ରାଉରକେଲା,୬।୨(ଦୀନେଶ କୁମାର ମିଶ୍ର): ସୁନ୍ଦରଗଡ଼ ଜିଲା ବିସ୍ରା ଥାନା ଅନ୍ତର୍ଗତ ଜାମ୍ବେର୍ନା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏ ଘଟଣା ଗାଁରେ ଆତଙ୍କ ଖେଳାଇଦେଇଛି। ଏନେଇ ପୋଲିସ ଛାନଭିନ୍ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ନାବାଳିକା ଜଣଙ୍କ ଗତକାଲି ବିଦ୍ୟାଳୟକୁ ଯାଉଥିବାବେଳେ ନିଖୋଜ ହୋଇଥିଲେ। ଅପରାହ୍ନ ୩.୩୦ରେ ବିଦ୍ୟାଳୟକୁ ଛାତ୍ରୀ ଜଣଙ୍କ ଆସି ନ ଥିବା ନେଇ ତାଙ୍କ ପିତା ଶିକ୍ଷକଙ୍କୁ ଅବଗତ କରିଥିଲେ। ଏହି ଖବର ପରିବାର ଲୋକେ ଜାଣି ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ପରେ ରାତି ସାଢେ ୯ଟାରେ ପାକଡେଗା ଜଙ୍ଗଲରେ ଛାତ୍ରୀ ଜଣଙ୍କ ଅଚେତ ପଡ଼ିଥିବାର ଗ୍ରାମବାସୀ ଦେଖିଥିଲେ। ଏହି ଦୃଶ୍ୟ ଦେଖି ପରିବାର ଏବଂ ଗ୍ରାମବାସୀ ମିଶି ବିସ୍ରା ସରକାରୀ ଡାକ୍ତରଖାନାକୁ ଚିକିତ୍ସା ଲାଗି ନେଇଯାଇଥିଲେ। ସେଠାରେ ଛାତ୍ରୀ ଜଣଙ୍କର ଜୀବନ ଗୁରୁତର ଥିବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାର ଆଜି ଭୋର ୩ଟାରରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ବିସ୍ରା ଥାନାରେ ୩୮/୨୬ରେ ଏକ ମାମଲା ରୁଜୁ ହୋଇଛି। ବିସ୍ରା ପୋଲିସ ଘଟଣାସ୍ଥଳରୁ ସ୍କୁଲ ବ୍ୟାଗ, ସାଇକେଲ ଓ ବିଷ ବୋତଲ ଜବତ କରିଛି। ତେବେ ଛାତ୍ରୀ ଜଣଙ୍କ ଜଙ୍ଗଲକୁ କାହିଁକି ଯାଇଥିଲେ ତାହା ଏବେ ବଡ଼ ପ୍ରଶ୍ନ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।