ପାକିସ୍ତାନ ସାହାଯ୍ୟ ମାଗିବା ପରେ Pahalgam Attackକୁ ନେଇ ପ୍ରଥମ ରିଆକ୍ସନ ଦେଲା ଚାଇନା

ବେଜିଂ,୨୮।୪: ପହଲଗାମ ଆକ୍ରମଣ ପରେ ଭାରତ ସିନ୍ଧୁ ନଦୀ ଚୁକ୍ତିନାମାକୁ ସ୍ଥଗିତ ରଖିବା ନେଇ ପାକିସ୍ତାନ ଚିନ୍ତିତ। ଭାରତ ପକ୍ଷରୁ କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନର ସମ୍ଭାବନା ମଧ୍ୟରେ, ପାକିସ୍ତାନ ଅନ୍ୟ ଦେଶଠାରୁ ସାହାଯ୍ୟ ଲୋଡୁଛି। ଏପରି ପରିସ୍ଥିତିରେ ସେ କେତେବେଳେ ଚାଇନା ଆଡକୁ ଚାହିଁଛନ୍ତି, କେତେବେଳେ ସାଉଦି ଆରବ ଆଡକୁ ତ କେତେବେଳେ ବ୍ରିଟେନ ଆଡକୁ।
ଏବେ Pahalgam Attack ପରେ ପାକିସ୍ତାନର ସାହାଯ୍ୟ ଭିକ୍ଷାକୁ ନେଇ ଚାଇନାର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଦ୍ରୁତ ଏବଂ ନିରପେକ୍ଷ ତଦନ୍ତ ପାଇଁ ଚାଇନା ଘୋଷଣା କରିଛି। Pahalgam Attack ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ରହିଛି। ଏବେ ଇସଲାମାବାଦ ଏବଂ ଭାରତ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଚାଇନା ତାର ସର୍ବକାଳୀନ ମିତ୍ର ପାକିସ୍ତାନକୁ ତା’ର ସାର୍ବଭୌମତ୍ୱ ଏବଂ ସୁରକ୍ଷା ସ୍ବାର୍ଥର ସୁରକ୍ଷା ପାଇଁ ସମର୍ଥନ ଜଣାଇଛି।
ରିପୋର୍ଟ ଅନୁସାରେ, ରବିବାର ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାରଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଥିଲେ। ରିପୋର୍ଟ ଅନୁଯାୟୀ, ଡାର କଶ୍ମୀର ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଚାଲିଥିବା ଉତ୍ତେଜନା ବିଷୟରେ ୱାଙ୍ଗଙ୍କୁ ଅବଗତ କରାଇଥିଲେ।
ରିପୋର୍ଟ ଅନୁଯାୟୀ, ୱାଙ୍ଗ କହିଛନ୍ତି ଯେ ଚାଇନା ଘଟଣାକ୍ରମ ଉପରେ କଡ଼ା ନଜର ରଖିଛି। ୱାଙ୍ଗ ଚାଇନା କମ୍ୟୁନିଷ୍ଟ ପାର୍ଟି (ସିପିସି)ର କେନ୍ଦ୍ରୀୟ କମିଟିର ରାଜନୈତିକ ବ୍ୟୁରୋର ସଦସ୍ୟ ମଧ୍ୟ।
‘ଏକ ଦୃଢ଼ ବନ୍ଧୁ ଏବଂ ସବୁଦିନିଆ ରଣନୈତିକ ସହଯୋଗମୂଳକ ଅଂଶୀଦାର ଭାବରେ, ଚାଇନା ପାକିସ୍ତାନର ବୈଧ ସୁରକ୍ଷା ଚିନ୍ତାକୁ ସମ୍ପୂର୍ଣ୍ଣ ବୁଝେ ଏବଂ ପାକିସ୍ତାନର ସାର୍ବଭୌମତ୍ୱ ଏବଂ ସୁରକ୍ଷା ସ୍ବାର୍ଥକୁ ସୁରକ୍ଷା ଦେବାରେ ସମର୍ଥନ କରେ,’ ରିପୋର୍ଟରେ ୱାଙ୍ଗଙ୍କ ଉଦ୍ଧୃତି ଦିଆଯାଇଛି।
ୱାଙ୍ଗ ଆହୁରି କହିଛନ୍ତି, ‘ଚାଇନା ଏକ ତ୍ୱରିତ ଏବଂ ନିରପେକ୍ଷ ତଦନ୍ତକୁ ସମର୍ଥନ କରେ ଏବଂ ବିଶ୍ୱାସ କରେ ଯେ ଏହି ବିବାଦ ଭାରତ କିମ୍ବା ପାକିସ୍ତାନର ମୌଳିକ ସ୍ବାର୍ଥ ପୂରଣ କରେ ନାହିଁ, କିମ୍ବା ଏହା ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ଲାଭଦାୟକ ନୁହେଁ।’ ପହଲଗାମ ଆକ୍ରମଣରେ ଚାଇନାର ସମର୍ଥନ ପାଇବା ପାକିସ୍ତାନ ପାଇଁ ଏକ ସଫଳତା ଭଳି।
ପାକିସ୍ତାନକୁ ଚାଇନାର ଏହି ସମର୍ଥନ ଶହବାଜ ସରିଫଙ୍କ ସେହି ବୟାନ ପରେ ଆସିଛି ଯେଉଁଥିରେ ସେ ପହଲଗାମ ଆତଙ୍କବାଦୀ ଆକ୍ରମଣର ‘ସ୍ବାଧୀନ ତଦନ୍ତ’ ଦାବି କରିଥିଲେ। ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଥିଲେ ଯେ ସେ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଚାହୁଁ ନାହାଁନ୍ତି।