ହଇଜା ନେଲା ଜୀବନ: ପ୍ରଶାସନର ବିଫଳତାକୁ ପ୍ରଘଟ କଲେ ବିଭିନ୍ନ ଯୋଜନାରୁ ପଡିବେ ବାଦ୍‌…

ଦିଗପହଣ୍ଡି,୧୧।୭(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଦୁର୍ଗମ ଉସ୍ତପଲ୍ଲୀ ଗ୍ରାମରେ ହଇଜା ସଂକ୍ରମିତ ଜଣେ ଶିଶୁ ଶୁକ୍ରବାର ମୃତ୍ୟୁବରଣ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗୁରୁବାର ସେ ବ୍ରହ୍ମପୁର ବଡ ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ମୃତକ ଜଣକ ଉସ୍ତପଲ୍ଲୀ ଗ୍ରାମର ରଘୁନାଥ ଶବରଙ୍କ ଦେଢବର୍ଷର ପୁଅ ବାବୁଲି ଶବର ବୋଲି ସୂଚନା ମିଳିଛି।
ପିଲାର ମତ୍ୟୁପରେ ଉସ୍ତପଲିରେ ହଇଜା ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ପୂର୍ବରୁ ଗ୍ରାମର ଦାସ ଶବର ଓ ପ୍ରକାଶ ରଇତଙ୍କ ମୃତ୍ୟୁ ହୋଇଥିଲା। ତେବେ ପ୍ରଶାସନ ପକ୍ଷରୁ ହଇଜା ମୃତ୍ୟୁକୁ ଅସ୍ବୀକାର କରାଯାଇ ଅପମିଶ୍ରିତ ଖାଦ୍ୟ ଖାଇବା ଯୋଗୁ ପେଟ ଯନ୍ତ୍ରଣାରେ ସେମାନଙ୍କ ମତ୍ୟୁ ହୋଇଥିବା ସଫେଇ ଦିଆଯାଇଥିଲା। ଏପରିକି ଶିଶୁଟିର ମତ୍ୟୁର କାରଣ ମଧ୍ୟ ହଇଜା ନୁହେଁ ବରଂ ବଡମୁଣ୍ଡ ଜନିତ ସଂକ୍ରମଣ ବୋଲି ବମକୋଇ ସିଏଚସି ସୁପରିନଟେଣ୍ଡେଣ୍ଟ ଡା. ଶୁଚିସ୍ମିତା ଚୌଧୁରୀ କହିଛନ୍ତି।
ତେବେ ବର୍ତ୍ତମାନ ସୁଦ୍ଧା ଗ୍ରାମର ଗଣେଶ ଶବର (୨୨) ଏବଂ ସୁବାସୀ ଶବର (୨୦) ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଥିବା ଜଣାପଡିଛି।
ଅପରପକ୍ଷରେ ପ୍ରଶାସନର କୌଣସି ପ୍ରକାର ବିଫଳତାକୁ ପ୍ରଘଟ ନ କରିବାକୁ ଗ୍ରାମରେ ତାଗିଦ କରାଯିବା ସହ ପ୍ରଘଟକାରୀଙ୍କୁ ବିଭିନ୍ନ ଯୋଜନାରୁ ବାଦ ଦିଆଯିବା ଏବଂ ସାମାଜିକ ବାସନ୍ଦ କରାଯିବାର ଭୟ ଦେଖା ଯାଉଥିବା ଜଣେ ବାସିନ୍ଦା ତାଙ୍କର ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ଏଭଳି ସଙ୍ଗୀନ ଅଭିଯୋଗର ତୁରନ୍ତ ତଦନ୍ତ କରାଯିବାର ଆବଶ୍ୟକତା ମଧ୍ୟ ରହିଛି। ଦିଗପହଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଏବଂ ବ୍ରହ୍ମପୁର ଏମପି ପ୍ରତିନିଧି କେ. ହରିବନ୍ଧୁ ରେଡ୍ଡୀ ଉସ୍ତପଲି ଗ୍ରାମକୁ ଗସ୍ତକରି ମୃତକଙ୍କ ପରିବାରକୁ ଭେଟିବା ସହ ଗ୍ରାମର ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଗ୍ରାମକୁ ଉନ୍ନତ ମାନର ରାସ୍ତା ନିର୍ମାଣ ପାଇଁ ଏମପିଙ୍କ ହାତ ପାଣ୍ଠିରୁ ୮ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ବୋଲ ପ୍ରତିନିଧି ରେଡ୍ଡୀ ପ୍ରକାଶ କରିଛନ।