ବରଗଡ,୧୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଅବସ୍ଥିତ ସଂସ୍କାର ଇଣ୍ଟରନ୍ୟାଶନାଲ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀ ଆରାଧ୍ୟା ଅଗ୍ରୱାଲଙ୍କୁ ଅଲ ଓଡ଼ିଶା ଅଣ୍ଡର୧୩ ବେଷ୍ଟ ବରଗଡ଼ ଚେସ ଚାମ୍ପିୟନଶିପ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅଲ ଓଡ଼ିଶା ଚେସ ଚାମ୍ପିୟନଶିପ ଫର୍ ୱିମେନ ଗତ ୧୦ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ୨ଦିନ ଧରି ସ୍ଥାନୀୟ ଇମ୍ପିରିଆଲ କଲେଜରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବଲାଙ୍ଗୀର, ସୁନ୍ଦରଗଡ଼, ବରଗଡ଼, ଗଞ୍ଜାମ, କଟକ, ଭୁବନେଶ୍ୱର, ଅନୁଗୋଳ ଆଦି ଜିଲାର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ସଂସ୍କାର ଇଣ୍ଟରନ୍ୟାଶନାଲ ସ୍କୁଲରୁ ଷଷ୍ଠ ଶ୍ରେଣୀର ଆରାଧ୍ୟା ଅଗ୍ରୱାଲ ଓ ସପ୍ତମ ଶ୍ରେଣୀର ଆରାଧ୍ୟା ଲାଠ ମଧ୍ୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସଂସ୍କାର ଇଣ୍ଟରନ୍ୟାଶନାଲ ସ୍କୁଲର ଛାତ୍ରୀ ଆରାଧ୍ୟା ଅଗ୍ରୱାଲ ଅନେକ ରାଉଣ୍ଡରେ ନିଜ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାଜିତ କରି ବରଗଡ଼ ଜିଲାର ଅଣ୍ଡର୧୩ ମହିଳା ଚେସ ଚ୍ୟାମ୍ପିୟନଶିପ ପଦବୀ ଅଧିକାର କରିଥିଲେ। ଏହି ଅବସରରେ ଉପସ୍ଥିତ ଟୁର୍ନାମେଣ୍ଟ ଡାଇରେକ୍ଟର କେ.ଆର. ପ୍ରଧାନ (ସେକ୍ରେଟାରୀ, ବି.ସି.ଡି.ଏ), ଚିଫ୍ ଆର୍ବିଟର ଆଇ.ଏ. ଭାବେଶ ମହାନ୍ତି ଓ ଡେପୁଟି ଚିଫ ଆର୍ବିଟର ଏଫ.ଏ. ବିଘ୍ନେଶ୍ୱର ଯୋଶୀ ସ୍ମୃତିଫଳକ ଓ ପଦକ ପ୍ରଦାନ କରି ଚାମ୍ପିୟନ ଆରାଧ୍ୟା ଅଗ୍ରୱାଲଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଅନ୍ୟତମ ଛାତ୍ରୀ ଆରାଧ୍ୟା ଲାଠଙ୍କୁ ମଧ୍ୟ ଅଂଶଗ୍ରହଣ ପାଇଁ ପଦକ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ପରିଚାଳନା ସମିତି ଉଭୟ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।