ଆତଙ୍କବାଦୀଙ୍କ ପାଖରେ ଚାଇନା ତିଆରି ଷ୍ଟିଲ୍‌ ଗୁଳି: ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ ଭେଦ କରିବାକୁ ସକ୍ଷମ

ଶ୍ରୀନଗର,୨୨।୩: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦ ବିରୋଧରେ ଅପରେଶନ୍‌ ଜାରି ରହିଛି। ତେବେ ଆତଙ୍କବାଦୀଙ୍କ ପାଖରେ ରହିଥିବା ଷ୍ଟିଲ୍‌ ଗୁଳି ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏହା ଚାଇନାର ଆତଙ୍କବାଦ୍‌ ଲିଙ୍କ୍‌କୁ ସୂଚିତ କରୁଛି। ଚାଇନାରେ ତିଆରି ହେଉଥିବା ଏହି ଷ୍ଟିଲ୍‌ ଗୁଳି ପାକିସ୍ତାନ ବାଟେ କଶ୍ମୀରର ଆତଙ୍କବାଦୀଙ୍କୁ ଯୋଗାଇ ଦିଆଯାଉଛି। ଏହି ଷ୍ଟିଲ୍‌ ଗୁଳି ସୁରକ୍ଷାକର୍ମୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ, ବୁଲେଟ୍‌ ପ୍ରୁଫ୍‌ ଯାନକୁ ଭେଦ କରିବାକୁ ସକ୍ଷମ। ୨୦୧୭ ଡିସେମ୍ବର ୩୧ରେ ପ୍ରଥମେ ଆତଙ୍କବାଦୀଙ୍କ ପାଖରେ ଏହି ଗୁଳି ଥିବା ଜଣାପଡ଼ିଥିଲା। ପରେ ଜୁନ୍‌ ୨୦୧୯ରେ ଅନନ୍ତନାଗରେ ହୋଇଥିବା ଏନ୍‌କାଉଣ୍ଟରରେ ମୃତ ଆତଙ୍କବାଦୀଙ୍କ ପାଖରୁ ଏଭଳି ଗୁଳି ଜବତ କରାଯାଇଥିଲା। ଏନେଇ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯିବା ସହିତ ଜ୍ୟାକେଟ, ବଙ୍କର ଏବଂ ଯାନର ବୁଲେଟ୍‌ ପ୍ରୁଫ୍‌ କ୍ଷମତାରେ ବୃଦ୍ଧି କରାଯାଇଥିଲା। ମାତ୍ର ଏହାପରେ ହୋଇଥିବା ଏନ୍‌କାଉଣ୍ଟରରେ ଚାଇନା ତିଆରି ଷ୍ଟିଲ୍‌ ଗୁଳି ଆତଙ୍କବାଦୀଙ୍କଠାରୁ ଆଉ ଜବତ ହୋଇ ନ ଥିଲା। ତେବେ ଏବେ ଗତ ସପ୍ତାହରେ ଦକ୍ଷିଣ କଶ୍ମୀରର ଶୋପିଆନ୍‌ ଜିଲାର ରାଓ୍ବଲପୋରାରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର କମାଣ୍ଡର ବିଲାୟତ ହୁସେନ ଓରଫ୍‌ ସଜାଦ୍‌ ଆଫଗାନୀଙ୍କୁ ଏନ୍‌କାଉଣ୍ଟର କରାଯାଇଥିଲା। ତାଙ୍କଠାରୁ ଚାଇନା ତିଆରି ୩୬ଟି ଷ୍ଟିଲ୍‌ ଗୁଳି ଜବତ ହୋଇଛି। ଏହାକୂ ନେଇ ସୁରକ୍ଷାକର୍ମୀଙ୍କ ସୁରକ୍ଷାକୁ କିଭଳି ସୁଦୃଢ଼ କରାଯିବ ତାହା ଏବେ ମୁଖ୍ୟ ପ୍ରଶ୍ନ ଭାବେ ଉଭା ହୋଇଛି। ଦକ୍ଷିଣ କଶ୍ମୀରରେ ମୁତୟନ କରାଯାଉଥିବା ଯାନର ବୁଲେଟ ପ୍ରୁଫ୍‌ ବ୍ୟବସ୍ଥାକୁ ଅଧିକ ବିକଶିତ କରାଯିବା ସହିତ ଯୋଗାଇ ଦିଆଯାଉଥିବା ଜ୍ୟାକେଟ ମଧ୍ୟ କେତେକ ପରିବର୍ତ୍ତନ କରାଯାଇଛି।

Share