A Russian TU-95 bomber and Chinese H-6 bombers fly over East China Sea in this handout picture taken by Japan Air Self-Defence Force and released by the Joint Staff Office of the Defense Ministry of Japan May 24, 2022. Joint Staff Office of the Defense Ministry of Japan/HANDOUT via REUTERS
ଟୋକିଓ/ସିଓଲ, ୨୫।୫: କ୍ୱାଡ୍ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାପାନ ପ୍ରତିପକ୍ଷ ଫୁମିଓ କିଶିଡା ଏବଂ ଅଷ୍ଟ୍ରେଲିଆର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ଆଞ୍ଚଳିକ ନିରାପତ୍ତା ଉପରେ ଆଲୋଚନା କରୁଥିବାବେଳେ ଜାପାନ ନିକଟରେ ଚାଇନା ଓ ରୁଷିଆର ଯୁଦ୍ଧବିମାନ ଉଡ଼ିଛି। ଜାପାନ ସାଗର ଓ ପୂର୍ବ ଚାଇନା ସାଗର ଉପରେ ଚାଇନା ଏବଂ ରୁଷିଆର ପ୍ରାୟ ୮ ଯୁଦ୍ଧ ଜାହାଜ ୧୩ ଘଣ୍ଟା ମିଳିତ ପାଟ୍ରୋଲିଂ କରିଥିଲେ। ତେବେ ମସ୍କୋ ଓ ବେଜିଂର ଜଏଣ୍ଟ ଫ୍ଲାଇଟ୍ ଆଞ୍ଚଳିକ ଏୟାରସ୍ପେସ୍ ସୀମା ଉଲ୍ଲଂଘନ କରି ନ ଥିବା ଜାପାନ ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିଶି କହିଛନ୍ତି। ଏହାକୁ ମିଶାଇ ଗତ ନଭେମ୍ବରଠାରୁ ଚତୁର୍ଥ ଥର ପାଇଁ ଜାପାନ ନିକଟରେ ରୁଷିଆ ଓ ଚାଇନାର ମିଳିତ ଯୁଦ୍ଧବିମାନ ଉଡ଼ାଣ ହୋଇଥିବା ଲକ୍ଷ୍ୟ କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରୀ କିଶି କହିଛନ୍ତି, ଦୁଇ ଚାଇନିଜ୍ ଏବଂ ଦୁଇ ରୁଷୀୟ ବମ୍ବର୍ସ ଜାପାନ ସାଗରରୁ ପୂର୍ବ ଚାଇନା ସାଗର ଆଡ଼କୁ ମିଳିତ ଉଡ଼ାଣ ଭରିଥିଲେ। ଏହା ପରେ ଆଉ ୪ ବିମାନ ପୂର୍ବ ଚାଇନା ସାଗରରୁ ପ୍ରଶାନ୍ତ ମହାସାଗର ଆଡ଼କୁ ଯାଇଥିଲା। ଏଥିସହ ଗୋଇନ୍ଦା ତଥ୍ୟ ସଂଗ୍ରହ କରୁଥିବା ଏକ ରୁଷୀୟ ବିମାନ ମଧ୍ୟ ଜାପାନରେ ଉଡ଼ିଛି। ଏପରିି କରି ଚାଇନା ଓ ରୁଷିଆ ଉସୁକାଇଲା ଭଳି କାମ କରୁଛନ୍ତି, ଯାହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷେ ଜାପାନ ନିକଟରେ ଉଡ଼ିଥିବା ଚାଇନା ଓ ରୁଷିଆ ଯୁଦ୍ଧଜାହାଜ କୋରିଆ ଏୟାର ଡିଫେନ୍ସ ଆଇଡେଣ୍ଟିଫିକେଶନ ଜୋନ୍ (କୋରିଆ ଏଡିଆଇଜେଡ୍)ରେ ପ୍ରବେଶ କରିଥିବା ଜଣାପଡ଼ିଛି। ଏଥିଯୋଗୁ କୌଣସି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଦକ୍ଷିଣ କୋରିଆ ସେନା ତୁରନ୍ତ ପ୍ରସ୍ତୁତ ହେବା ସହ ନିଜ ଯୁଦ୍ଧବିମାନକୁ ନିୟୋଜିତ କରିଥିଲା। ଏଡିଆଇଜେଡ୍ ବାବଦରେ କୌଣସି ଅନ୍ତର୍ଜାତୀୟ ଚୁକ୍ତିରେ ବ୍ୟାଖ୍ୟା କରାଯାଇନାହିଁ କିମ୍ବା କୌଣସି ଅନ୍ତର୍ଜାତୀୟ ସଙ୍ଗଠନ ଏହାକୁ ନିୟନ୍ତ୍ରଣ କରେ ନାହିଁ। ମସ୍କୋ କୋରିଆ ଏଡିଆଇଜେଡ୍କୁ ମାନି ନ ଥାଏ। ସେହିପରି ଏଡିଆଇଜେଡ୍ କୌଣସି ଆଞ୍ଚଳିକ ବାୟୁସୀମା ନୁହେଁ ଏବଂ ସବୁ ଦେଶ ମୁକ୍ତଭାବେ ତାହାକୁ ବ୍ୟବହାର କରିପାରିବେ ବୋଲି ବେଜିଂ କହିଛି।