ବ୍ରହ୍ମପୁର ଅଫିସ,୨।୪: ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ବ୍ରହ୍ମପୁର ନଗର ଚିକିତ୍ସାଳୟରେ ଥିବା ନିଦାନ କେନ୍ଦ୍ରରେ ଅବ୍ୟବସ୍ଥା ସାମ୍ନାକୁ ଆସିଛି। କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ନିମନ୍ତେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ରୋଗୀଙ୍କ ଠାରୁ ସଂଗ୍ରହ ହୋଇଥିବା ରକ୍ତ ନମୁନା ପରୀକ୍ଷା କରାଯାଉ ନ ଥିବା ଅଭିଯୋଗ ହୋଇଛି ଏବଂ ଜଣକ ପରୀକ୍ଷା ରିପୋର୍ଟ ଅନ୍ୟ ଜଣଙ୍କୁ ଦିଆଯାଉଥିବା ଦେଖିବାକୁ ମିଳିଛି। କର୍ମଚାରୀଙ୍କ ଏଭଳି କାର୍ଯ୍ୟ ନିମନ୍ତେ ରୋଗୀମାନେ ସଠିକ ସମୟରେ ଡାକ୍ତରଙ୍କୁ ଉକ୍ତ ରିପୋର୍ଟ ଦେଖାଇ ପାରୁନାହାଁନ୍ତି। ବ୍ରହ୍ମପୁର ନଗର ଚିକିତ୍ସାଳୟ ଉପରେ ବ୍ରହ୍ମପୁର ସହର ସମେତ ସହର ଠାରୁ ପ୍ରାୟ ୧୫ରୁ ୨୦ କିଲୋମିଟର ଦୂର ପର୍ଯ୍ୟନ୍ତ ଥିବା ଅନେକ ରୋଗୀ ନିର୍ଭର କରିଥାନ୍ତି। ସେହିପରି ଉକ୍ତ ହସ୍ପିଟାଲରେ ପ୍ରତ୍ୟେକ ଦିନ ଶତାଧିକ ରୋଗୀ ଚିକିତ୍ସା ନିମନ୍ତେ ଆସିଥାନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ରୋଗୀମାନେ ହସ୍ପିଟାଲ ପରିସରରେ ଥିବା ନିଦାନ କେନ୍ଦ୍ରକୁ ରୋଗ ପରୀକ୍ଷା ନିମନ୍ତେ ଯାଇଥାନ୍ତି। ସେଠାରେ ନିଜର ରକ୍ତ ନମୁନା ପରୀକ୍ଷା ନିମନ୍ତେ ଦେଇଥିବା ବେଳେ ଏହାର କିଛି ଘଣ୍ଟା ମଧ୍ୟରେ ରିପୋର୍ଟ ସଂଗ୍ରହ କରିଥାନ୍ତି। କିନ୍ତୁ ବିଭାଗରେ କାର୍ଯ୍ୟରତ କିଛି କର୍ମଚାରୀଙ୍କ ମାନମାନି ଯୋଗୁଁ ସଠିକ୍ ସମୟରେ ରୋଗୀ ରିପୋର୍ଟ ପାଇ ପାରୁନଥିବା ଅଭିଯୋଗ ହୋଇଛି।
ଦୁର୍ବନ୍ଧ ଗ୍ରାମର ପ୍ରମିଳା ସାହୁଙ୍କ ୨ ଦିନର ନବଜାତ ପୁତ୍ରଟିର ସ୍ବାସ୍ଥ୍ୟ ଖରାପ ରହିଥିବାରୁ ତାଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲର ଏସ୍ଏନ୍ସିୟୁରେ ଚିକିତ୍ସା ନିମନ୍ତେ ଗତ ଦୁଇ ଦିନ ପୂର୍ବେ ଭର୍ତ୍ତି କରିଥିଲେ। ଶିଶୁଟିର ୩ଟି ପରୀକ୍ଷା ନିମନ୍ତେ ଡାକ୍ତର ପରାମର୍ଶ ଦେଇଥିଲେ। ପରେ ମେଡ଼ିକାଲରେ ଥିବା ନିଦାନ ବିଭାଗରେ ଶିଶୁଟିର ରକ୍ତ ନମୁନା ଦିଆଯାଇଥିଲା। କିନ୍ତୁ ଉକ୍ତ ୩ଟି ପରୀକ୍ଷା ମଧ୍ୟରୁ ୨ଟି ପରୀକ୍ଷାର ରିପୋର୍ଟ କରାଯାଇଥିବା ବେଳେ ଆଉ ଗୋଟିଏର ପରୀକ୍ଷାର ରିପୋର୍ଟ ସେ ପାଇ ନଥିଲେ। ପରେ କର୍ମଚାରୀଙ୍କ କହିବା ଅନୁଯାୟୀ ଉକ୍ତ ନବଜାତ ଶିଶୁଟିର ପରୀକ୍ଷା ନିମନ୍ତେ ପୁଣି ଥରେ ରକ୍ତ ନମୁନା ଦେଇଥିଲେ। କିନ୍ତୁ ଦ୍ୱିତୀୟ ଦିନରେ ମଧ୍ୟ ଶିଶୁ ପୁତ୍ରଟିର ପରୀକ୍ଷା ରିପୋର୍ଟ ମିଳିଲା ନାହିଁ ଏବଂ କାହିଁକି ରିପୋର୍ଟ ପ୍ରସ୍ତୁତ ହୋଇପାରିଲା ନାହିଁ ସେ ସମ୍ପର୍କରେ ମେଡିକାଲ ପକ୍ଷରୁ ତାଙ୍କୁ ଜଣାଯାଇନଥିଲା। ଏହା ସହ ତାଙ୍କୁ ପୁଣି ଥରେ ଉକ୍ତ ଶିଶୁଟିର ରକ୍ତ ନମୁନା ସଂଗ୍ରହ କରିବାକୁ କୁହାଯାଇଥିଲା। ଏ ନେଇ ଶିଶୁ ପୁତ୍ରର ପରିବାର ଲୋକେ ଶୁକ୍ରବାର ହସ୍ପିଟାଲ ଅଧୀକ୍ଷକ ଡ଼ା. ବିଶ୍ୱମ୍ବର ବେହେରାଙ୍କ ନିକଟରେ ଅଭିଯୋଗ କରିଥିଲେ। କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ଓ ତ୍ରୁଟି ନିମନ୍ତେ ଏଭଳି ଅନେକ ରୋଗୀ ସମସ୍ୟାର ସମ୍ମୁଖୀନ କରୁଥିବା ଦେଖିବାକୁ ମିଳିଥିଲା। ଗର୍ଭବତୀ ଅଛନ୍ତି କି ନାହିଁ ଏନେଇ ଜଣେ ମହିଳା ଡାକ୍ତରଙ୍କ ପରାମର୍ଶ କ୍ରମେ ନିଦାନ ବିଭାଗକୁ ଯାଇଥିଲେ। କର୍ମଚାରୀମାନେ ଉକ୍ତ ମହିଳାଙ୍କ ରିପୋର୍ଟ ବଦଳରେ ଅନ୍ୟ ଜଣେ ଯୁବତୀଙ୍କ ମୂତ୍ର ପରୀକ୍ଷା ରିପୋର୍ଟ ଦେଇଦେଇଥିଲେ। ସେହିପରି ମୂତ୍ର ପରୀକ୍ଷା ନିମନ୍ତେ ନମୁନା ଦେଇଥିବା ଯୁବତୀ ଜଣକ ତାଙ୍କ ରିପୋର୍ଟ ପାଇନଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଏକ ନୂଆ ରିପୋର୍ଟ ପ୍ରଦାନ କରାଯାଇଥିଲା। ଏ ନେଇ ମେଡିକାଲ ଅଧୀକ୍ଷକ ଡାକ୍ତର ବିଶ୍ୱମ୍ବର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ନିଦାନ ବିଭାଗରୁ ରୋଗୀଙ୍କ ପରୀକ୍ଷା ରିପୋର୍ଟରେ ସଂଗ୍ରହ କରିବାରେ ବିଲମ୍ଭ ହେଉଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ରୋଗୀମାନେ କିଭଳି ଠିକ୍ ସମୟରେ ରିପୋର୍ଟ ପାଇବେ ସେନେଇ ବିଭାଗର କର୍ମଚାରୀଙ୍କ ସହ ଆଲୋଚନା କରାଯିବ।