ନାଇଜେରିଆ ଉପରେ ଏୟାରଷ୍ଟ୍ରାଇକ ଧମକ ଦେଲେ ଟ୍ରମ୍ପ, କଡ଼ା ଜବାବ ଦେଲା ଚାଇନା

ନୂଆଦିଲ୍ଲୀ,୪।୧୧: ଖ୍ରୀଷ୍ଟିଆନମାନଙ୍କ ଉପରେ ହେଉଥିବା କଥିତ ଅତ୍ୟାଚାରକୁ ନେଇ ନାଇଜେରିଆ ବିରୋଧରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଧମକକୁ ଚାଇନା ଏହାକୁ ଦୃଢ଼ ବିରୋଧ କରିଛି। ଚାଇନା ନାଇଜେରିଆ ସରକାରଙ୍କୁ ସେମାନଙ୍କର ରାଷ୍ଟ୍ରୀୟ ପରିସ୍ଥିତି ଅନୁରୂପ ବିକାଶ ପଥରେ ଆଗକୁ ବଢ଼ିବାକୁ ସମର୍ଥନ କରିଛି।

ଟ୍ରମ୍ପ ଶନିବାର କହିଥିଲେ ଯେ ଯଦି ନାଇଜେରିଆ ସରକାର ଖ୍ରୀଷ୍ଟିଆନମାନଙ୍କୁ ହତ୍ୟା କରିବାକୁ ଅନୁମତି ଦେବେ, ତେବେ ଆମେରିକା ଉକ୍ତ ପଶ୍ଚିମ ଆଫ୍ରିକୀୟ ଦେଶକୁ ଦିଆଯାଉଥିବା ସମସ୍ତ ସହାୟତା ତୁରନ୍ତ ବନ୍ଦ କରିଦେବ ଏବଂ ଇସଲାମିକ୍ ଆତଙ୍କବାଦୀଙ୍କୁ ସଫା କରିବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟ କରିପାରେ।

ଏହି ଧମକ ସମ୍ପର୍କରେ ପଚରାଯିବାରୁ ଚାଇନା ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ କହିଛନ୍ତି, “ଏକ ବ୍ୟାପକ ରଣନୀତିକ ଭାଗିଦାରୀ ଭାବରେ ଚାଇନା ନାଇଜେରିଆ ସରକାରଙ୍କୁ ତାଙ୍କ ଲୋକଙ୍କୁ ଜାତୀୟ ପରିସ୍ଥିତି ଅନୁଯାୟୀ ବିକାଶ ପଥରେ ଆଗେଇ ନେବା ପାଇଁ ଦୃଢ଼ ସମର୍ଥନ କରୁଛି।”

“ଧର୍ମ କିମ୍ବା ମାନବିକ ଅଧିକାରର ବାହାନା ଦେଖାଇ ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ଯେକୌଣସି ଦେଶର ହସ୍ତକ୍ଷେପକୁ ଚାଇନା ବିରୋଧ କରୁଛି। ଏହା ସହ କଟକଣା ଏବଂ ବଳ ପ୍ରୟୋଗର ଧମକର ମନମୁଖୀ ବ୍ୟବହାରକୁ ମଧ୍ୟ ଚାଇନା ବିରୋଧ କରୁଛି।”

ମାଓ ନିଙ୍ଗ୍ କହିଛନ୍ତି ଯେ ଚାଇନା ନିଶା ବେପାରୀଙ୍କ ବିରୋଧରେ ଲଢ଼ିବା ନାମରେ ବଳ ପ୍ରୟୋଗକୁ ବିରୋଧ କରେ ଏବଂ ଆଶା କରେ ଯେ ଆମେରିକା ଦ୍ୱିପାକ୍ଷିକ ତଥା ବହୁପାକ୍ଷିକ ଆଇନଗତ ଢାଞ୍ଚା ମଧ୍ୟରେ ସାଧାରଣ ଆଇନ ପ୍ରଣୟନ ଓ ନ୍ୟାୟିକ କାର୍ଯ୍ୟକଳାପ କରିବ। ତେବେ, ଚାଇନା ଭେନେଜୁଏଲାକୁ ସାମରିକ ସରଞ୍ଜାମରେ ସାହାଯ୍ୟ କରିବ କି ନାହିଁ, ସେ ନେଇ ସେ କୌଣସି ସୂଚନା ଦେଇ ନାହାନ୍ତି।

Share