ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ କାଳୁ ମଣ୍ଡଳଙ୍କୁ ଘଟଣାର ପ୍ରାୟ ୩ ମାସ ପରେ ତଦନ୍ତକାରୀ ଅଧିକାରୀ ପାଟପୁର ଥାନା ଏସ.ଆଇ ସୁଲେମାନ ଭୁଁୟା ଗିରଫ କରିଛନ୍ତି। ରବିବାର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଏନେଇ ଥାନାରେ ଏକ ମାମଲା(ନଂ.୫୨୯/୨୫) ରୁଜୁ ହୋଇଛି। ୨୦୨୫ ଡ଼ିସେମ୍ବର ୧୬ରେ କାଳୁ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି କେଉଁ ଆଡେ ନେଇଯାଇଥିଲେ।
ଏନେଇ ନାବାଳିକା ଛାତ୍ରୀଙ୍କ ବାପା ପାଟପୁର ଥାନାରେ ଏତଲା ଦେଇଥିଲେ। ତଦନ୍ତକାରୀ ଅଧିକାରୀ ବିଭିନ୍ନ ଅଞ୍ଚଳରେ ଚଢାଉ କରିଥିଲେ। ହେଲେ ଅପହୃତା ଛାତ୍ରୀ କିମ୍ବା ଅପହର୍ତ୍ତା ଅଭିଯୁକ୍ତଙ୍କ ସନ୍ଧାନ ମିଳି ନ ଥିଲା। ଅଭିଯୁକ୍ତ ଜଣକ ଛାତ୍ରୀଙ୍କୁ ନେଇ ପଡୋଶୀ ଆନ୍ଦ୍ରପ୍ରଦେଶ ଚାଲିଯାଇଥିବା ତଦନ୍ତରୁ ଜଣାପଡିଥିଲା।
ଶନିବାର ଅଭିଯୁକ୍ତ ଓ ଛାତ୍ରୀ ଦିଗପହଣ୍ଡିରେ ଥିବା ଖବର ପାଇ ତଦନ୍ତକାରୀ ଅଧିକାରୀ ସଦଳବଳେ ଚଢାଉ କରି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଫେରାର ହେବାକୁ ଉଦ୍ୟମ କରୁଥିବା କାଳୁଙ୍କୁ କାବୁ କରିଥିଲେ।
ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଛାତ୍ରୀ ଙ୍କ ଡାକ୍ତରୀ ମାଇନା କରାଯିବା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଯାଇଥିଲା। ପରେ ପୀଡ଼ିତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।