଭାରତ ତଥା ସାରା ବିଶ୍ୱରେ ନୂତନ ବୟସ୍କ ନୀତି ବିକଶିତ କରିବା ଆହୁରି ଜରୁରୀ ହୋଇପଡିଛି, ଯାହା ବୟସ୍କ ଲୋକଙ୍କ ଅଧିକାର ଏବଂ କଲ୍ୟାଣ ପାଇଁ ଜଳବାୟୁ ଓ ଅନ୍ୟାନ୍ୟ ପରିବେଶଜନିତ ବିପଦର ଆକଳନ କରି ଏକ ସୁନ୍ଦର ଭବିଷ୍ୟତ ବିଶ୍ୱର ପରିକଳ୍ପନାକୁ ସାକାର ରୂପ ପ୍ରଦାନ କରିପାରିବ।

ଭାରତୀ ଚକ୍ର
ମୋ: ୭୯୭୮୫୦୧୧୫୧