ନୂଆଦିଲ୍ଲୀ,୩୦।୫: ଭାରତ-ଆଫଗାନିସ୍ତାନ ସହ ନିକଟତର ସମ୍ପର୍କ ଗଢ଼ିବା ପାଇଁ ନୂଆ ରଣନୀତି ଗ୍ରହଣ କରିଛି ଚାଇନା। ଯାହା ପାକିସ୍ତାନ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି। ଭାରତ ସରକାର ଆଫଗାନ ନାଗରିକମାନଙ୍କ ପାଇଁ ଏକ ନୂଆ ଭିସା ମଡ୍ୟୁଲ ଆରମ୍ଭ କରିଛନ୍ତି, ଯେଉଁଥିରେ ଛଅଟି ଶ୍ରେଣୀରେ ଭିସା ପାଇଁ ଆବେଦନ କରାଯାଇପାରିବ। ଏହି ଶ୍ରେଣୀଗୁଡ଼ିକ ହେଉଛି: ଚିକିତ୍ସା, ଚିକିତ୍ସା ସହାୟକ, ବ୍ୟବସାୟ, ପ୍ରବେଶ, ଛାତ୍ର ଓ ୟୁଏନ କୂଟନୀତିକ ଭିସା।
ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସୱାଲ ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ ପୁରୁଣା ଭିସା ମଡ୍ୟୁଲ ବନ୍ଦ କରାଯାଇଛି ଏବଂ ଏପ୍ରିଲ ୨୯ ତାରିଖରୁ ନୂଆ ମଡ୍ୟୁଲ କାର୍ଯ୍ୟକାରୀ ହୋଇଛି। ଏହି ନୀତି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଜନସାଧାରଣଙ୍କ ସମ୍ପର୍କକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି। ଯେଉଁ ଆଫଗାନ ନାଗରିକମାନେ ପୁରୁଣା ମଡ୍ୟୁଲ ଅଧୀନରେ ଭାରତରେ ଅଛନ୍ତି, ସେମାନଙ୍କୁ ନୂଆ ନୀତି ଅନୁଯାୟୀ ଭିସା ଅଦ୍ୟତନ କରିବାକୁ ପରାମର୍ଶ ଦିଆଯାଇଛି।
୨୦୨୧ ମସିହାରେ ତାଲିବାନ ଆଫଗାନିସ୍ତାନରେ କ୍ଷମତା ହାସଲ କରିବା ପରେ ଭାରତ ଆଫଗାନ ନାଗରିକମାନଙ୍କ ପାଇଁ ଭିସା ସେବା ବନ୍ଦ କରିଦେଇଥିଲା। କିନ୍ତୁ ଏବେ ନୂଆଦିଲ୍ଲୀ କାବୁଲ ସହ ସମ୍ପର୍କ ମଜବୁତ କରିବା ପାଇଁ ଏହି ସେବା ପୁନଃଆରମ୍ଭ କରିଛି, ଯାହା ମୁଖ୍ୟତଃ ପାକିସ୍ତାନ ଓ ଚାଇନା ପ୍ରଭାବକୁ ମୁକାବିଲା କରିବା ପାଇଁ ଏକ ରଣନୀତିକ ପଦକ୍ଷେପ ବୋଲି ବିବେଚନା କରାଯାଉଛି।
ଏହା ବ୍ୟତୀତ, ଭାରତ କାବୁଲରେ ନିଜର କୂଟନୀତିକ ଉପସ୍ଥିତି ପୁନଃସ୍ଥାପନ କରିଛି ଏବଂ ତାଲିବାନ ସରକାର ସହ ସକ୍ରିୟ ଭାବେ ଯୋଗାଯୋଗ କରୁଛି। ଆଫଗାନିସ୍ତାନ ସମ୍ପ୍ରତି ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ଭାରତକୁ ସମର୍ଥନ କରିଛି। ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରିବା ସହ ପାକିସ୍ତାନ ଓ ଚାଇନା ପାଇଁ ଭାରତର ଏକ ଶକ୍ତିଶାଳୀ କୂଟନୈତିକ ଜବାବ ବୋଲି ଦେଖାଯାଉଛି।