ବେଜିଂ,୨୨ା୧୧: ଚାଇନା ଏକ କୃତ୍ରିମ ଦ୍ୱୀପ ଡିଜାଇନ କରୁଛି, ଯାହା ପରମାଣୁ ଆକ୍ରମଣରୁ ରକ୍ଷା କରିବ। ଏହା ଏକ ଭାସମାନ ପ୍ଲାଟଫର୍ମ। ଯାହା କୌଣସି ନୂତନ ଉପାଦାନ ଆବଶ୍ୟକ ନ କରି ୪ ମାସ ପର୍ଯ୍ୟନ୍ତ ୨୩୮ ଜଣଙ୍କୁ ଆରାମରେ ରଖିବାରେ ସକ୍ଷମ ହେବ। ଏହାର ଭିତ୍ତିଭୂମି ଚାଇନାର ଫୁଜିଆନ ବିମାନ ବାହକ ପରି ବଡ଼। ଏହା ୨୦୨୮ରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ। ଏହା ବିଶ୍ୱର ପ୍ରଥମ ଏପରି ଭାସମାନ ଦ୍ୱୀପ ହେବ। ଯାହାର ଓଜନ ୭୮,୦୦୦ ଟନ୍।
ଏହା ୬-୯ ମିଟର ଲହଡ଼ି ଏବଂ ୧୭ ବର୍ଗର ଟାଇଫୁନ (ସର୍ବାଧିକ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼) ଏବଂ ସମୁଦ୍ର ଅଶାନ୍ତିକୁ ସହ୍ୟ କରିପାରିବ। ଆମେ ଡିଜାଇନ ଏବଂ ନିର୍ମାଣ ସମାପ୍ତ କରିବା ପାଇଁ ଶୀଘ୍ର କାମ କରୁଛୁ, ଏବଂ ଆମର ଲକ୍ଷ୍ୟ ହେଉଛି ୨୦୨୮ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବା ବୋଲି ପ୍ରକଳ୍ପର ନେତୃତ୍ୱ ନେଉଥିବା ଶିକ୍ଷାବିତ୍ ଲିନ ଝୋଙ୍ଗକିନ ଏକ ସାକ୍ଷାତକାରରେ କହିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ସୁବିଧା ବିନାଶକାରୀ ଆଘାତକୁ ହାଲୁକା ଚାପରେ ପରିଣତ କରିବା ପାଇଁ ସକ୍ଷମ ‘ମେଟାମାଟେରିଆଲ’ ସାଣ୍ଡ୍ଓ୍ବିଚ୍ ପ୍ୟାନେଲ ବ୍ୟବହାର କରେ।
ସାଂଘାଇ ଜିଆଓ ଟୋଙ୍ଗ ବିଶ୍ୱବିଦ୍ୟାଳୟ (SJTU)ର ପ୍ରଫେସର ୟାଙ୍ଗ ଡେକିଙ୍ଗଙ୍କ ନେତୃତ୍ୱରେ ଦଳ ଲେଖିଛନ୍ତି, ଏହି ପ୍ରମୁଖ ଗଭୀର ସମୁଦ୍ର ବୈଜ୍ଞାନିକ ସୁବିଧା ସମସ୍ତ ପାଣିପାଗ ପରିସ୍ଥିତିରେ ଦୀର୍ଘକାଳୀନ ବାସସ୍ଥାନ ପାଇଁ ଡିଜାଇନ କରାଯାଇଛି। ଏହାର ଉପରସଂରଚନାରେ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛି ଯାହା ଜରୁରୀକାଳିନ ଶକ୍ତି, ଯୋଗାଯୋଗ ଏବଂ ନାଭିଗେସନ ନିୟନ୍ତ୍ରଣକୁ ସୁନିଶ୍ଚିତ କରେ, ଯାହା ଏହି ସ୍ଥାନଗୁଡ଼ିକ ପାଇଁ ପରମାଣୁ ବିସ୍ଫୋରଣ ସୁରକ୍ଷାକୁ ଅତ୍ୟନ୍ତ ଜରୁରୀ କରିଥାଏ।
ଡିପ୍-ସି ଅଲ୍-ଓ୍ବେଦର ରେସିଡେଣ୍ଟ ଫ୍ଲୋଟିଂ ରିସର୍ଚ୍ଚ ଫାସିଲିଟି ଯାହା ଚାଇନା ଗଭୀର ସମୁଦ୍ରରେ ଭାସମାନ ଦ୍ୱୀପ । ଯାହା ଏକ ଦଶନ୍ଧିର ଗବେଷଣା ଏବଂ ଯୋଜନା ପରେ ନିର୍ମିତ। ଏହି ଦ୍ୱୀପଟି ୧୩୮ ମିଟର ଲମ୍ବା ଏବଂ ୮୫ ମିଟର ଚଉଡ଼ା (୧୨୫ ଫୁଟ ଲମ୍ବ ଏବଂ ୨୭୯ ଫୁଟ ଚଉଡ଼ା) ହେବ। ମୁଖ୍ୟ ଡେକ୍ ଜଳପତ୍ତନଠାରୁ ୪୫ ମିଟର ଉପରକୁ ଉଠିବ।