କୋରାପୁଟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ : ଏକବିଂଶ  ଶତାବ୍ଦୀରେ ଓଡ଼ିଆ ଭାଷା ସ୍ଥିତି ଓ ଗତି ଶୀର୍ଷକ ଆଲୋଚନାଚକ୍ର

କୋରାପୁଟ, ୧୧।୩(ଅମିତାଭ ବେହେରା ) କୋରାପୁଟ ସରକାରୀ ମହାବିଦ୍ୟାଳୟଠାରେ ମଙ୍ଗଳବାର  ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହେଇଯାଇଛି । ଏହି ଅବସରରେ “ଏକବିଂଶ ଶତାବ୍ଦୀରେ ଓଡ଼ିଆ ଭାଷା ସ୍ଥିତି ଓ ଗତି” ଶୀର୍ଷକରେ ଏକ ରାଜ୍ୟ ସ୍ତରୀୟ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଭାଷା ବିଭାଗ ସମୂହର ନିର୍ଦ୍ଦେଶକ ପ୍ରଫେସର ନରସିଂହ ଚରଣ ପଣ୍ଡା ଯୋଗ ଦେଇ ଓଡ଼ିଆ ଭାଷାର ପ୍ରାଚୀନତା ଓ ସ୍ୱାତନ୍ତ୍ର‌୍ୟ ସଂପର୍କରେ ନିଜର ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ପ୍ରଫେସର ନଟବର ଶତପଥୀ ଏକବିଂଶ ଶତାବ୍ଦୀରେ ଓଡ଼ିଆ ଭାଷାର ସ୍ଥିତି ସଂପର୍କରେ ଅଭିିଭାଷଣ ରଖିଥିଲେ । ପ୍ରତ୍ୟେକ ବ୍ୟକ୍ତି ଭାଷାର ସଂରକ୍ଷଣ ଏବଂ ପ୍ରଗତିର ଦାୟିତ୍ୱ ନେବା ଉଚିତ ବୋଲି ମତ ଦେଇଥିଲେ । କାର୍ଯ୍ୟକ୍ରମର ସଭାପତି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୀପକ କୁମାର ପଟ୍ଟନାୟକ ନିଜର ଅଭିଭାଷଣରେ କହିଥିଲେ ଯେ ଜଗନ୍ନାଥ ସଂସ୍କୃତି ଓଡ଼ିଆ ଭାଷାକୁ ସମୃଦ୍ଧ ଓ ଦୃଢ଼ କରିଛି । ଏଣୁ ଭାଷା ଓ ସଂସ୍କୃତି ପରସ୍ପର ପରିପୂରକ । ଏଣୁ ଯେତେ ଅଧିକ ଭାବରେ ଆମେ ଭାଷାର ଗବାକ୍ଷକୁ ଉନ୍ମୁକ୍ତ କରିବା ସେତେ ଅଧିକ ନୂଆ ଶବ୍ଦକୋଷରେ ସାମିଲ ହେବେ । କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିବୃନ୍ଦ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯିବା ପରେ ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ଲୋପାମୁଦ୍ରା ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଏହି ଅଧିବେଶନର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ଶ୍ରୀମତୀ ସୁଜାତା ଷଡ଼ଙ୍ଗୀ ।  ଆଲୋଚନା ଚକ୍ରର ପ୍ରଥମ ଅଧିବେଶନର ପ୍ରସଂଗ ରହିଥିଲା “ବିଜ୍ଞାନର ବିକାଶ ଓ ଓଡ଼ିଆ ଭାଷା” ଏହି ଅଧିବେଶନର ବିଷୟ ବିଶେଷଜ୍ଞ ଭାବରେ ମାର୍ଗଦର୍ଶନ କରିଥିଲେ ରେଭେନ୍‌ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ତଥା ରେଭେନ୍‌ସା ବିଶ୍ୱବିଦ୍ୟାଳୟ, କଟକର ଓଡ଼ିଆ ଭାଷା-ପ୍ରଯୁକ୍ତି ବିଜ୍ଞାନ କେନ୍ଦ୍ରର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଗିରୀଶ ଚନ୍ଦ୍ର ମିଶ୍ର । ଭାଷାର ପ୍ରଚାର ପ୍ରସାର ତଥା ବିକାଶ ନିମନ୍ତେ ପ୍ରଯୁକ୍ତି ବିଜ୍ଞାନର ଅପରିହାର୍ଯ୍ୟତା ସଂପର୍କରେ ଆଲୋଚନା କରିଥିଲେ । ଓଡ଼ିଆ ଭାଷାର କମ୍ପୁଟରୀକରଣ କାର୍ଯ୍ୟର ତ୍ୱରାନ୍ନିତ ହେବାଦ୍ୱାରା ଭାଷାର ସଂରକ୍ଷଣ ଦ୍ରୁତ ହୋଇପାରିବ ବୋଲି ସେ ମତ ଦେଇଥିଲେ । ଏହି ଅଧିବେଶନକୁ ଡକ୍ଟର ପ୍ରୀତିଧାର ସାମଲ ପରିଚାଳନା କରିଥିବା ବେଳେ ଶ୍ରୀ ପ୍ରଶାନ୍ତ ସାନ୍ତରା ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ତଥା ଅନ୍ତିମ ଅଧିବେଶନର ଅତିଥି ତଥା ବିଷୟ ବିଶେଷଜ୍ଞ ଭାବରେ ଯୋଗ ଦେଇଥିଲେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଉପ ସଚିବ ଡକ୍ଟର ରମେଶ ଚନ୍ଦ୍ର ବେହେରା । ଏହି ଅଧିବେଶନର ପ୍ରସଂଗ ଥିଲା “ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷା” । ବିଭିନ୍ନ ଉଦାହରଣ ମାଧ୍ୟମରେ ଗଣମାଧ୍ୟମରେ ଓଡ଼ିଆ ଭାଷା ଓ ଭାଷା ସୁରକ୍ଷାରେ ଗଣମାଧ୍ୟମର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅଧିବେଶନକୁ ଡକ୍ଟର ପ୍ରୀତିଧାରା ସାମଲ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଡକ୍ଟର ମନୋରଂଜନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ  ନଳିନୀ ମିଶ୍ର, ଉଦୟଶଙ୍କର ଜାନି, ବିଜୟ ପ୍ରଧାନ, ରବି ଶତପଥୀ, ସି.ଏଚ୍‌. ଶାନ୍ତାକାର, ଜଳଧର ସ୍ୱାଇଁ, ମଧୁସୂଦନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।