ବାପା ହେଲେ ‘କ୍ୟାପ୍ଟେନ୍ ଆମେରିକା’, ପ୍ରଥମ ସନ୍ତାନକୁ କଲେ ସ୍ୱାଗତ

ଲସ୍ ଏଞ୍ଜେଲସ୍,୨୮।୧୦: ହଲିଉଡ୍ ଅଭିନେତା ତଥା ‘କ୍ୟାପ୍ଟେନ୍ ଆମେରିକା’ ଷ୍ଟାର୍ କ୍ରିସ୍ ଇଭାନ୍ସ ଏବଂ ତାଙ୍କ ପତ୍ନୀ ଆଲବା ବାପ୍ଟିଷ୍ଟା ଏକ ଶିଶୁର ବାପା-ମା’ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, କ୍ରିସ୍ ଏବଂ ଆଲବା ଶନିବାର (ଅକ୍ଟୋବର ୨୫) ଆମେରିକାର ମାସାଚୁସେଟ୍‌ସ୍‌ରେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି।

ନିଜ ସମ୍ପର୍କକୁ ସର୍ବଦା ଗୋପନୀୟ ରଖିବାକୁ ପସନ୍ଦ କରୁଥିବା ଏହି ଦମ୍ପତି ଗର୍ଭଧାରଣ ଖବରକୁ ମଧ୍ୟ ଲୋକଲୋଚନରୁ ଦୂରରେ ରଖିଥିଲେ। ତେବେ ଶିଶୁର ନାମ କିମ୍ବା ଲିଙ୍ଗ ବିଷୟରେ ସେମାନେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି।

ପିତା ହେବା ତାଙ୍କ ପାଇଁ ଏକ ସ୍ୱପ୍ନର ଭୂମିକା ବୋଲି କ୍ରିସ୍ ଇଭାନ୍ସ ପୂର୍ବରୁ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଏବଂ ସେ ଦିନେ ଜଣେ “ସୁପରହିରୋ ବାପା”ର ଆଖ୍ୟା ଅର୍ଜନ କରିବାକୁ ଆଶା ରଖିଛନ୍ତି ବୋଲି କହିଥିଲେ।

କ୍ରିସ୍ ଏବଂ ଆଲବା ୨୦୨୨ରେ ସମ୍ପର୍କରେ ଆସିବା ପରେ ୨୦୨୩ ମସିହାରେ ବୋଷ୍ଟନ୍‌ସ୍ଥିତ ସେମାନଙ୍କ ଘରେ ଏକ ଅନ୍ତରଙ୍ଗ ସମାରୋହରେ ବିବାହ କରିଥିଲେ। ସେ ନିଜ ପିଲାମାନଙ୍କ ସହ ପିଲାଦିନର ପାରିବାରିକ ସ୍ନେହ ଏବଂ ଖ୍ରୀଷ୍ଟମାସ ପରମ୍ପରାକୁ ପୁଣିଥରେ ସୃଷ୍ଟି କରିବାକୁ ଆଶା ରଖିଛନ୍ତି ବୋଲି ଜଣାଇଛନ୍ତି।