ନୂଆଦିଲ୍ଲୀ,୧୪ା୩: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ଦ୍ୱାଦଶ ଶ୍ରେଣୀ ହିନ୍ଦୀ ପରୀକ୍ଷା ମାର୍ଚ୍ଚ ୧୫ ହୋଲି ଦିନ ଅନୁଷ୍ଠିତ ହେବ। ଯେଉଁମାନେ ହୋଲି ପାଳନ ଯୋଗୁ ସେଦିନ ପରୀକ୍ଷା ଦେଇ ନ ପାରିବେ ସେମାନଙ୍କ ପାଇଁ ସ୍ବତନ୍ତ୍ର ପରୀକ୍ଷା କରାଯିବ ବୋଲି ଗୁରୁବାର ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି।
ଦେଶର ଅଧିକାଂଶ ଭାଗରେ ୧୪ ତାରିଖରେ ହୋଲି ଉତ୍ସବ ପାଳନ ହେବାକୁ ଥିବାବେଳେ ଅଳ୍ପ କେତେକ ଅଞ୍ଚଳରେ ୧୫ରେ ପାଳିତ ହେବ ବୋଲି ସିବିଏସ୍ଇକୁ ଜଣାଇ ଦିଆଯାଇଥିଲା ବୋଲି ପରୀକ୍ଷା ନିୟନ୍ତ୍ରକ ସାନ୍ୟାମ ଭରଦ୍ୱାଜ କହିଛନ୍ତି। ୧୫ ତାରିଖରେ ହୋଲି ପାଳନ ହେଉଥିବା ଅଞ୍ଚଳରେ ଯେଉଁ ପିଲାମାନେ ପରୀକ୍ଷାରେ ଯୋଗଦେବାରେ ଅସୁବିଧା ଅନୁଭବ କରିବେ, ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ। ସେମାନଙ୍କ ନିମନ୍ତେ ସ୍ବତନ୍ତ୍ର ପରୀକ୍ଷାର ଆୟୋଜନ କରାଯିବ ବୋଲି ଭରଦ୍ୱାଜ କହିଛନ୍ତି।