ସାମୁଦ୍ରିକ କ୍ଷମତା ବଢ଼ାଉଛି ଚାଇନା

ବେଜିଂ,୩୦ା୧୨:ତାଇଓ୍ବାନକୁ ଚାଇନା ନିଜ ଅଞ୍ଚଳ ବୋଲି ଦାବି କରିଆସୁଥିବାବେଳେ ଏହାକୁ ନେଇ ଜାପାନ ସହ ବେଜିଂର କୂଟନୈତିକ ଉତ୍ତେଜନା ଦେଖାଦେଇଛି। ଏଭଳି ସମୟରେ ଚାଇନା ସେନା ସୋମବାର ତାଇଓ୍ବାନ ପ୍ରଣାଳୀର ମଧ୍ୟବର୍ତ୍ତୀ ଅଞ୍ଚଳରେ ବଡ଼ ଧରଣର ସମରାଭ୍ୟାସ ଆରମ୍ଭ କରିଛି। ଚାଇନା ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ଇଷ୍ଟର୍ନ ଥିଏଟର କମାଣ୍ଡ ତାଇଓ୍ବାନ ଷ୍ଟ୍ରେଟ୍‌ର ଜଳରାଶି ଏବଂ ଆକାଶମାର୍ଗରେ ଲଢ଼ୁଆ ଯୁଦ୍ଧବିମାନ, ବମ୍ବର ଏବଂ ଡ୍ରୋନ୍‌ ସମେତ ଦୀର୍ଘ ଲକ୍ଷ୍ୟଭେଦୀ ରକେଟ ମୁତୟନ କରିଛି। ଗୁରୁତ୍ୱପୂର୍ଣ୍ଣ ଟାର୍ଗେଟଗୁଡ଼ିକ ଉପରେ ସୈନ୍ୟମାନଙ୍କ ସଠିକ୍‌ ଆକ୍ରମଣ ସାମର୍ଥ୍ୟ ପରୀକ୍ଷା କରିବା ଏହାର ଉଦ୍ଦେଶ୍ୟ। ସ୍ବୟଂଶାସିତ ତାଇଓ୍ବାନକୁ ଚାଇନା ଏହାର ମୁଖ୍ୟ ଭୂଖଣ୍ଡର ଅଂଶବିଶେଷ ଭାବେ ଦାବି କରିବା ସହ ଏହାକୁ ଏକୀକୃତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ତାଇଓ୍ବାନ୍‌କୁ ଆମେରିକା ୧୧.୧ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ମଞ୍ଜୁରୀ ପ୍ରଦାନ କରିଥିବାବେଳେ ଚାଇନା ଏହାକୁ କଡ଼ା ସମାଲୋଚନା କରିଥିଲା। ବର୍ତ୍ତମାନ ତାଇଓ୍ବାନକୁ ନେଇ ଜାପାନ ସହ ଚାଇନାର କୂଟନୈତିକ ଉତ୍ତେଜନା ସୃଷ୍ଟି ହୋଇଥିବାରୁ ଆଗକୁ ଏହା ସାମରିକ ସଂଘର୍ଷର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି।
ଚାଇନା ଏହାର ସାମୁଦ୍ରିକ ତାକତ ବୃଦ୍ଧି ପାଇଁ ଏହାର ୯୭ ମିଟର ମାଲବାହୀ ଜାହାଜ ଝୋଙ୍ଗଦା୭୯କୁ ଏକ ଅସ୍ତ୍ରାଗାର ଜାହାଜରେ ପରିଣତ କରିଛି। ଉକ୍ତ ଜାହାଜରେ ୬୦ଟି ମିଶାଇଲ୍‌ ଲୋଡ଼ କରିଥିବା ଅନ୍‌ଲାଇନ ଚିତ୍ର ଏବଂ ଚାଇନା ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି। ସାଂଘାଇସ୍ଥିତ ହୁଡୋଙ୍ଗ-ଝୋଙ୍ଘୁଆ ଶିପବିଲ୍ଡିଂ ଶିପ୍‌ୟାର୍ଡରେ ଉକ୍ତ ଜାହାଜରେ ଅସ୍ତ୍ର ଭର୍ତ୍ତି କରାଯାଉଛି।
ଜାହାଜ ବିଧ୍ୱଂସୀ ମିଶାଇଲ, କ୍ରୁଜ୍‌, ହାଇପରସୋନିକ ଏବଂ ବିମାନ ବିଧ୍ୱଂସୀ ମିଶାଇଲ ଲୋଡ଼ ହୋଇଛି। ଚାଇନା ନୌସେନା ଏହାର ଭର୍ଟିକାଲ ଲଞ୍ଚ୍‌ ସିଷ୍ଟମକୁ ଆମେରିକା ନୌସେନା ଭଳି ଶକ୍ତିଶାଳୀ କରିବାକୁ ଉଦ୍ୟମ ଚଳାଇଛି। ବ୍ରିଟେନ୍‌ ଥିଙ୍କ୍‌ଟ୍ୟାଙ୍କ୍‌ ଇଣ୍ଟରନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌ ରିପୋର୍ଟ ଅନୁଯାୟୀ, ଚାଇନା ଅସ୍ତ୍ର କ୍ଷମତା ଏବେ ଆମେରିକା ନୌସେନା କ୍ଷମତାର ୫୦ ପ୍ରତିଶତ ଅତିକ୍ରମ କରିଛି।

 

Dharitri – The Largest & Most Trusted Odia Daily

Share