କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ ଓ ସୁରକ୍ଷିତ), ବିଶେଷକରି ପାନୀୟଜଳର ମାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜୀବନ ଧାରଣ ନିମନ୍ତେ ଜଳର ଅନନ୍ୟ ଭୂମିକା ସତ୍ତ୍ୱେ, ବିଶ୍ୱବ୍ୟାପୀ ପାନୀୟଜଳର ଗୁଣବତ୍ତା ସନ୍ତୋଷଜନକ ନୁହେଁ। ଜଳ ଗୁଣବତ୍ତାର ମାନ ଭୌଗୋଳିକ ସ୍ଥିତି ଅନୁସାରେ ଭିନ୍ନ ଭିନ୍ନ ହୋଇଥିବାବେଳେ ଏହା ବିଭିନ୍ନ ପ୍ରାକୃତିକ ଓ ମନୁଷ୍ୟକୃତ ପରିବେଶର କାରକ ଦ୍ୱାରା ପ୍ରଭାବିତ ହୋଇଥାଏ। ଭାରତ ଏକ ବିଶାଳ ଜନସଂଖ୍ୟାର ଦେଶ ହେତୁ ଏଠାରେ ଜଳ ସମ୍ପଦର ଚାହିଦା ବହୁତ ଅଧିକ। ଗତ ତିନି ଦଶନ୍ଧିକୁ ଲକ୍ଷ୍ୟକଲେ ଏହା ସ୍ପଷ୍ଟ ଅନୁମେୟ ଯେ; ଭାରତରେ ପାନୀୟଜଳର ପ୍ରାପ୍ୟତା ବୃଦ୍ଧି ପାଇଥିଲେ ମଧ୍ୟ ଜଳର ଗୁଣବତ୍ତା ଏକ ସମସ୍ୟା ଭାବେ ଉଭା ହୋଇଛି। ଆଜି ଭାରତ ଯେତେବେଳେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାର ଗୌରବ ଅର୍ଜନ କରୁଛି ବୋଲି କୁହାଯାଉଛି, ସେତେବେଳେ ଭାରତ, ‘ନିରାପଦ ପାନୀୟ ଜଳ’ ଭଳି ଏକ ମୌଳିକ ଆବଶ୍ୟକତା ପୂରଣ ନ କରିପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରିସଂଖ୍ୟାନ ଦୃଷ୍ଟିରୁ ଦେଖିଲେ ଭାରତରେ ଜଳର ଗୁଣବତ୍ତାଜନିତ ସମସ୍ୟା ଦୀର୍ଘଦିନ ଧରି ଚାଲୁଥିବା ଏକ ପରିବେଶୀୟ ଓ ସାମାଜିକ ସମସ୍ୟା ରୂପେ ଉତ୍କଟ ହୋଇଛି।
୨୦୨୬ ମସିହା, ‘ବିଶ୍ୱ ଜଳ ଗୁଣବତ୍ତା ସୂଚକାଙ୍କ’, ‘ସମ୍ମିଳିତ ଜଳ ପରିଚାଳନା ସୂଚକାଙ୍କ’ଏବଂ ‘ପରିବେଶ ପ୍ରଦର୍ଶନ ସୂଚକାଙ୍କ’ରେ ଭାରତର ମାନ୍ୟତା ଏକ ଗମ୍ଭୀର ଚିନ୍ତାର ବିଷୟ ହୋଇଛି। ନିକଟରେ ପ୍ରକାଶ ପାଇଥିବା ବିଶ୍ୱ ଜଳ ଗୁଣବତ୍ତା ସୂଚକାଙ୍କରେ ୧୨୨ଟି ଦେଶ ମଧ୍ୟରୁ ଭାରତ ୧୨୦ତମ ସ୍ଥାନରେ ରହିବା ଓ ସମ୍ମିଳିତ ଜଳ ପରିଚାଳନାରେ ବିଫଳ ହେବା କେବଳ ଏକ ପରିସଂଖ୍ୟାନ ନୁହେଁ, ବରଂ ଏହା ଆମର ନ୍ୟାୟ, ନୈତିକ ଦାୟିତ୍ୱବୋଧ, ଶାସନତନ୍ତ୍ର ଓ ବିକାଶର ମଡେଲ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭାରତ ପୃଥିବୀର ମୋଟ ଭୂଭାଗର ପ୍ରାୟ ୨.୪ ପ୍ରତିଶତ ଅଂଶ ଦଖଲ କରିଥିଲେ ମଧ୍ୟ ଏଠାରେ ପୃଥିବୀର ପ୍ରାୟ ୧୮ ପ୍ରତିଶତ ଲୋକ ବାସ କରନ୍ତି। କିନ୍ତୁ ଭାରତରେ ମୋଟ ମଧୁର ଜଳସମ୍ପଦ ପୃଥିବୀର କେବଳ ୪ ପ୍ରତିଶତ ଅର୍ଥାତ୍ ଭାରତରେ ଜଳସମ୍ପଦ ଉପରେ ଚାପ ବହୁତ ପଡୁଛି। ନୀତି ଆୟୋଗ ଓ ବିଶ୍ୱବ୍ୟାଙ୍କର ସାମ୍ପ୍ରତିକ ତଥ୍ୟ ଅନୁଯାୟୀ, ଭାରତର ପ୍ରାୟ ୭୦ ପ୍ରତିଶତ ପୃଷ୍ଠଭାଗ (ନଦୀ, ହ୍ରଦ ଓ ଜଳାଶୟ)ଜଳ ପ୍ରଦୂଷିତ। ଦିନକୁ ଦିନ ଏହାର ଗୁଣବତ୍ତା ହ୍ରାସ ପାଇବାରେ ଲାଗିଛି, ଯାହା ସିଧାସଳଖ ବ୍ୟବହାର ପାଇଁ ଅନୁପଯୁକ୍ତ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମତରେ ଜଳରେ ଜୈବିକ ଉପାଦାନ (ବ୍ୟାକ୍ଟେରିଆ,ଭୂତାଣୁ, ପରଜୀବୀ, ଶୈବାଳ), ରାସାୟନିକ ଉପାଦାନ (ନାଇଟ୍ରେଟ ଓ ଫସ୍ଫେଟ), କୀଟନାଶକ (ଫ୍ଲୋରାଇଡ ଓ ଆର୍ସେନିକ), ଭାରିଧାତୁ (ସୀସା,ପାରଦ ଓ କ୍ରୋମିଅମ), ଭୌତିକ ଉପାଦାନ (ମାଟି, କାଦୁଅ, ପ୍ଲାଷ୍ଟିକ, ତୈଳ ପଦାର୍ଥ ଓ ପଥର) ଆଦି ମିଶି ଜଳର ଗୁଣବତ୍ତାକୁ ହ୍ରାସ କରିଥାଏ। ସାଧାରଣରେ ବୁଝିବାକୁ ଗଲେ ଜଳରେ ଯେତେବେଳେ କଠିନ ପଦାର୍ଥ (ଟିଡିଏସ୍), ଅମ୍ଳତା (ପିଏଚ) ଏବଂ କ୍ଷାରର ମାତ୍ରା ସୀମା ବାହାରକୁ ଚାଲିଯାଏ, ସେତେବେଳେ ସେହି ଜଳ ବ୍ୟବହାର ପାଇଁ ଅନୁପଯୁକ୍ତ ହୁଏ। ଏକ ସର୍ଭେରୁ ଜଣାପଡିଛି, ଭାରତର ମାତ୍ର ୧୫ ପ୍ରତିଶତ ଲୋକ ଜଳକୁ ବିଶୁଦ୍ଧ କରିବା ପାଇଁ ଫିଲ୍ଟର୍ ବ୍ୟବହାର କରୁଥିବା ବେଳେ ୧୦ ପ୍ରତିଶତ ଲୋକ ଜଳକୁ ଫୁଟାଇ ବ୍ୟବହାର କରିଥାନ୍ତି। ଅବଶିଷ୍ଟ ଲୋକ ଜଳକୁ ସିଧାସଳଖ ବ୍ୟବହାର କରୁଛନ୍ତି।
ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଅନୁଯାୟୀ ବ୍ୟବହାର ଅନୁପଯୋଗୀ ଜଳକୁ ଦୈନନ୍ଦିନ ଜୀବନରେ ବ୍ୟବହାର କରି ପ୍ରତିବର୍ଷ ଲକ୍ଷାଧିକ ଲୋକ ଜଳଜନିତ ରୋଗ (ଡାଇରିଆ, କଲେରା, ଜଣ୍ଡିସ,ଟାଇଫଏଡ୍ ଓ ହେପାଟାଇଟିସ)ରେ ପୀଡ଼ିତ ହୁଅନ୍ତି ଓ ବାର୍ଷିକ ହାରାହାରି ପ୍ରାୟ ୨ ଲକ୍ଷ ଲୋକଙ୍କର ପ୍ରାଣହାନି ଘଟିଥାଏ। ବିଶେଷ କରି ଭାରତର ଶ୍ରମଶକ୍ତିର ମେରୁଦଣ୍ଡ ସାଜିଥିବା ବସ୍ତି ବା ଅଣଆନୁଷ୍ଠାନିକ ବସତିଗୁଡ଼ିକ ଓ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ସିଧାସଳଖ ଭୂପୃଷ୍ଠର ଏହି ଦୂଷିତ ଜଳକୁ ବ୍ୟବହାର କରି ନାନା ରୋଗରେ ପୀଡ଼ିତ ହେଉଛନ୍ତି। କେବଳ ଏତିକି ନୁହେଁ, ଭୂତଳ ଜଳରେ ପ୍ରଦୂଷଣର ମାତ୍ରା ମଧ୍ୟ ଦିନକୁ ଦିନ ବଢ଼ି ଚାଲିଛି । ଭାରତ ବିଶ୍ୱର ସବୁଠାରୁ ଅଧିକ ଭୂତଳ ଜଳ ବ୍ୟବହାରକାରୀ ଦେଶ ହୋଇଥିବାରୁ ଜଳଜନିତ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଉଛି।
ବିଡ଼ମ୍ବନାର ବିଷୟ ଯେ ଭାରତ ଯେତେବେଳେ ମେଗା-ପ୍ରୋଜେକ୍ଟ, ହାଇ-ସ୍ପିଡ କରିଡର ଏବଂ ଅନ୍ତର୍ଜାତୀୟ ଶିଖର ସମ୍ମିଳନୀ ପାଳନ କରୁଛି, ସେତେବେଳେ ଜଳ ଭିତ୍ତିଭୂମି ସେହିପରି ପୁରୁଣା କାଳିଆ ହୋଇ ରହିଛି କିମ୍ବା ଆଦୌ ନାହିଁ। ଜଳ ଶାସନ ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ଏବଂ ସଂସ୍ଥା ମଧ୍ୟରେ ବିଭକ୍ତ ହୋଇ ରହିଛି, ଯେଉଁଠି ଉତ୍ତରଦାୟିତ୍ୱ କମ୍ ଏବଂ ସମନ୍ବୟ ତା’ଠାରୁ ବି କମ। ସରକାରଙ୍କର ସାର୍ବଜନୀନ ଜଳ ବ୍ୟବସ୍ଥା ପ୍ରତି ଅନେକ ଦଶନ୍ଧି ଧରି ଅବହେଳା, ସ୍ଥାୟୀ ସମାଧାନ ନ କରିବା, ସାର୍ବଜନୀନ ପୁଞ୍ଜି ବିନିଯୋଗ ନ କରିବା, ବିକେନ୍ଦ୍ରୀକୃତ ଜଳ ପରିଚାଳନା ବ୍ୟବସ୍ଥା, ପ୍ରଦୂଷଣ ନିୟନ୍ତ୍ରଣ ବାହାରକୁ ଚାଲିଯିବା, ଭୂତଳ ଜଳ ସୁରକ୍ଷା ନ କରିପାରିବା, ଆୟୋଜିତ ସହରୀକରଣ, ଶିଳ୍ପ ପ୍ରଦୂଷଣ, ନଦୀ ପରିଚାଳନାରେ ତ୍ରୁଟି, ବର୍ଜ୍ୟବସ୍ତୁ ପରିଚାଳନାର ଅଭାବ ଏବଂ ଜଳବାୟୁ ପ୍ରତି ଅଜ୍ଞତା ଯୋଗୁ ଆଜି ଆମଦେଶରେ ଏକ ପୂର୍ଣ୍ଣକାଳୀନ ଜଳ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ତଥାପି, ଜଳକୁ ଏକ ସାର୍ବଜନୀନ ସମ୍ପଦ ଏବଂ ସାମ୍ବିଧାନିକ ଅଧିକାର ଭାବେ ବିଚାର କରିବା ପରିବର୍ତ୍ତେ, ଏହାକୁ ଏକ ବ୍ୟବସାୟିକ ପଣ୍ୟ ଦ୍ରବ୍ୟରେ ପରିଣତ କରାଯାଇଛି, ଯାହାର ମୂଲ୍ୟ ଧାର୍ଯ୍ୟ କରାଯାଉଛି, ଘରୋଇକରଣ ହେଉଛି ଏବଂ ବଣ୍ଟନ ଅସମାନ ହେଉଛି। ଜଳର ଗୁଣବତ୍ତା ବୃଦ୍ଧି କରିବା ତଥା ଶୁଦ୍ଧ ପାନୀୟଜଳ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ‘ଜଳ ଜୀବନ ମିଶନ’ ଏବଂ ‘ଅମୃତ ୨.୦’ ଭଳି ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଜଳର ଗୁଣବତ୍ତା ବୃଦ୍ଧି କରିବାରେ ସକ୍ଷମ ହୋଇପାରିନାହାନ୍ତି। ଯେତେବେଳେ ଲୋକେ ନିରାପଦ ପାନୀୟ ଜଳ ପାଇପାରୁ ନାହାନ୍ତି, ସେତେବେଳେ ‘ଆର୍ଥିକ ମହାନତା’ର କ’ଣ ପ୍ରୟୋଜନ ଅଛି !! ଭାରତର ଅଭିବୃଦ୍ଧିର କାହାଣୀ କେତେ ଅସାର, ତାହା ଜଳସଙ୍କଟ ଯେପରି ଭାବେ ପଦାରେ ପକାଉଛି, ତାହା ଅନ୍ୟ କୌଣସି ସୂଚକାଙ୍କ କରିପାରିବ ନାହିଁ। ଏହିଠାରେ ହିଁ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାର ଦାବି ନିଜ ଭାରରେ ନିଜେ ଭୁଶୁଡ଼ି ପଡୁଛି।
ଜଳ କୌଣସି ରାଜନୈତିକ ସ୍ଲୋଗାନ କିମ୍ବା ପରିସଂଖ୍ୟାନର ବିଷୟ ନୁହେଁ, ବରଂ ଏହା ମାନବ ଅଧିକାର। ଯେପର୍ଯ୍ୟନ୍ତ ଦେଶର ନାଗରିକ ନିରାପଦ ପାନୀୟ ଜଳ ପାଇଁ ସଂଗ୍ରାମ କରୁଥିବ, ସେପର୍ଯ୍ୟନ୍ତ ଆମର ଆର୍ଥିକ ମହାନତା ଅସମ୍ପୂର୍ଣ୍ଣ। ସମୟ ଆସିଛି, ବିକାଶର ସଂଜ୍ଞାକୁ କେବଳ ଉପରିସ୍ଥ ଚମକରେ ନୁହେଁ, ବରଂ ନିମ୍ନସ୍ଥ ଜଳସ୍ତରର ସୁରକ୍ଷାରେ ମାପିବା। ଜଳର ଗୁଣବତ୍ତା ମାପକ ସୂଚକାଙ୍କରେ ଭାରତର ସ୍ଥିତି ଆମ ପାଇଁ ଏକ ‘ଚେତାବନୀ’ ସଦୃଶ୍ୟ। ଏ ବିଷୟରେ ଚିନ୍ତା କରିବାକୁ ପଡ଼ିବ। ଖାଲି ବ୍ୟବସ୍ଥା ଉପରେ ଦୋଷ ଲଦି ନ ଦେଇ ଜନସାଧାରଣଙ୍କୁ ମଧ୍ୟ ଏ ଦିଗରେ ସଚେତନ ହେବାକୁ ପଡ଼ିବ। ଜଳର ସୁରକ୍ଷା ଓ ସଂରକ୍ଷଣ ପ୍ରତ୍ୟେକ ନାଗରିକର ଦାୟିତ୍ୱ ହେବା ବିଧେୟ। ଜଳର ଗୁଣବତ୍ତା ଓ ସୁରକ୍ଷା ପାଇଁ ସରକାର, ଶିଳ୍ପ ସଂସ୍ଥା ଓ ଜନସାଧାରଣଙ୍କ ମିଳିତ ପ୍ରୟାସ ଆବଶ୍ୟକ ନଚେତ୍ ମାନବ ସଭ୍ୟତା ନିଶ୍ଚିହ୍ନ ହୋଇଯିବ।
ଅଧ୍ୟାପକ, ବାଣିଜ୍ୟ ବିଭାଗ, ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟ, କଟକ
ମୋ:୯୪୩୮୦୭୦୮୪୯