ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପୋଷାକ ଭତ୍ତା ମିଳୁନାହିଁ , ଅବସର ବୟସକୁ ନେଇ ରଖିଲେ ଦାବି

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ)-ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଙ୍ଘର ବାର୍ଷିକ ଉତ୍ସବ ରବିବାର ସ୍ଥାନୀୟ ବନ ବିହାର ପରିସରରେ ଅନୁଷ୍ଟିତ ହୋଇଯାଇଛି। ବୈଠକରେ ସଙ୍ଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ବିଶେଷ କରି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅବସର ବୟସ ୬୨ କରିବା ପାଇଁ ଦାବି କରିଥିଲେ। ଏଥିସହ ଭଞ୍ଜନଗର ସହରର ଅନେକ କାର୍ଯ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ପୋଷାକ ଭତ୍ତା ମିଳୁଥିବା ବେଳେ ଆଉ କିଛି କାର୍ଯ୍ୟାଳୟରେ ପୋଷାକ ଭତ୍ତା ମିଳୁନାହିଁ। ଏନେଇ ଆବଶ୍ୟକ ଚିଠି ଦେଖାଇଲେ ମଧ୍ୟ ଉକ୍ତ କାର୍ଯ୍ୟାଳୟର ଅଧିକାରୀମାନେ ପୋଷାକ ଭତ୍ତା ଦେଉନାହାନ୍ତି। ଯାହାକୁ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସଙ୍ଘର ସଭାପତି କାହ୍ନୁ ଚରଣ ଦିଗାଲ ନିବେଦନ କରିଛନ୍ତି। ଏଥିସହ ସଂଘର ସ୍ଥାୟୀ ଗୃହ ନିର୍ମାଣ ସମେତ ପ୍ରମୁଖ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ସଭାପତି ଦିଗାଲ ବୈଠକରେ
ଅଧ୍ୟକ୍ଷତା କରିଥିଲେ । ସାଧାରଣ ସମ୍ପାଦକ ରଞ୍ଜନ ପାତ୍ର, ଉପ ସଭାପତି ରବିନ୍ଦ୍ର କୁମାର ପରିଡ଼ା, କୋଷାଧକ୍ଷ ବିଜୟ କୁମାର ସ୍ବାଇଁ, ସଂଗଠନ ସଂପାଦକ ବିଜୟ ଶତପଥି, ଉପଦେଷ୍ଟା ବିଜୟ ଗୌଡ, ବିପ୍ର ଚରଣ ଗୌଡ, ଦିଲ୍ଲୀପ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ସୂଚନାଯୋଗ୍ୟ ଯେ ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ, କ୍ଷୁଦ୍ର ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ସମେତ ଆଉ କିଛି ବିଭାଗରେ ମଧ୍ୟ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପୋଷାକ ଭତ୍ତା ମିଳୁ ନ ଥିବା ବୈଠକରେ ଆଲୋଚନା ହୋଇଥିଲା।

 

Dharitri – The Largest & Most Trusted Odia Daily