Categories: ମେଟ୍ରୋ

ସହରରେ ସିଟି ଫେଷ୍ଟିଭାଲ, ଜିଲାରେ ହେବ ଉତ୍ସବ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ଆସନ୍ତା ବର୍ଷ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍‌-୨୦୨୩ ଅନୁଷ୍ଠିତ ହେବ। ଏ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ବିଶ୍ୱକପ୍‌ ବେଳେ ସାରା ରାଜ୍ୟରେ ସିଟି ଫେଷ୍ଟିଭାଲ ଓ ଜିଲା ସ୍ତରରେ ଜିଲାସ୍ତରୀୟ ଉତ୍ସବ ଆୟୋଜିତ ହେବ।
ସ୍କୁଲ, କଲେଜରେ ଖେଳ ଓ ହକିର ପ୍ରସାର ପାଇଁ ପ୍ରୋତ୍ସାହିତ କରାଯିବ। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ହକି ବିଶ୍ବକପ୍‌ ଆୟୋଜନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ବିଶ୍ବକପ୍‌ ଆୟୋଜନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ସମୀକ୍ଷା ବେଳେ ଷ୍ଟାଡିୟମ ପ୍ରସ୍ତୁତି, ଯୋଗାଯୋଗ, ଆତିଥ୍ୟ, ଟ୍ରାଫିକ୍‌ ଓ ଗହଳି ନିୟନ୍ତ୍ରଣ, ସୁରକ୍ଷା ଆଦି ଦିଗ ଉପରେ ଆଲୋଚନା କରାଯାଇଛି। ଚଳିତ ଆର୍ଥିକ ବର୍ଷରେ କ୍ରୀଡ଼ା ଓ ଯୁବସେବା ବିଭାଗ ୭୫କୋଟି ଟଙ୍କା ହକି ବିଶ୍ବକପ୍‌ ପାଇଁ ବ୍ୟୟ କରିବ । ଭୁବନେଶ୍ବରର କଳିଙ୍ଗ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ବିଶ୍ୱକପ୍‌ ଖେଳ ହେବ। ଉଭୟ ଷ୍ଟାଡିୟମରେ ସମସ୍ତ ବନ୍ଦୋବସ୍ତ କରାଯାଉଛି। ଖୁବ୍‌ଶୀଘ୍ର ରାଉରକେଲାକୁ ବିମାନ ଚଳାଚଳ ଆରମ୍ଭ ହେବ। ରାଉରକେଲାରେ ଜାନୁୟାରୀରୁ ମୋ ବସ୍‌ ସେବା ଆରମ୍ଭ ହେବ। ପାଖରେ ହକି ଟିକେଟ ଥିଲେ ଷ୍ଟାଡିୟମକୁ ମାଗଣାରେ ମୋ ବସ୍‌ରେ ଯାଇପାରିବେ ।
ଆସନ୍ତା ୧୧ ତାରିଖରେ କଟକରେ ହକି ବିଶ୍ବକପ୍‌ ଉଦ୍‌ଘାଟନ କାର୍ଯ୍ୟକ୍ରମ ହେବ ।
ବିଶ୍ବକପ୍‌ ପୂର୍ବରୁ ସବୁ ଜିଲାରେ ନଗର କ୍ରୀଡ଼ା ଆୟୋଜନ କରାଯିବ । ଏଥିରେ ବିଭିନ୍ନ ବିଭାଗରେ ଖେଳ ଅନୁଷ୍ଠିତ ହେବ । ବିଜୟୀଙ୍କୁ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ରାଜ୍ୟର ସବୁ ଜିଲାକୁ ହକି ଟ୍ରଫି ଟୁର୍‌ କରିବ । ଉଭୟ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ବିଶ୍ୱକପ୍‌ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ୱକପ୍‌ ପାଇଁ ଚାଲିଥିବା ପ୍ରସ୍ତୁତିକୁ ନେଇ ଆୟୋଜକ କମିଟି ସନ୍ତୋଷ ବ୍ୟକ୍ତ କରିଛି। ଏହି ବୈଠକରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଭାରତୀୟ ହକି ଫେଡେରେଶନର ଅଧିକାରୀମାନେ ଉପସ୍ଥିତ ଥିଲେ।