ସିଗାରେଟ୍ ଦରରେ ବଡ଼ ବୃଦ୍ଧି: ପ୍ୟାକେଟ୍ ପିଛା ଏତିକି ଟଙ୍କା ଯାଏ ବଢ଼ିଲା ଦାମ୍

ନୂଆଦିଲ୍ଲୀ,୨।୨: ଫେବୃୟାରୀ ୧, ଆରମ୍ଭରୁ ଦେଶରେ ସିଗାରେଟ୍ ଏବଂ ତମାଖୁ ଜାତ ଦ୍ରବ୍ୟର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟିଛି। କେନ୍ଦ୍ର ସରକାର ତମାଖୁ ଉପରେ ଅତିରିକ୍ତ ଅବକାରୀ ଶୁଳ୍କ ଏବଂ ସ୍ୱାସ୍ଥ୍ୟ ସେସ୍ ଲାଗୁ କରିବା ପରେ ଏହି ମୂଲ୍ୟ ବୃଦ୍ଧି ପାଇଛି। ପ୍ରାୟ ୭ ବର୍ଷ ପରେ ସିଗାରେଟ୍ ଉପରେ ଟିକସ ବଢ଼ାଯାଇଥିବାରୁ ଏବେ ଧୂମପାନ ଗ୍ରାହକଙ୍କ ପକେଟ୍ ଉପରେ ବଡ଼ ପ୍ରଭାବ ପଡ଼ିଛି।

ସଂଶୋଧିତ ଟିକସ ବ୍ୟବସ୍ଥା ଅନୁଯାୟୀ, ୧୦ଟି ସିଗାରେଟ୍ ଥିବା ଏକ ସାଧାରଣ ପ୍ୟାକେଟ୍‌ର ମୂଲ୍ୟରେ ଅତି କମରେ ୨୨ ରୁ ୨୫ ଟଙ୍କା ବୃଦ୍ଧି ଘଟିଛି। ସେହିପରି ପ୍ରିମିୟମ୍ ବା ଲମ୍ବା (୭୬ mm ରୁ ୮୪ mm) ସିଗାରେଟ୍ ପ୍ୟାକେଟ୍ ପିଛା ୫୦ ରୁ ୫୫ ଟଙ୍କା ଯାଏଁ ଦର ବଢ଼ିଛି।

ନୂତନ ନିୟମ ଅନୁଯାୟୀ:

Wills Navy Cut (76 mm): ପୂର୍ବରୁ ୯୫ ଟଙ୍କା ଥିବା ବେଳେ ଏବେ ଏହା ପ୍ରାୟ ୧୨୦ ଟଙ୍କାରେ ବିକ୍ରି ହେଉଛି।

Gold Flake Lights/Classic (84 mm): ପୂର୍ବରୁ ୧୭୦ ଟଙ୍କା ଥିବା ଏହି ପ୍ୟାକେଟ୍‌ର ମୂଲ୍ୟ ବର୍ତ୍ତମାନ ୨୨୦ ରୁ ୨୨୫ ଟଙ୍କା ମଧ୍ୟରେ ରହିଛି।

Classic Connect (97 mm): ୨୦ଟି ସିଗାରେଟ୍ ଥିବା ଏହି ପ୍ୟାକେଟ୍‌ର ମୂଲ୍ୟ ୩୦୦ ଟଙ୍କାରୁ ବୃଦ୍ଧି ପାଇ ପ୍ରାୟ ୩୫୦ ଟଙ୍କା ହୋଇଛି।

ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଧୂମପାନକୁ ନିରୁତ୍ସାହିତ କରିବା ପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି। ଏଣିକି ସିଗାରେଟ୍‌ର ଲମ୍ବ ଅନୁସାରେ ‘ପ୍ରତି ଷ୍ଟିକ୍’ ଉପରେ ଶୁଳ୍କ ଆଦାୟ କରାଯିବ। ବର୍ତ୍ତମାନ ଏହା ଉପରେ ସର୍ବାଧିକ ୪୦% GST ସହ ଅତିରିକ୍ତ ସେସ୍ ଲାଗୁ କରାଯାଇଛି। ତେବେ ହଠାତ୍ ଦର ବୃଦ୍ଧି ଯୋଗୁଁ ବଜାରରେ ନକଲି ସିଗାରେଟ୍ କାରବାର ବଢ଼ିବାର ଆଶଙ୍କା କରି ପରିବେଷକ ସଂଘ ଚିନ୍ତା ପ୍ରକଟ କରିଛନ୍ତି।