ସୀମାରେ ଚାଇନା ଗଢୁଛି ନୂଆ ଏୟାର ଡିଫେନ୍ସ କମ୍ପ୍ଲେକ୍ସ

ନୂଆଦିଲ୍ଲୀ,୨୫ା୧୦: ତିବ୍ବତର ପଙ୍ଗୋଙ୍ଗ୍‌ ହ୍ରଦର ପୂର୍ବ ପାର୍ଶ୍ୱ କୂଳରେ ଚାଇନା ନୂଆ ଏୟାର ଡିଫେନ୍ସ କମ୍ପ୍ଲେକ୍ସ ନିର୍ମାଣ କରୁଥିବା ସାଟେଲାଇଟ୍‌ ଫଟୋରୁ ସ୍ପଷ୍ଟ ହୋଇଛି। ୨୦୨୦ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ସ୍ଥାନଠାରୁ ଏହା ପ୍ରାୟ ୧୧୦ କିଲୋମିଟର ଦୂରରେ ଅବସ୍ଥିତ। ସେଠାରେ ନିର୍ମାଣ କାର୍ଯ୍ୟ ପୂରା ଦମ୍‌ରେ ଚାଲିଥିବା ଜଣାପଡ଼ିଛି। ଉକ୍ତ କମ୍ପ୍ଲେକ୍ସରେ କମାଣ୍ଡ ଏବଂ କଣ୍ଟ୍ରୋଲ ବିଲ୍ଡିଂ, ବାରାକ୍‌, ଯାନ ରଖିବା ପାଇଁ ଶେଡ୍‌, ଗୁଳିଗୋଳା ଭଣ୍ଡାର ଏବଂ ରାଡାର ପୋଜିଶନ୍‌ ରହିଛି। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଉକ୍ତ ପ୍ରକଳ୍ପରେ ଥିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଫିଚର ହେଲା ଗୁପ୍ତ ମିଶାଇଲ୍‌ ଲଞ୍ଚ୍‌ ପୋଜିଶନ୍‌। ମିଶାଇଲ୍‌କୁ ପରିବହନ କରିବା ସହ ଫାୟାର କରିପାରୁଥିବା ଟ୍ରାନ୍ସପୋର୍ଟର ଇରେକ୍ଟର ଲଞ୍ଚର୍‌ (ଟିଇଏଲ୍‌) ଯାନ ପାଇଁ ରିଟ୍ରାକ୍ଟେବଲ୍‌ ରୁଫ୍‌ ରହିଛି। ଚାଇନାର ଦୀର୍ଘ ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ଏଚ୍‌କ୍ୟୁ-୯ ସ୍ଥଳରୁ ଆକାଶ ମିଶାଇଲ୍‌ ସିଷ୍ଟମ୍‌କୁ ଲୁଚାଇ ରଖିବା ଏବଂ ସୁରକ୍ଷା ଦେବା ପାଇଁ ଏଭଳି ଶେଲ୍ଟର ନିର୍ମାଣ କରାଯାଇଥିବା ଗୋଇନ୍ଦା ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି। ଗତ ସେପ୍ଟେମ୍ବର ୨୯ରେ ଭେଣ୍ଟର ସାଟେଲାଇଟ୍‌ ଚିତ୍ରରେ ଗାର୍‌ କଣ୍ଟ୍ରିଠାରେ ଥିବା ଏଭଳି ଏକ ଲଞ୍ଚ୍‌ ପୋଜିଶନ୍‌ର ଖୋଲା ଛାତ ଦେଖିବାକୁ ମିଳିଛି। ଏହା ତଳେ ଲଞ୍ଚର୍‌ଗୁଡ଼ିକୁ ଲୁଚାଇ ରଖାଯାଇଥିବା ବିଶ୍ୱାସ କରାଯାଉଛି। ଭାରତ-ତିବ୍ବତ ସୀମାରେ ଚାଇନା ଏଭଳି ସୁରକ୍ଷିତ ଲଞ୍ଚ୍‌ ପୋଜିଶନ ନିର୍ମାଣ କରୁଥିବାବେଳେ ପୂର୍ବରୁ ବିବାଦୀୟ ଦକ୍ଷିଣ ଚାଇନା ସାଗର ଦ୍ୱୀପପୁଞ୍ଜରେ ଅନୁରୂପ ସାମରିକ ଘାଟି ନିର୍ମାଣ କରିଥିଲା। ଗତ ଜୁଲାଇରେ ଭୂସ୍ଥାନିକ ଗବେଷକ ଡାମିଏନ୍‌ ସାଇମନ୍‌ ପ୍ରଥମେ ପଙ୍ଗୋଙ୍ଗ୍‌ ହ୍ରଦ କୂଳରେ ଚାଇନାର ଦ୍ୱିତୀୟ ସାମରିକ ଭିତ୍ତିଭୂମିର ପ୍ରାରମ୍ଭିକ ପର୍ଯ୍ୟାୟ ନିର୍ମାଣ ଚାଲିଥିବା ଚିହ୍ନଟ କରିଥିଲେ। ସେତେବେଳେ ଉକ୍ତ ଗୁପ୍ତ ମିଶାଇଲ୍‌ ଲଞ୍ଚ୍‌ ପୋଜିଶନ୍‌ ସମ୍ପର୍କରେ ଜଣାପଡ଼ି ନ ଥିଲା।