ବେଜିଂ,୧।୯: ଚାଇନାରେ ଅନୁଷ୍ଠିତ ସାଙ୍ଘାଇ କୋଅପରେସନ ଅର୍ଗାନାଇଜେଶନ (ଏସ୍ସିଓ) ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫଙ୍କୁ ଅପମାନର ସାମ୍ନା କରିବାକୁ ପଡ଼ିଛି। ସମ୍ମିଳନୀରେ ଭାଗ ନେବା ପାଇଁ ଚାଇନା ଆସିଥିବା ଶରିଫ ଫଟୋ ସେସନ ପରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଅଭିବାଦନ କରିବାକୁ ଆଗେଇ ଯାଇଥିଲେ। କିନ୍ତୁ ଏହି ସମୟରେ ସି ଜିନପିଙ୍ଗ ଶରିଫଙ୍କୁ ଅଣଦେଖା କରି ଆଗକୁ ଚାଲିଯାଇଥିଲେ।
ଏକ ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ପୁଟିନ ଓ ଜିନପିଙ୍ଗ କଥାବାର୍ତ୍ତା କରୁଥିବା ବେଳେ ଅନେକ ବିଶ୍ୱ ନେତା ସେମାନଙ୍କୁ ଭେଟୁଛନ୍ତି। ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶରିଫ ମଧ୍ୟ ଅଭିବାଦନ କରିବାକୁ ଆଗେଇ ଆସିଥିଲେ, କିନ୍ତୁ ଜିନପିଙ୍ଗ ତାଙ୍କୁ ଉପେକ୍ଷା କରି ଆଗକୁ ଚାଲିଯାଇଥିଲେ। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି ଏବଂ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି।
ଉଲ୍ଲେଖଯୋଗ୍ୟ ଯେ, ଶେହବାଜ ଶରୀଫ ଏସସିଓ ସମ୍ମିଳନୀରେ ଭାଗ ନେବା ପାଇଁ ଚାଇନାରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଅନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ। ଚାଇନା ଓ ପାକିସ୍ତାନ ମଧ୍ୟରେ ଗଭୀର ବନ୍ଧୁତା ରହିଆସିଛି, କିନ୍ତୁ ଚାଇନା ରାଷ୍ଟ୍ରପତିଙ୍କ ଦ୍ୱାରା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଅଣଦେଖା କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।