ବିହାରର ଆଗାମୀ ‘ନୀତୀଶ କୁମାର’ ହେବାକୁ ଚାହୁଁଛନ୍ତି ଚିରାଗ ପାସଓ୍ବାନ? ଭାଜପା ଶିବିରରେ ଛନକା!

ପାଟନା,୭।୬: ଗତ କିଛି ଦିନ ଧରି କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସଓ୍ବାନ ବିଧାନସଭା ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଆସୁଛନ୍ତି। ଏଣୁ ସେ ରାଜ୍ୟ ରାଜନୀତିରେ କିଙ୍ଗ୍‌ ନ ହେଲେ ବି ‘କିଙ୍ଗ ମେକର୍‌’ ସାବ୍ୟସ୍ତ ହେବେ ବୋଲି କୁହାଯାଉଛି। ଭାଜପା ନେତୃବୃନ୍ଦ ଚିରାଗଙ୍କ ରଣନୀତି ଏବଂ କାର୍ଯ୍ୟ ଉପରେ ନଜର ରଖିଛନ୍ତି।

ଚିରାଗ କହିଛନ୍ତି ଯେ ସେ ବିହାର ରାଜନୀତିକୁ ଫେରିବାକୁ ଚାହୁଁଛନ୍ତି। ରିପୋର୍ଟ ମୁତାବକ ସେ ସଂରକ୍ଷିତ ଆସନ ନୁହେଁ ବରଂ ସାଧାରଣ ଆସନରୁ ନିର୍ବାଚନ ଲଢ଼ିବେ। ଭାଜପା କହୁଛି ଯେ ପାସଓ୍ବାନ ଏନ୍‌ଡିଏର ଆସନ ବଣ୍ଟା ପରେ ତାଙ୍କୁ ମିଳିଥିବା ଯେକୌଣସି ଆସନରୁ ନିର୍ବାଚନ ଲଢ଼ିପାରନ୍ତି।

ବିହାର ରାଜନୀତିରେ ଚିରାଗଙ୍କ ଦବ୍‌ଦବା ଏଭଳି ସମୟରେ ବଢୁଛି, ଯେତେବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ରାଜନୈତିକ ବିରୋଧୀ ଦାବି କରୁଛନ୍ତି ଯେ ରାଜନୀତିରେ ତାଙ୍କ ସମୟ ଶେଷ ହେବାକୁ ଯାଉଛି। ଚିରାଗ ରାଜ୍ୟରେ ବଡ଼ ବଡ଼ ରାଜନୈତିକ ଦଳଗୁଡ଼ିକୁ ଏକଜୁଟ କରୁଥିବା ନେତା ପାଲଟି ପାରନ୍ତି। ଗତ ନିର୍ବାଚନରେ ଚିରାଗଙ୍କ ଦଳକୁ ୬.୪୭% ଭୋଟ ମିଳିଥିଲା। ସେ ୫ ଆସନ ଜିତିଥିଲେ। ହେଲେ ଏହା ନୀତୀଶଙ୍କ ଜେଡିୟୁରୁ ବହୁତ ପଛରେ ଥିଲା। ଜେଡିୟୁକୁ ନିର୍ବାଚନରେ ୧୮.୫୨% ଭୋଟ ମିଳିଥିଲା।

ଭାଜପାର କିଛି ନେତା କହିଛନ୍ତି ଯେ, ଦଳ ବିହାରରେ ନିଜର ନେତା ବାଛିବାରେ ବିଫଳ ହୋଇଛି। ପାସଓ୍ବାନ ଏହାର ଫାଇଦା ଉଠାଉଛନ୍ତି। ଚିରାଗ ସାଧାରଣ ଆସନରୁ ନିର୍ବାଚନ ଲଢ଼ିବାର ସଙ୍କେତ କହୁଛି ଯେ ବିହାର ରାଜନୀତିରେ ସେ ଆଗାମୀ ନୀତୀଶ କୁମାର ହେବାକୁ ଚାହୁଁଛନ୍ତି। ନୀତୀଶ ଦୁଇ ଦଶକ ଯାଏ ବିହାର ରାଜନୀତିରେ ସ୍ପଷ୍ଟ ବହୁମତ ବିନା ଶାସନ କରିଛନ୍ତି। ୨୦% ଅଧିକ ଭୋଟ ହାସଲ କରିଛନ୍ତି। ଭାଜପା ଏବେ ନେତା ନୁହେଁ ବରଂ କର୍ମୀ ପ୍ରସ୍ତୁତ କରୁଛି।

ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ ଭାଜପାର ବଡ଼ ନେତା ଭାବନ୍ତି ଯେ ନୀତୀଶଙ୍କୁ ଶୀର୍ଷ ନେତା ବାଛିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ। ରାଷ୍ଟ୍ରୀୟ ରାଜନୀତିରେ ନିଜକୁ ମଜଭୂତ କରିବା ଲାଗି ଭାଜପା ଲାଗି ବିହାର ବେଶ ଗୁରୁତ୍ୱ ବହନ କରୁଛି।