ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ପୁଅ ପାର୍ଥ ଓ ତାଙ୍କ ବ୍ୟବସାୟିକ ସହଯୋଗୀ ପୁନେର ମୁନ୍ଧଓ୍ବା-କେରୋଗାଁଓ ପାର୍କ ଅଞ୍ଚଳରେ ୪୦ ଏକର ସରକାରୀ ଜମିକୁ ୩୦୦ କୋଟି ଟଙ୍କାରେ କିଣିବା ବିଷୟ ପ୍ରଘଟ ହେବା ପରେ ମହାରାଷ୍ଟ୍ର ରାଜନୀତିରେ ଉତ୍ତାପ ବୃଦ୍ଧି ପାଇଛି। ଏହି ଜମିର ମୂଲ୍ୟ ୧,୮୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିବା ବେଳେ ତାହାକୁ କାରସାଦି କରାଯାଇ କିଣାଯାଇଥିବା ଅଭିଯୋଗ ହୋଇଛି। ଫଳରେ ଭାଜପା ପରିଚାଳିତ ମହାୟୁତି ସରକାର ଅଡ଼ୁଆରେ ପଡ଼ିଛନ୍ତି। ସୂଚନା ଦିଆଯାଇପାରେ ଯେ, ସେଠାରେ ଭାଜପା ନେତା ଦେବେନ୍ଦ୍ର ଫଡ୍ନବିସ ମୁଖ୍ୟମନ୍ତ୍ରୀ ଥିବା ବେଳେ ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନ୍ସିପି)ରୁ ଅଜିତ ପାଓ୍ବାର ଓ ଶିବ ସେନାରୁ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଭାଜପା ଦୁର୍ନୀତିକୁ ପ୍ରଶ୍ରୟ ଦିଏ ନାହିଁ ବୋଲି କହୁଥିବା ବେଳେ ମେଣ୍ଟ ସରକାରର ଉପମୁଖ୍ୟମନ୍ତ୍ରୀଙ୍କ ପୁଅ ଜମି ହେରଫେରରେ ଜଡ଼ିତ ରହିବା ମହାରାଷ୍ଟ୍ର ରାଜନୀତିକୁ ଗରମ ରଖିବା ସ୍ବାଭାବିକ। ସବୁଠାରୁ କୌତୂହଳ କଥା ହେଉଛି ସ୍ବୟଂ ଅଜିତ ପାଓ୍ବାର କହିଛନ୍ତି, କିଣାଯାଇଥିବା ଜମି ସରକାରଙ୍କର ବୋଲି ତାଙ୍କ ପୁଅ ଓ ସହଯୋଗୀମାନେ ଜାଣି ନ ଥିଲେ। ବିରୋଧୀ ଦଳଗୁଡ଼ିକ ଉପମୁଖ୍ୟମନ୍ତ୍ରୀ ଅଜିତଙ୍କ ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ନୈତିକ ଦୃଷ୍ଟିକୋଣରୁ ସେ ଇସ୍ତଫା ଦିଇନ୍ତୁ ବୋଲି ଦାବି କରିଛନ୍ତି। ଏ ନେଇ ସେମାନେ ନ୍ୟାୟିକ ତଦନ୍ତ ମଧ୍ୟ ଦାବି କଲେଣି।
ଏଠାରେ ଉଲ୍ଲେଖଯୋଗ୍ୟ, ଆଜିର ଭାରତରେ ତୁଳନାତ୍ମକ ଭାବରେ ଦେଖିଲେ ଅଜିତ୍ ପାଓ୍ବାରଙ୍କ ପୁତ୍ର ସରକାରୀ ଜମି ପାଇଁ ଅତ୍ୟଧିକ ଅର୍ଥ ଦେଇ ଜମି ହାତେଇଛନ୍ତି। ଅନ୍ୟ ଗୋଟିଏ ଉଦାହରଣ ଦେଖାଯାଉ। ବିହାରର ଭାଗଲପୁର ଜିଲାରେ ଆଦାନୀ କମ୍ପାନୀକୁ କୋଇଲା ଚାଳିତ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କାରଖାନା ସ୍ଥାପନ କରିବା ପାଇଁ ୧,୦୫୦ ଏକର ଜମି ରାଜ୍ୟ ସରକାର ୩୩ ବର୍ଷ ପାଇଁ ଲିଜ୍ ଆକାରରେ ଦେଇଛନ୍ତି। ଆଦାନୀକୁ ମୂଲ୍ୟ ଭାବେ ପ୍ରତ୍ୟେକ ବର୍ଷ ଏକର ପିଛା ୧ ଟଙ୍କା ଦେବାକୁ ବାଧ୍ୟ କରାଯିବ। ଅର୍ଥାତ୍ ୧,୦୫୦ ଏକର ପାଇଁ ବାର୍ଷିକ ୧,୦୫୦ ଟଙ୍କା ଦେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲିଜ୍ ଦିଆଗଲା। ଅନିର୍ଦ୍ଦିଷ୍ଟ କାଳ ଏଇଥିପାଇଁ କୁହାଯାଉଛି କାରଣ ସରକାରୀ ଜମିକୁ ଯେଉଁ ଉଦ୍ଦେଶ୍ୟରେ ଦିଆଯାଇଛି ସେହି ଉଦ୍ଦେଶ୍ୟରେ ଯଦି ବ୍ୟବହାର କରାଯାଏ, ତେବେ ସବୁବେଳେ ଲିଜ୍ ନବୀକରଣ ହୋଇଚାଲୁଥିବ। ଉଲ୍ଲେଖଯୋଗ୍ୟ ଯେ, ଭାଗଲପୁର ଜମି ଉପରେ ଥିବା ପ୍ରାୟ ୧୦ ଲକ୍ଷ ଗଛ କଟାଯିବା ଆରମ୍ଭ ହୋଇଛି, ଯାହାକୁ ଚାଷୀ ସଙ୍ଗଠନଗୁଡ଼ିକ ବିରୋଧ କରିଛନ୍ତି। ପରବର୍ତ୍ତୀ ସମୟରେ, ଉତ୍ପାଦନ ଆରମ୍ଭ ହେବା ପରେ, କମ୍ପାନୀ ତାହାର ବିଦ୍ୟୁତ୍ ୟୁନିଟ୍ ପିଛା ୬ ଟଙ୍କାରେ ରାଜ୍ୟ ସରକାରଙ୍କୁ ବିକ୍ରି କରିବ।
ଏଭଳି ପ୍ରଚ୍ଛଦପଟରେ ଗୋଟିଏ ବିଷୟ ମନକୁ ଆସୁଛି। ସମସ୍ତେ ମନେରଖିବା ଉଚିତ ହେବ ଯେ ଦେଶ ଏବଂ ସମାଜ ପାଇଁ ଅଧିକରୁ ଅଧିକ କୋଟିପତି ସୃଷ୍ଟି ହେବା ମଙ୍ଗଳମୟ। ଚାଇନା ଭଳି କମ୍ୟୁନିଷ୍ଟ ଦେଶରେ ମଧ୍ୟ ବୁଦ୍ଧି ଖଟାଇ କୋଟିପତି ହେବାର ଯଥେଷ୍ଟ ସୁଯୋଗ ସୃଷ୍ଟି କରାଯାଇଛି। ତେବେ ଏହି କୋଟିପତିମାନେ ସରକାରୀ କାର୍ଯ୍ୟ, ନିର୍ବାଚନ ପ୍ରକ୍ରିୟା ଏପରିକି ଗଣମାଧ୍ୟମର ମାଲିକାନା କିମ୍ବା ପରିଚାଳନାରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଚାଇନାରେ ବ୍ୟବସ୍ଥା ଅଛି। ଅନ୍ୟ ଭାଷାରେ କହିବାକୁ ଗଲେ କୋଟିପତି ହେବା ଅପରାଧ ନୁହେଁ ଏବଂ ଜଣେ ହୋଇପାରିବେ। କିନ୍ତୁ କୋଟିପତି ଶ୍ରେଣୀ ସୃଷ୍ଟି କଲେ ତାହା ଦେଶ ପାଇଁ କ୍ଷତିକାରକ ହେବ। ଏହାର କାରଣ ମୁଖ୍ୟତଃ ବୁଝାପଡ଼େ ଯେ ସେହି ଅତୁଳନୀୟ ସମ୍ପତ୍ତିର ମାଲିକମାନେ ସବୁ କ୍ଷେତ୍ରରେ ମୁଣ୍ଡ ପୂରାଇଲେ ପରବର୍ତ୍ତୀ ସମୟରେ ସେମାନେ ପଛରେ ରହି ଦେଶର ମଙ୍ଗ ଧରିବାକୁ ପ୍ରଚେଷ୍ଟା କରିବେ। ଗୋଟିଏ ଗଣତାନ୍ତ୍ରିକ ଜନମଙ୍ଗଳ ରାଷ୍ଟ୍ରରେ ଆଦାନୀ ଓ ଟାଟାଙ୍କ ଭଳି ହାତଗଣତି କେତେ କମ୍ପାନୀକୁ ଯଦି ଆକାଶଠୁ ଭୂମି ପର୍ଯ୍ୟନ୍ତ ସବୁକିଛି ଟେକି ଦିଆଯାଏ, ତେବେ ଖୁବ୍ଶୀଘ୍ର ଜନସାଧାରଣଙ୍କ କ୍ଷତି ଘଟିବ।
ଶେଷରେ ଅଜିତ୍ ପାଓ୍ବାରଙ୍କ ପୁତ୍ର ହାତେଇ ନେଇଥିବା ସରକାରୀ ଜମିକୁ ବ୍ୟବହାର କରିବେ କି ନାହିଁ ତାହା କେହି କହିପାରିବେ ନାହିଁ। ହୁଏତ ପରବର୍ତ୍ତୀ ସମୟରେ ସେହି ଜମିକୁ କୌଣସି ଗୋଟିଏ ବଡ଼ କର୍ପୋରେଟ ହାଉସ୍କୁ ଆହୁରି ଅଧିକ ଅର୍ଥରେ ବିକ୍ରି କରିଦେଇପାରନ୍ତି। ତେଣୁ ମୁଖ୍ୟ ବିଷୟ ହେଲା କୋଟିପତି ସୃଷ୍ଟି ହେଲେ ସେମାନଙ୍କ ମାଧ୍ୟମରେ ଅନେକ ସାଧାରଣ ଲୋକ ଚାକିରି କରି ଦରମା ପାଇବେ। କିନ୍ତୁ ଯେତେବେଳେ ରାଜନୈତିକ କ୍ଷମତା ବ୍ୟବହାର କରାଯାଏ, ସେତେବେଳେ ଯେଉଁ ବଡ଼ କର୍ପୋରେଟ ବା କୋଟିପତି ଶ୍ରେଣୀ ସୃଷ୍ଟି ହୁଏ, ସେହି ଶ୍ରେଣୀ ଦେଶ ଏବଂ ସମାଜର ମନ୍ଦ କରିବସିବେ।