ରସୁଲପୁର,୪ା୨(ରଞ୍ଜିତ ରାଉତ):ଯାଜପୁର ଜିଲା କୁଆଖିଆ ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ମାତୃତ୍ୱଲାଭ କରିଛନ୍ତି। ଏହିଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ ନେଇ ଛକବଜାରରେ ଲୋକେ ଟୁପୁରୁଟାପର ହେଉଛନ୍ତି। ଘଟଣାକୁ ଦୁଇଦିନ ବିତିବାକୁ ବସିଲାଣି, ହେଲେ ଏଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାଯାଇଛି। ଛାତ୍ରୀଙ୍କ ପରିବାର ଲୋକଲଜ୍ଜା ଯୋଗୁ ଘଟଣା ପ୍ରଘଟ କରିବାକୁ ଚାହୁନାହାନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକ ଏହାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଦୁଇଦିନ ତଳେ ଛାତ୍ରୀ ପେଟ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଅଞ୍ଚଳର ଏକ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରିବାରୁ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁ ଜନ୍ମ କରାଇବା ସୁବିଧା ନ ଥିବା, ଗର୍ଭବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତର ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ଫଳରେ ପରିବାର ଲୋକେ ତାଙ୍କୁ ଯାଜପୁର ଜିଲାର ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ସେଠାରେ ଛାତ୍ରୀ ଶିଶୁକନ୍ୟା ଜନ୍ମ ଦେଇଥିଲେ। ଛାତ୍ରୀ ଜଣକ ଡାକ୍ତରଖାନା ଚିକିତ୍ସିତ ହେଉଥିବା ସମୟରେ ଅନ୍ୟ ରୋଗୀ ଏ ସମ୍ପର୍କରେ ଅବଗତ ହୋଇଯିବାରୁ ଘଟଣାଟି ପ୍ରଘଟ ହୋଇଯାଇଥିଲା।