କ୍ଷୁଦ୍ରଗ୍ରହ ଆବିଷ୍କାରକଲେ ୯ମ ଶ୍ରେଣୀ ଛାତ୍ର

ନଏଡା: ଉତ୍ତରପ୍ରଦେଶର ନଏଡାସ୍ଥିତ ଶିବ ନାଡର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଦକ୍ଷ ମଲିକ୍‌ (୧୪) ଏକ କ୍ଷୁଦ୍ରଗ୍ରହ (ଆଷ୍ଟେରଏଡ୍‌)ର ଆବିଷ୍କାର କରିଛନ୍ତି, ଯାହାକୁ ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ସ୍ବୀକୃତି ମିଳିଛି। ଏହାସହ ଦକ୍ଷ ଏହି କ୍ଷୁଦ୍ରଗ୍ରହର ନାମ ଦେବାକୁ ମଧ୍ୟ ସୁଯୋଗ ପାଇବେ। ସମ୍ପ୍ରତି ନାସା ଅସ୍ଥାୟୀ ଭାବରେ ଏହି କ୍ଷୁଦ୍ରଗ୍ରହର ନାମ ‘୨୦୨୩ଓଜି୪୦’ ରଖିଛି।
ଏହି ଆଷ୍ଟେରଏଡ ଆବିଷ୍କାରର ଯାତ୍ରା ଏକ ଇମେଲରୁ ଆରମ୍ଭ ହୋଇଥିଲା। ଦକ୍ଷ ଓ ତାଙ୍କର ୨ ସହପାଠୀଙ୍କୁ ସେମାନଙ୍କ ବିଦ୍ୟାଳୟର ଆଷ୍ଟ୍ରୋନୋମି କ୍ଲବ୍‌ରୁ ଏକ ଇମେଲ୍‌ ଆସିଥିଲା, ଯେଉଁଥିରେ ସେମାନେ ଅନ୍ତର୍ଜାତୀୟ କ୍ଷୁଦ୍ରଗ୍ରହ ଆବିଷ୍କାର ପ୍ରକଳ୍ପ (ଆଇଏଡିପି) ବିଷୟରେ ସୂଚନା ପାଇଥିଲେ। ଆଇଏଡିପି ହେଉଛି ନାସା ସହ ଜଡିତ ଏକ ବିଜ୍ଞାନ ଏବଂ ମହାକାଶ ସମ୍ବନ୍ଧୀୟ ପଦକ୍ଷେପ, ଯାହା ପୃଥିବୀର ବିଭିନ୍ନ ସ୍ଥାନରୁ ଛାତ୍ରୀଛାତ୍ରଙ୍କୁ କ୍ଷୁଦ୍ରଗ୍ରହ ଆବିଷ୍କାର କରିବାର ସୁଯୋଗ ଦେଇଥାଏ। ଦକ୍ଷ ଏବଂ ତାଙ୍କ ଟିମ୍‌ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ସନ୍ଧାନ ସହଯୋଗ (ଆଇଏଏସ୍‌ସି)ରୁ ଡାଟାସେଟ୍‌ ଡାଉନଲୋଡ୍‌ କରିଥିଲେ। ଏହାପରେ ସେମାନେ ଆଷ୍ଟ୍ରୋନୋମି ସଫ୍ଟୱେର୍‌ର ସାହାଯ୍ୟ ନେଇ ଲାଇଟ୍‌ ଏମିଶନ ଓ ଅବ୍‌ଜେକ୍ଟ ମୁଭ୍‌ମେଣ୍ଟ ଉପରେ ଅଧ୍ୟୟନ କରିଥିଲେ। ଦକ୍ଷ ନିଜର ଏହି ଅଭିଜ୍ଞତାକୁ ମଜାଳିଆ ହୋଇଥିବା ବର୍ଣ୍ଣନା କରି କହିଛନ୍ତି, ଏହି କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ନାସାରେ କାର୍ଯ୍ୟ କରୁଥିବା ପରି ଅନୁଭବ ହୋଇଥିଲା। ସେ ପିଲାବେଳୁ ସର୍ବଦା ମହାକାଶ ଏବଂ ବ୍ରହ୍ମାଣ୍ଡ ପ୍ରତି ଆଗ୍ରହୀ ଥିଲେ ବୋଲି ଦକ୍ଷଙ୍କ ପରିବାର ଲୋକେ କହିଛନ୍ତି। ନ୍ୟାଶନାଲ୍‌ ଜିଓଗ୍ରାଫିକ୍‌ରେ ବିଭିନ୍ନ ଡକ୍ୟୁମେଣ୍ଟାରି ଦେଖି ସେ ବଡ ବଡ଼ ଗ୍ରହ ଓ ଗାଲାକ୍ସି ବିଷୟରେ ଜାଣିବାକୁ ପାଇଥିଲେ।
ଆଇଏଡିପି ପ୍ରକଳ୍ପରେ ୬ ହଜାରରୁ ଅଧିକ ଛାତ୍ରୀଛାତ୍ର ଅଂଶଗ୍ରହଣ କରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଖୁବ୍‌ କମ୍‌ ଛାତ୍ରୀଛାତ୍ର ଆଷ୍ଟେରଏଡ୍‌ର ଆବିଷ୍କାର କରିପାରନ୍ତି। ଦକ୍ଷଙ୍କ ପୂର୍ବରୁ କେବଳ ୫ ଜଣ ଭାରତୀୟ ଛାତ୍ରୀଛାତ୍ର ଏପରି କୀର୍ତ୍ତିମାନ ରଚିବାକୁ ସକ୍ଷମ ହୋଇଥିଲେ। ଆଷ୍ଟେରଏଡ୍‌ର ନାମକରଣକୁ ନେଇ ଏବେ ଦକ୍ଷ ଚିନ୍ତା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ଉକ୍ତ ଆଷ୍ଟେରଏଡ୍‌ ପାଇଁ ୨ଟି ନାମ ‘ଡେଷ୍ଟ୍ରୟର ଅଫ୍‌ ଦି ୱାଲର୍‌ଡ’ ଓ ‘କାଉଣ୍ଟଡାଉନ୍‌’ ଭାବିଛନ୍ତି ବୋଲି ଦକ୍ଷ କହିଛନ୍ତି। ଆଗକୁ ନାସା ଦକ୍ଷଙ୍କ ଆବିଷ୍କାରର ଅନ୍ତିମ ଯାଞ୍ଚ କରିବ, ଯାହା ୪ରୁ ୫ ବର୍ଷ ସମୟ ନେଇପାରେ।