କ୍ଷେପଣାସ୍ତ୍ର ବଙ୍କର ନିର୍ମାଣ କରିଛି ଚାଇନା, ଆମେରିକା ଏଫ୍‌ଏଏସ୍‌ କଲା ପର୍ଦ୍ଦାଫାଶ୍‌…

ଓ୍ବାଶିଂଟନ,୩।୧୧: ଚାଇନା ତିନୋଟି ସ୍ଥାନରେ କ୍ଷେପଣାସ୍ତ୍ର ସିଲୋ ଫିଲ୍ଡ (ବଙ୍କର) ନିର୍ମାଣ କରିଛି। ଚାଇନା ଜାଣିଶୁଣି ଆଣବିକ ପ୍ରତିଯୋଗୀତାକୁ ପ୍ରୋତ୍ସାହିତ କରୁଥିବା କୁହାଯାଇଛଇ। ପାଶ୍ଚାତ୍ୟ ବିଶେଷଜ୍ଞମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି ତିନୋଟି ସ୍ଥାନ ଉତ୍ତର କେନ୍ଦ୍ରୀୟ ଚାଇନାର ୟୁମେନ, ହାମି ଏବଂ ଅର୍ଡୋସରେ ରହିଥିବା କେତେକ ଫଟୋରୁ ଜଣାପଡ଼ିଛି।

ଆମେରିକୀୟ ଥିଙ୍କ ଟ୍ୟାଙ୍କ ଫେଡେରେସନ ଅଫ ଆମେରିକୀୟ ସାଇଣ୍ଟିଷ୍ଟସ (ଏଫ୍‌ଏଏସ୍‌ ) ପକ୍ଷରୁ ଏହାର ପର୍ଦ୍ଦାଫାଶ୍‌ କରାଯାଇଛି। ଏଫ୍‌ଏଏସ୍‌ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ପ୍ଲାନେଟ ଲ୍ୟାବ ଏବଂ ମ୍ୟାକ୍ସାର୍‌ ଟେକ୍ନୋଲୋଜି ଦ୍ୱାରା ପ୍ରଦାନ କରାଯାଇଥିବା ଫଟୋଗ୍ରାଫ ଆଧାରରେ ଏଫ୍‌ଏଏସ୍‌ ଏଭଳି ରିପୋର୍ଟ ପ୍ରସ୍ତୁତ କରିଥିବା ଦାବି କରିଛି।

ଫଟୋରୁ ପ୍ରମାଣିତ ହେଉଛି ଯେ, ଚାଇନା ଏସବୁ ତିନୋଟି ସ୍ଥାନରେ ମିସାଇଲ ସିଲୋ ନିର୍ମାଣ କରିଛି। ଏହି ଚିତ୍ରଗୁଡ଼ିକରେ କେବଳ ତିନୋଟି ଚାଇନିଜ ସିଲୋ ଦୃଶ୍ୟମାନ ହେଉଛି, କିନ୍ତୁ ଏଫ୍‌ଏଏସ୍‌ ଅନୁସାରେ ଚାଇନା ଏଭଳି ୩୦୦ଟି ନୂତନ କ୍ଷେପଣାସ୍ତ୍ର ସିଲୋ ନିର୍ମାଣ କରୁଛି। ଏସବୁର ନିର୍ମାଣ କାର୍ଯ୍ୟ ଦ୍ରୁତ ବେଗରେ ଜାରି ରହିଛି। ଚାଇନା ସେନାର ଆଧୁନିକୀକରଣ କାର୍ଯ୍ୟକ୍ରମ ସହିତ ଏହା ଜଡିତ ଥିବା ଏଫ୍‌ଏଏସ୍‌ କହିଛି।

ସାପ୍ତାହିକ ଭିତ୍ତିରେ କ୍ଷେପଣାସ୍ତ୍ର ସିଲୋ ନିର୍ମାଣ କାର୍ଯ୍ୟର ଗତି ଏଫ୍‌ଏଏସ୍‌ ପକ୍ଷରୁ ଆକଳନ କରାଯାଇଛି। ଏଫ୍‌ଏଏସ୍‌ର ରିପୋର୍ଟ ପ୍ରସ୍ତୁତକାରୀ ମୈଟ କୋର୍ଡା ଏବଂ ହାନ୍ସ ଏମ . କ୍ରିଷ୍ଟସେନ କହିଛନ୍ତି ଯେ, ଏହା ହେଉଛି ଚାଇନାର ଅଦ୍ଭୁତପୂର୍ବ ପରମାଣୁ ନିର୍ମାଣ। ଏହି କ୍ଷେପଣାସ୍ତ୍ର ସିଲୋ ଆରମ୍ଭ ହେବା ଲାଗି କିଛି ବର୍ଷ ଲାଗିବ। ଏହା ଚାଇନାର ନ୍ୟୁନତମ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର ନୀତି ଉପରେ ସନ୍ଦେହ ସୃଷ୍ଟି କରିଛି।

କିନ୍ତୁ ଭବିଷ୍ୟତରେ ଚାଇନା ବଙ୍କରକୁ କିପରି ବ୍ୟବହାର କରୁଛି ତାହା ଦେଖିବାକୁ ବାକି ରହିଲା ବୋଲି ରିପୋର୍ଟରେ କୁହାଯାଇଛି। ଚାଇନାର ଏଭଳି କାର୍ଯ୍ୟ ଯୋଗୁ ଆଣବିକ ପ୍ରତିଯୋଗିତା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି କରିଛି ବୋଲି ଉଭୟ କୋର୍ଡା ଏବଂ କ୍ରୀଷ୍ଟସେନ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁନ୍‌ରେ ସିଲୋ ନିର୍ମାଣ ବିଷୟରେ ପ୍ରଥମ ସୂଚନା ମିଳିଥିଲା। ଏହାପରେ ଜୁଲାଇରେ ଆଉ ଏକ ରିପୋର୍ଟ ଆସିଥିଲା ।

ଏଫ୍‌ଏଏସ୍‌ କହିଛି ଶୀତଳ ଯୁଦ୍ଧ ସମୟରେ ଆମେରିକା ଏବଂ ସୋଭିଏତ୍‌ କ୍ଷେପଣାସ୍ତ୍ର ବଙ୍କର ନିର୍ମାଣ କରିଥିଲେ। ଏବେ ଚାଇନା ସର୍ବ ବୃହତ କ୍ଷେପଣାସ୍ତ୍ର ବଙ୍କର ନିର୍ମାଣ କରୁଥିବା ସେମାନେ କହିଛନ୍ତି।

Share