ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍ – ବି ଲିଗ୍ ମ୍ୟାଚ୍ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି । ବେଙ୍ଗଲ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଶୁକ୍ରବାର ଖେଳ ଶେଷ ସୁଦ୍ଧା୬ ଉଇକେଟ ବିନିମୟରେ ୩୦୧ ରନ ସଂଗ୍ରହ କରିଛି । ଦଳର ପ୍ରାରମ୍ଭିକ ବ୍ୟାଟ୍ସ୍ମ୍ୟାନ୍ ଆୟୁଷ କୁମାର ସିଂ ଓ ଅନସ ଅଲୀ ଖାଁ ଜୋରଦାର ଆରମ୍ଭ କରି ଦଳୀୟ ରନ ଆଗକୁ ବଢାଇ ଚାଲିଥିଲେ । ଦଳୀୟ ସ୍କୋର ୧୭୨ ରନ ହୋଇଥିବା ବେଳେ ଅଲୀ ଖାଁ ନିଜର ଅର୍ଦ୍ଧ ଶତକ ସହ ୬୮ ରନ କରି ଆଉଟ୍ ହୋଇଯାଇଥିଲେ । ପରେ ପରେ ତଳ ଭାଗ ବ୍ୟାଟ୍ସମ୍ୟାନ୍ ମାନଙ୍କ ସହ ଆୟୁଷ ନିଜର ଶତକ ପୁରା କରି ନିଜ ସ୍କୋର ୧୦୭ ରନ କରି ଆଉଟ ହୋଇଯାଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାତ ମୋର୍ଯ୍ୟ ୩୨ ରନ, ବିଶାଳ ଭଟି ୪୪ ରନ କରି ଆଉଟ୍ ହୋଇଥିଲେ । ଶୁକ୍ରବାର ଖେଳ ଶେଷ ବେଳକୁ ଶଶାଙ୍କ ସିଂ ୨୦ ରନ କରି ଓ ରବି କୁମାର ୧ ରନ କରି ଅପରାଜିତ ଅଛନ୍ତି। ଓଡ଼ିଶା ପକ୍ଷରୁ ବାଦଳ ବିଶ୍ଵାଳ ୨୮ରନ ବିନିମୟରେ ୩ ୱିକେଟ , ସାଇଦିପ ମହାପାତ୍ର ୪୨ ରନ ବିନିମୟରେ ୨ ୱିକେଟ, ସାଇ ସୁବ୍ରତ ଜେନା ୪୧ ରନ ବିନିମୟରେ ୧ ୱିକେଟ ନେଇଥିଲେ। ଖେଳକୁ ବିସିସିଆଇର ଅମ୍ପାୟାର ରଞ୍ଜୀବ ଶର୍ମା ଓ ଗଣେଶ ଚରହଟେ ପରିଚାଳନା କରିଥିବାବେଳେ ଗୌରବ ବଶିଷ୍ଟ
ମ୍ୟାଚ୍ ରେଫରି ଥିଲେ। ବିସିସିଆଇ ପକ୍ଷରୁ ସି.ଡି ସୁନିଲ ଓ ବୀରବର ନାୟକ ଅନ୍ଲାଇନ୍ ସ୍କୋରର୍ ଥିବାବେଳେ ସାରଦା ପ୍ରସନ୍ନ ବିଶ୍ଵାଳ ଓ ତାପସ କୁମାର ନାୟକ ଭିଡିଓ ଏନାଲିଷ୍ଟ ରହିଛନ୍ତି।
ଏହି ମ୍ୟାଚ୍ ଆରମ୍ଭ ପୂର୍ବରୁ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଜିଲା କ୍ରିକେଟ ଏସୋସିଏସନ ଓ କ୍ରିଷ୍ଣା ବିକାଶ ଗ୍ରୁପର କର୍ମକର୍ତ୍ତାମାନେ ଯୋଗଦେଇ ମ୍ୟାଚ୍କୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ଜିଲା କ୍ରିକେଟ୍ ଏସୋସିଏସନ୍ ର ସଭାପତି ହରିହର ପ୍ରଧାନ, ସମ୍ପାଦକ ରବି ନାରାୟଣ ପଣ୍ଡା, ଉପସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, କୋଷାଧ୍ୟକ୍ଷ ଅମିୟ ଭୂଷଣ ସାହୁ, ପୂର୍ବତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ, କିଶୋର ରଥ, ପ୍ରଦୀପ ନନ୍ଦ, ଚନ୍ଦ୍ରଶେଖର ପ୍ରଧାନ, ପ୍ରଦୀପ ସାହୁ, ଗୁରୁଦତ୍ତ ଦାସ, ରଜତ ଦାଶ , ଅଙ୍କିତ ମହାନ୍ତି, କ୍ରିଷ୍ଣା ବିକାଶ ଗ୍ରୁପର ସିନିଅର ସେକେଣ୍ଡାରୀ ଅଧ୍ୟକ୍ଷ ଚିତ୍ତ ରଞ୍ଜନ ପତି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ, କ୍ରୀଡା ଅଧିକାରୀ ପିତାମ୍ବର ପ୍ରଧାନ, କ୍ରିକେଟ କୋଚ ଅଶୋକ ସିଂ, ଆସିଷ୍ଟାଣ୍ଟ କ୍ରିକେଟ କୋଚ ରୂପକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଓଡ଼ିଶା ଦଳର ମୁଖ୍ୟ କୋଚ୍ ପୂର୍ବତନ ରଣଜୀ ଖେଳାଳି ସୁବିତ ବିଶ୍ଵାଳ , ଆସିଷ୍ଟାଣ୍ଟ କୋଚ୍ ବିଭୁଦତ୍ତ ପଣ୍ଡା, ଫିଜିଓ ଦିନେଶ ସାହୁ, ଟ୍ରେନର୍ ମନୋଜ ବିଶ୍ୱାଳ, ଭିଡିଓ ଏନାଲିଷ୍ଟ୍ ନବୀନ ବେହେରା, ସାଇଡ ଆର୍ମ ଥ୍ରୋଅର ଭାବରେ ଦିଲୀପ କୁମାର ଚନ୍ଦନ, ଦେବାଶିଷ ପ୍ରଧାନ ମେଶ୍ୟୁର ଥିବା ବେଳେ ସୋର୍ଯ୍ୟ ରଞ୍ଜନ ରୟ ମ୍ୟାନେଜର , ଅନିଲ କୁମାର ବିଶ୍ବାଳ ଆଡମିନ ମ୍ୟାନେଜର , ପୂର୍ବତନ ରଣଜୀ ଖେଳାଳୀ ଅବକାଶ ଖଟୁଆ ଚୟନ କର୍ତ୍ତା ଓ ଅନ୍ୟତମ ପୂର୍ବତନ ରଣଜୀ ଖେଳାଳୀ ସୁଭ୍ରଜିତ ସାହୁ ପର୍ଯ୍ୟବେକ୍ଷକ ଭାବରେ ଓଡ଼ିଶା ଦକରେ ରହିଛନ୍ତି।
ସେହିପରି ବେଙ୍ଗଲ ଦଳର ମୁଖ୍ୟ କୋଚ୍ ରହିଛନ୍ତି ପୂର୍ବତନ ଆନ୍ତର୍ଜାତୀୟ ଖେଳାଳୀ ରିଦ୍ଧିମାନ ସାହା, ଆସିଷ୍ଟାଣ୍ଟ କୋଚ୍ ଅଛନ୍ତି ପୂର୍ବତନ ଆନ୍ତର୍ଜାତୀୟ ଖେଳାଳୀ ଉତ୍ପଳ ଚାଟାର୍ଜୀ ଓ ଦେବବ୍ରତ ଦାସ, ଫିଜିଓ ଦୀପ୍ତି ରଞ୍ଜନ ପରିଡ଼ା, ଟ୍ରେନର୍ କପୂର୍ ଚନ୍ଦ ଅଗ୍ରୱାଲ , ଭିଡିଓ ଏନାଲିଷ୍ଟ୍ ମୁକେଶ ସିହ୍ନା , ସାଇଡ ଆର୍ମ ଥ୍ରୋଅର ଭାବରେ ବିଶାଳ ଯାଦବ, ମୃଣାଳକାନ୍ତି ପଲ ମେଶ୍ୟୁର ରହିଛନ୍ତି।